ବିଧାନସଭାରେ ଓଡିଶାର ଜୀବନରେଖାକୁ ନେଇ ବିତର୍କ ! ମହାନଦୀରେ ଜଳପ୍ରବାହ କମିବା କାରଣରୁ ଚିଲିକାକୁ ବନ୍ଦ ହୋଇଛି ମଧୁର ଜଳ ପ୍ରବାହ, ବିଜେପିର ପ୍ରଶ୍ନ, ୧୮ ବର୍ଷ ଧରି କଣ କରୁଥିଲେ ସରକାର

58

କନକ ବ୍ୟୁରୋ : ମହାନଦୀକୁ ନେଇ ଚିନ୍ତା ବଢୁଥିବା ବେଳେ ଆଜି ବିଧାନସଭାରେ ଚିନ୍ତା ବଢାଇଦେବା ଭଳି ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ଜଳସମ୍ପଦ ମନ୍ତ୍ରୀ ନିରଂଜନ ପୂଜାରୀ କହିଛନ୍ତି, ମହାନଦୀରେ ଜଳ ପ୍ରବାହ କମିବା କାରଣରୁ ଭାର୍ଗବୀ ଓ କୁଆଖାଇ ନଦୀ ଶୁଖିଯାଇଛି । ଏହାର ପ୍ରଭାବରେ ଚିଲିକାକୁ ମଧୁର ଜଳପ୍ରବାହ ମଧ୍ୟ ବାଧାପ୍ରାପ୍ତ ହୋଇଛି ବୋଲି ମନ୍ତ୍ରୀ ବିଧାନସଭାକୁ ସୂଚନା ଦେଇଛନ୍ତି । ମହାନଦୀକୁ ନେଇ ବିତର୍କରେ ଆଜି ବିଧାନସଭାରେ ଆରୋପ-ପ୍ରତ୍ୟାରୋପ ଦେଖିବାକୁ ମିଳିଥିଲା ।

MAHANADI WATERଦୁଇ ଦିନର ହଟ୍ଟଗୋଳ ଏବଂ ହଙ୍ଗାମା ପରେ ଓଡ଼ିଶାର ଜୀବନ ରେଖା କୁହାଯାଉଥିବା ମହାନଦୀ ପ୍ରସଙ୍ଗରେ ବିତର୍କ କରିଛି ବିଧାନସଭା । ଗୋଟିଏ ପଟେ ମହାନଦୀ ଶୁଖିବାକୁ ବସୁଥିବା ବେଳେ ଅନ୍ୟ ପଟେ ରାଜନୀତିର ବନ୍ୟା ପ୍ରଖର ହେବାରେ ଲାଗିଛି । ଗୃହରେ ଯୁକ୍ତି ଉପସ୍ଥାପନ କରି ଜଳ ସଂପଦ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି- ଟ୍ରିବୁନାଲ ଗଠନ କରାଯାଇଥିଲେ ମଧ୍ୟ ଏଯାଏଁ ଟର୍ମସ ଅଫ ରେଫରେନ୍ସ ପ୍ରସ୍ତୁତ କରାଯାଇ ନାହିଁ । ଫଳରେ ଟ୍ରିବୁନାଲରେ ଶୁଣାଣି ହୋଇପାରିବ ନାହିଁ ।

ଜଳ ସଂପଦ ମନ୍ତ୍ରୀ ପୁଣି କହିଛନ୍ତି- ଛତିଶଗଡ଼ କଲମା ବ୍ୟାରେଜ ନିର୍ମାଣ କରିବା କାରଣରୁ ଜଳ ପ୍ରବାହ ବହୁ ପରିମାଣରେ କମି ଯାଇଛି । ଏହାର ସାଂଘାତିକ୍ ପରିସ୍ଥିତି ସୂଚାଇବାକୁ ଯାଇ, ସରକାର କହିଛନ୍ତି- ମହାନଦୀରେ ଓଡ଼ିଶାକୁ ୨୦ ମିଲିୟନ୍ ଫୁଟ ପାଣି ଆସୁଥିବା ବେଳେ ଛତିଶଗଡ଼ ୨୭ ମିନିଲିୟନ୍ ଫୁଟ୍ ପାଣି ଗଚ୍ଚିତ ରଖିବାକୁ ଯୋଜନା କରୁଛି ।

ଛତିଶଗଡ଼ରେ ବନ୍ଧ ନିର୍ମାଣ ଯୋଗୁଁ ଭାର୍ଗବୀ ଓ କୁଆଖାଇ ନଦୀ ସଂପୂର୍ଣ୍ଣ ଶୁଖି ଯାଇଛି ବୋଲି ଆଜି ବିଧାନସଭାରେ ମନ୍ତ୍ରୀ ସୂଚନା ଦେଇଛନ୍ତି । ଆଉ ଏହାର ପ୍ରଭାବରେ ଚିଲିକାକୁ ମଧୂର ଜଳ ପ୍ରବେଶ କରି ପାରୁନାହିଁ ବୋଲି ମନ୍ତ୍ରୀ କହିଛନ୍ତି । ତେବେ ବିଜେପିର ପ୍ରଶ୍ନ ହେଉଛି- ଯଦି ମହାନଦୀ ଏତେ ସାଂଘାତିକ ପରିସ୍ଥିତି ସୃଷ୍ଟି କରିବାକୁ ଯାଉଛି, ତେବେ ୧୮ ବର୍ଷ ଧରି ସରକାର କାହିଁକି ଚୁପ ବସିଥିଲେ । ସେପଟେ କଂଗ୍ରେସ ଆଶଙ୍କା କରୁଛି ଛତିଶଗଡ଼ର ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ମହାନଦୀ ଓ ହୀରାକୁଦ ଶୁଖିଯିବ । କିନ୍ତୁ ଓଡ଼ିଶା ସରକାର ଏହି ଗମ୍ଭୀର ସମସ୍ୟାକୁ ସମାଧାନ ଦିଗରେ ଆନ୍ତରିକତା ଦେଖାଉ ନାର୍ହାନ୍ତି ବୋଲି ଅଭିଯୋଗ ଆଣିଛନ୍ତି ।

ମହାନଦୀର ଜଳ ପ୍ରବାହ କମିବା ଯୋଗୁଁ ଓଡ଼ିଶାର ୧୫ଟି ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି । କିନ୍ତୁ ରାଜନୈତିକ ଦୃଷ୍ଟି କୋଣରୁ ଦେଖିଲେ ଏହି ପ୍ରସଙ୍ଗ ଆଗାମୀ ନିର୍ବାଚନରେ ୩୦ଟି ଜିଲ୍ଲାକୁ ପ୍ରଭାବିତ କରିବାର କ୍ଷମତା ରଖିଛି । ତେଣୁ ରାଜନୈତିକ ଦଳ ଗୁଡ଼ିକ ପାଇଁ ଏହି ବିଷୟ ଏକ ସ୍ପର୍ଶକାତର ପ୍ରସଙ୍ଗ ହୋଇ ସାମ୍ନାକୁ ଆସିଛି ।

ମହାନଦୀ ଜଳ ବିବାଦକୁ ନେଇ ଓଡ଼ିଶା-ଛତିଶଗଡ଼ ମୁହାଁମୁହିଁ ଭିତରେ ଉପରମୁଣ୍ଡରେ ନିର୍ମାଣ ବନ୍ଦ କରିବା ପାଇଁ ଛତିଶଗଡ଼କୁ ଚିଠି ଲେଖିଛନ୍ତି ଓଡ଼ିଶା ସରକାର । ରାୟପୁର ଜିଲ୍ଲାରେ ମୋହମେଲା ସିରପୁରରେ ପ୍ରସ୍ତାବିତ ବ୍ୟାରେଜ୍ ନିର୍ମାଣକୁ ବନ୍ଦ କରିବାକୁ ଛତିଶଗଡ଼ର ଜଳ ସଂପଦ ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି ଓଡ଼ିଶା ଜଳ ସଂପଦ ସଚିବ । ଏହି ପ୍ରକଳ୍ପ ଏନଜିଟି ନିର୍ଦ୍ଦେଶକୁ ଉଲଂଘନ କରୁଥିବା ଓଡ଼ିଶା ଜଣାଇବା ସହ ନିର୍ମାଣ ପ୍ରକ୍ରିୟାକୁ ବନ୍ଦ କରିବାକୁ ଅନୁରୋଧ କରିଛନ୍ତି । ସେହିପରି ଏହା ସିଡବ୍ଲୁସିର ଗାଇଡ ଲାଇନ୍କୁ ଉଲଂଘନ କରୁଥିବା ଏହି ଚିଠିରେ ଜଣାଇଛନ୍ତି ଜଳ ସଂପଦ ସଚିବ ପ୍ରଦୀପ ଜେନା ।