ପୁରୁଣା ପେପରରୁ ନୂଆ ଖବର ! ଜଳଖିଆ ଖାଉଥିବା ପେପରରୁ ପଢିଲେ ସ୍ୱାମୀଙ୍କ ମୃତ୍ୟୁର ଖବର, ୨୫ ଦିନ ପରେ ପାଟଣାଗଡ ପାର୍ସଲ ବୋମା ବିସ୍ପୋରଣର ସତ ଜାଣିଲେ ସ୍ତ୍ରୀ

135

କନକ ବ୍ୟୁରୋ : ପାଟଣାଗଡ଼ ଗିଫଟ ବୋମା ବିସ୍ଫୋରଣର ପୂରା ସତ ଜାଣିଲେ ଆହତ ନବବଧୂ ରିମା । ବିସ୍ଫୋରଣରେ ସ୍ୱାମୀ ସୌମ୍ୟଶେଖରଙ୍କ ମୃତ୍ୟୁ ହୋଇଥିବା ଖବର ଘଟଣାର ୨୫ ଦିନ ପରେ ଜାଣିଲେ ରିମା । କଟକ ମେଡିକାଲ୍ ପ୍ଲାଷ୍ଟିକ୍ ସର୍ଜରି ବର୍ନ ୱାର୍ଡରେ ସକାଳୁ ଟିଫିନ୍ ଖାଉଥିବା ବେଳେ ଏକ ପୁରୁଣା ଖବର କାଗଜରୁ ରିମାଙ୍କୁ ମିଳିଥିଲା ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ଖବର । ପରିବାର ଲୋକ ଓ ଡାକ୍ତର ଲୁଚାଇଥିବା ଏହି ନିଷ୍ଠୁର ସତ୍ୟକୁ ଅତି ନାଟକୀୟ ଭାବେ ଜାଣିବା ପରେ ସେ ଏହାକୁ ବରଦାସ୍ତ କରିପାରିନଥିଲେ । ଖସି ଯାଇଥିଲା ତାଙ୍କ ପାଦ ତଳରୁ ମାଟି ।

ସୋମବାର ପ୍ରାୟ ସକାଳ ୮ଟା । ଡାକ୍ତରଖାନାରେ ସକାଳର ଟିଫିନ୍ ଖାଉଥିଲେ ରିମା । ସବୁଦିନ ପରି ଟେବୁଲ ଉପରେ ପୁରୁଣା ଖବର କାଗଜ ଉପରେ ଥିଲା ଟିଫିନ୍ ବକ୍ସ । ହଠାତ୍ ରିମାଙ୍କ ନଜର ପଡିଗଲା ଖବର କାଗଜରେ ଲେଖା ଉପରେ । ଯାହା ପଢ଼ିବା ମାତ୍ରେ ରିମାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ମୁଣ୍ଡ ଘୁରିଗଲା, ଦୁଃଖର ପାହାଡ଼ ଭାଙ୍ଗିପଡିଥିଲା ତାଙ୍କ ଉପରେ । ଘଟଣାର ପ୍ରାୟ ୨୫ ଦିନ ପରେ ରିମା ଜାଣିଥିଲେ ପାର୍ସଲ ବୋମାର ପୂରା ସତ । ଯାହାଙ୍କୁ ସେ ୭ ଜନ୍ମ ପାଇଁ ଜୀବନର ସାଥୀ କରିଥିଲେ, ସେ ତାଙ୍କ ହାତ ଛାଡି ଅ।।ର ପାରିକୁ ଚାଲିଯାଇଛନ୍ତି । ତାଙ୍କର ମାତ୍ର ୫ ଦିନର ସଂସାର ଉଚ୍ଛନ୍ନ ହୋଇଯାଇଥିବା ଜାଣି କଇଁ କଇଁ କାନ୍ଦି ଉଠିଥିଲେ ରିମା ।

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣରେ ସ୍ୱାମୀ ସୌମ୍ୟଶେଖର ଓ ତାଙ୍କ ଜେଜେମା’ ପ୍ରାଣ ହରାଇଥିଲେ । ଗୁରୁତର ଭାବେ ଆହତ ହୋଇଥିଲେ ରିମା । ତାଙ୍କୁ ପ୍ରଥମେ ବୁର୍ଲା ଓ ପରେ କଟକ ବଡ଼ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ତେବେ ରିମାଙ୍କ ଅବସ୍ଥା ଅତି ସମ୍ବେଦନଶୀଳ ଥିବାରୁ ସ୍ୱାମୀଙ୍କ ମୃ୍ତ୍ୟୁଖବର ନଜଣାଇବାକୁ ତାଗିଦ୍ କରିଥିଲେ ଡାକ୍ତର । ଚିକିତ୍ସା ସମୟରେ ସ୍ୱାମୀଙ୍କ ସଂପର୍କରେ ବାରମ୍ବାର ପଚାରୁଥିଲେ ରିମା । ଏପରିକି ସ୍ୱାମୀ ପିନ୍ଧାଇ ଦେଇଥିବା ମୁଦିକୁ ମଧ୍ୟ ଖୋଲିବାକୁ ସହଜରେ ସେ ରାଜି ହୋଇନଥିଲେ । ତେବେ ତାଙ୍କ ସ୍ୱାମୀ ଠିକ୍ ଅଛନ୍ତି ବୋଲି ରିମାଙ୍କ ପରିବାର ଲୋକ ଓ ଡାକ୍ତର କହି ଆସୁଥିଲେ । ତେବେ ଏପରି ଆକସ୍ମିକ ଭାବେ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ଜାଣି ଭାଙ୍ଗି ପଡିଥିଲେ ରିମା । ସ୍ୱାମୀ ତ ମରି ଯାଇଛନ୍ତି, ତାଙ୍କୁ କାହିଁକି ବଂଚାଇଲ ବୋଲି କାନ୍ଦି କାନ୍ଦି କହୁଥିଲେ ରିମା । ପ୍ରାୟ ୪ -୫ ଘଂଟା ପର୍ଯ୍ୟନ୍ତ ତାଙ୍କୁ ସମ୍ଭାଳିବା ପାଇଁ ଡାକ୍ତର, ନର୍ସ ଓ ପରିବାର ଲୋକ ନୟାନ୍ତ ହୋଇଥିଲେ ।

ଗତ ଫେବ୍ରୁଆରି ମାସ ୨୩ ତାରିଖରେ ପାଟଣାଗଡ଼ ଅଂଚଳରେ ଘଟିଥିଲା ପାର୍ସଲ ବୋମା ବିସ୍ଫୋରଣ । ସୌମ୍ୟଶେଖର ଓ ରିମାଙ୍କ ବାହାଘରର ୫ ଦିନ ପରେ ଘରେ ପହଁଚିଥିଲା ଏକ ଗିଫ୍ଟ ପାର୍ସଲ । ଏହାକୁ ଖୋଲିବା ପରେ ଘଟିଥିଲା ଏହି ଭୟଙ୍କର ବିସ୍ଫୋରଣ । ସେପଟେ ମୃତ ସୌମ୍ୟଶେଖରଙ୍କ ମାଆ ଏବଂ ନବବଧୂ ରିମାଙ୍କ ବାପା ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଏତେଦିନ ପରେ ବି ଘଟଣା ପଛରେ କାହାର ହାତ ରହିଛି ତାହା ଅସ୍ପଷ୍ଟ ଥିବାରୁ ଉଭୟ ଅସନ୍ତୋଷ ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ ଉଭୟଙ୍କୁ ଆଶ୍ୱାସନା ଦେଇଛନ୍ତି । ବୋମା ବିସ୍ଫୋରଣ ମାମଲାରେ ତଦନ୍ତ ଜାରି ରହିଛି ଏବଂ ଘଟଣା ନେଇ ସେ ଡିଜିଙ୍କ ସହ କଥା ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।