ଘରକୁ ଫେରିଲେ ପାର୍ସଲ ବୋମା ପୀଡିତା ରିମା ସାହୁ ! କହିଲେ, କେମିତି ଥିଲା ବିସ୍ଫୋରଣ ଦିନର ଘଟଣା

31

କନକ ବ୍ୟୁରୋ : ପାର୍ସଲ ବୋମା ବିସ୍ଫୋରଣର ଆଜି ପୁରା କାହାଣୀ କହିଛନ୍ତି ପୀଡିତା ରିମା ସାହୁ । କଟକ ବଡ ଡାକ୍ତର ଖାନାରେ ୫୦ ଦିନ ଧରି ଚିକିତ୍ସିତ ହେବା ପରେ ଘରକୁ ଫେରିଛନ୍ତି ରିମା । ଆଉ କହିଛନ୍ତି, ସେହି କଳାଦିନର କଥା । ଯାହା ତାଙ୍କ ପୂରା ଜୀବନକୁ ଅନ୍ଧାରକୁ ଠେଲି ଦେଇଥିଲା ।

blast 11୫୦ ଦିନ ଧରି କଟକ ବଡ ମେଡିକାଲରେ ରହିବା ପରେ ଘରକୁ ଫେରିଛନ୍ତି ରିମା । ପ୍ଲାଷ୍ଟିକ ସର୍ଜରୀ ପରେ ମୁହଁରୁ ପୋଡା ଚିହ୍ନ ଚାଲିଯାଇଛି । ଆଖି ଓ କାନରୁ କ୍ଷତ ଶୁଖିଗଲାଣି । ହେଲେ ହୃଦୟରେ ଲାଗିଛି ବଡ ଆଘାତ । ଯାହା କେବେ ବି ଲିଭିବନାହିଁ । ଏ କାହାଣୀ ଏକ ଏମିତି କାହାଣୀ ଯାହା ରିମାଙ୍କ ଛଡା ଆଉ କେହି ହୁଏତ ବୁଝିପାରିବେ ନାହିଁ ।

ବୌଦ୍ଧରୁ ବୋହୁ ବେଶରେ ବଲାଙ୍ଗୀରକୁ ବିଦା ହୋଇଥିଲେ ରିମା । ଏବେବି କାନ୍ଥରେ ସେମିତି ଲେଖା ରହିଛି ନାଁ , ରିମା ସହ ସୌମ୍ୟଶେଖର । ହେଲେ ବିବାହର ୫ ଦିନ ପରେ ରିମାଙ୍କୁ ପର କରି ଚାଲିଯାଇଛନ୍ତି ଶେଖର । ଆଉ ୫ ଦିନର ପତ୍ନୀ ହୋଇ ରହିଯାଇଛନ୍ତି ରିମା ସାହୁ ।

ଫେବ୍ରୁଆରୀ ୨୩ ।ସୌମ୍ୟଶେଖର ଓ ରିମାଙ୍କ ବିବାହର ୫ ଦିନ ପରେ ଘରକୁ ଆସିଥିଲା ଗୋଟିଏ ଗିଫ୍ଟ ପାର୍ସଲ । ଆଉ ପାର୍ସଲ ଖୋଲିବା ମାତ୍ରେ ବଦଳିଯାଇଥିଲା ରିମାଙ୍କ ହସଖୁସିର ସଂସାର । କାହିଁକିନା ଘରକୁ ଆସିଥିଲା ମୃତ୍ୟୁର ଉପହାର । ଯାହା ସୌମ୍ୟଶେଖର ଓ ତାଙ୍କ ଜେଜେମାଙ୍କ ଜୀବନ ନେଇଯାଇଥିଲା । ଆଉ ଗୁରୁତର ଆହତ ହୋଇଥିଲେ ରିମା । ସାରା ରାଜ୍ୟରେ ହଇଚଇ ଖେଳାଇଦେଇଥିବା ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ଦୁଇ ମାସ ପୁରିବାକୁ ବସିଲାଣି । ହେଲେ ଏଯାଏଁ ପୋଲିସ କିମ୍ବା କ୍ରାଇମବ୍ରାଂଚ୍ ଅଭିଯୁକ୍ତଙ୍କ ଟେର୍ ପାଇପାରୁନି । ଏଭଳି ସ୍ଥିତିରେ ସିବିଆଇ ତଦନ୍ତ ଦାବି କରିଛନ୍ତି ରିମା ଓ ତାଙ୍କ ପରିବାର ।