ଅପରାଧୀ ବିତାଉଛନ୍ତି ରାଜା ଜୀବନ ! ଧରାପଡିଲା କାରସାଦି, ବ୍ୟାଗରେ ଯାଉଛି ଅୟସ ପାଇଁ ସାମଗ୍ରୀ ।

51

କନକ ବ୍ୟୁରୋ : କଣ ଚାଲିଛି ଝାରପଡା ଜେଲରେ? ଜେଲ୍ ଭିତରକୁ କଏଦୀଙ୍କ ପାଇଁ ଯାଉଛି କଣ? ଝାରପଡା ଜେଲରେ କଏଦୀଙ୍କ ପାଇଁ ଖାଦ୍ୟ ସହ ଯାଉଛି ଟଙ୍କା ଓ ନିଶା ଦ୍ରବ୍ୟ । କ୍ୟାମେରାରେ କଏଦ ହୋଇଛି ଏଭଳି ଦୃଶ୍ୟ । ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । ପୋଲିସ ସୁରକ୍ଷାକୁ ଭେଦ କରି କିପରି ଯାଉଛି ନିଶାଦ୍ରବ୍ୟ ତାହାକୁ ନେଇ ଉଠିଲା ପ୍ରଶ୍ନ ।

ଆଜି ଦିନ ପ୍ରାୟ ୧୧ଟା ସମୟରେ ଭୁବନେଶ୍ୱର ଝାରପଡା ଜେଲ ନିକଟରେ ଦେଖିବାକୁ ମିଳିଥିଲା ଅଭାବନୀୟ ଦୃଶ୍ୟ । କଏଦୀଙ୍କୁ ମୁଲାକାତ୍ ପାଇଁ ଲାଗିଥାଏ ପରିବାର ଲୋକଙ୍କ ଭିଡ । ଆଉ ଏହାରି ଭିତରେ ଏମିତି କିଛି ଚିତ୍ର ସାମନାକୁ ଆସିଥିଲା ଯାହା କୌଣସି ଫିଲ୍ମର ଦୃଶ୍ୟ ଠାରୁ କମ୍ ନଥିଲା । ଡ୍ୟୁଟିରେ ଥିଲେ ୨ ଜଣ ମହିଳା କର୍ମଚାରୀ । ଜଣେ ମହିଳା କର୍ମଚାରୀଙ୍କ ହାତରେ ଦେଖିବାକୁ ମିଳିଥିଲା ନୋଟ୍ । ଯିଏ ଯାହା ଦେଉଥିଲା କେଉଁଥିରେ ବି ବାରଣ କରୁ ନଥିଲେ ଏହି ଜେଲ କର୍ମଚାରୀ ଜଣକ । ୧୦ ଟଙ୍କାରୁ ଆରମ୍ଭ କରି ୧୦୦ ଟଙ୍କା ପର୍ଯ୍ୟନ୍ତ । କଏଦୀଙ୍କ ସଂପର୍କୀୟ ମାନେ ସିଧାସଳଖ ଡ୍ୟୁଟିରେ ଥିବା ଜେଲ କର୍ମଚାରୀଙ୍କର ହାତକୁ ବଢାଇ ଦେଉଥିଲେ, ଆଉ ମ୍ୟାଡମ ଜଣକ ବି ଟଙ୍କାକୁ ନିଜ ହାତରେ ଧରି ନେଉଥିଲେ । ଆଉ ଏହାପରେ, ପକେଟରେ ରଖିଥିବା ଏକ ପଲିଥିନରେ ଟଙ୍କା ଗୁଡିକୁ ଭର୍ତି କରି ପୁଣି ନିଜ ପକେଟରେ ରଖୁଥିଲେ ।

ଏସବୁ ଭିତରେ ପଦାକୁ ଆସିଥିଲା ଆଉ ଏକ ଦୃଶ୍ୟ । ଜେଲ ଭିତରକୁ ଯାଉଥିବା ଖାଦ୍ୟ ପଦାର୍ଥ ଗୁଡିକୁ ସିଧାସଳଖ ଜେଲ ଭିତରକୁ ବେଧଡକ ଭାବେ ନିଆ ଯାଉଥିଲା । ଏଥିରେ କଣ ଅଛି କଣ ନ ଅଛି ତାକୁ ଦେଖିବାକୁ ବି ଆଦୌ ସମୟ ନାହିଁ । ହାତରେ ଟଙ୍କା ଗୁଞ୍ଜି ଦେଲେ ସବୁ ଜିନିଷ ଭିତରକୁ ଅବାଧରେ ପ୍ରବେଶ କରୁଛି । ଆଉ ଏକ ଚିତ୍ରରେ କଏଦୀଙ୍କ ପାଇଁ ଆସିଥିବା ଖାଦ୍ୟ ପଦାର୍ଥ ଭିତରେ ରଖାଯାଇଥିଲା ଟଙ୍କା । ଟଙ୍କା ଗୁଡିକ ବାହାରକୁ ଦେଖା ଯାଉଥିବାରୁ, ଏହାକୁ ଏକ କପଡା ବ୍ୟାଗରେ ରଖିବା ପାଇଁ ପରାମର୍ଶ ଦିଆ ଯାଉଥିଲା । ଆଉ ୨୦ରୁ ଅଧିକ କପଡା ବ୍ୟାଗ ଜେଲ ଭିତରକୁ ଯିବା ପାଇଁ ସଜାଇ ହୋଇ ରଖା ଯାଇଥିଲା ।

ଏସବୁ ପରେ, ଏହି ସବୁ ଭିଜୁଆଲ କ୍ୟାମେରାରେ କଏଦ ହେଉଥିବା ଜାଣିବା ପରେ, ଜଣେ କଏଦୀଙ୍କ ସଂପର୍କୀୟଙ୍କ ବ୍ୟାଗକୁ ଯାଂଚ କରାଯାଇଥିଲା ଆଉ ତା ଭିତରୁ ମିଳିଥିଲା କିଛି ଅବକାରୀ ପଦାର୍ଥ । ଏଠାରେ ପ୍ରଶ୍ନ ଉଠୁଛି ଜେଲ କର୍ମଚାରୀ ଜଣକ ଏହି ଟଙ୍କା କଣ ପାଇଁ ନେଉଛନ୍ତି ? ଜେଲ ଭିତରକୁ ଟଙ୍କା ଯିବା ପାଇଁ ଏହା ଏକ ମାଧ୍ୟମ କି? ନା କଏଦୀଙ୍କୁ ଦେଖା କରିବାକୁ ହେଲେ, ଏମିତି ଲାଂଚ ଦେବାକୁ ପଡିଥାଏ? ଟଙ୍କା ଦେଇ କଏଦୀ ମାନେ ସଜ୍ଜା ବଦଳରେ ମଜ୍ଜା କରୁ ନାହାଁନ୍ତି ତ ।