କାଳିଆ ଦୁଆରେ ଭିକ ମାଗୁଛନ୍ତି, କୋଠା ଘରେ ରାତି କାଟୁଛନ୍ତି । ଦିବ୍ୟାଙ୍ଗ ଓ କୃଷ୍ଠ ରୋଗ ପାଇଁ ପରିବାର ତଡିଦେବା ପରେ ପୁରୀ ଜୀବନରାମ ବସ୍ତିରେ ଏମିତି ରହୁଛନ୍ତି ଭିକାରୀ

441

କନକ ବ୍ୟୁରୋ: ପେଟ ପାଇଁ ଦାନା ଦିମୁଠା ଯୋଗାଡ କରିବାକୁ କିଏ ଭିକ୍ଷା ବୃତ୍ତି କରିଥାଏ ତ କିଏ ପରିସ୍ଥିତିରେ ପଡି ଭିକ୍ଷା ବୃତ୍ତିକୁ ଆପଣେଇଥାଏ । ଆଉ କିଛି ଲୋକ କୁଷ୍ଠ ଭଳି ମାରତ୍ମକ ବ୍ୟାଧିରେ ଆକ୍ରାନ୍ତ ହେବା ପରେ ଏହାକୁ ପେଶା ଭାବେ ଗ୍ରହଣ କରି ନେଇଛନ୍ତି । ଏପରିକି ସୋମାନଙ୍କର ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସିଥିଲେ ମଧ୍ୟ ଏହାକୁ ଛାଡି ପାରିନାହାଁନ୍ତି ।

ପୁରୀ ସହରରେ ଥିବା ଜୀବନରାମ ବସ୍ତି ଅନ୍ୟ ବସ୍ତିଠାରୁ ବେଶ ଭିନ୍ନ । ଏ ଏମିତି ଏକ ବସ୍ତିି ଯେଉଁଠି କୋଠା ଘରେ ରହନ୍ତି ଭିକାରୀ । ରହିବା ପାଇଁ କୋଠା ଘର ସାଙ୍ଗକୁ ଚଳିବା ପାଇଁ ରହିଛି ସବୁ ପ୍ରକାର ସୁବିଧା । ଏପରିକି ଏହି ସବୁ ପରିବାରର କେହି କେହି ସରକାରୀ ଚାକିରି କରି ବାହାରେ ମଧ୍ୟ ରହୁଛନ୍ତି । ହେଲେ ଏମାନେ ଭିକ୍ଷା ବୃତ୍ତିକୁ ଛାଡି ପାରି ନାହାଁନ୍ତି । ଆଜି ବି ରାତି ପାହିଲେ ବଡ ଦାଣ୍ଡକୁ ଚାଲି ଆସନ୍ତି ଓ ଥାଳ ଧରି ଭିକ ମାଗନ୍ତି ।

ଦିନ ଥିଲା କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ନିର୍ମାଣ କରୁଥିଲେ ରତ୍ନାକର । ହେଲେ କୁଷ୍ଠ ରୋଗରେ ଆକ୍ରାନ୍ତ ହେବା ପରେ ବଦଳି ଯାଇଛି ରତ୍ନାକରଙ୍କ ଠିକଣା । ହାତ ଗୋଡର ଆଙ୍ଗୁଠି ଛିଡି ଗଲା ପରେ ଭିକ୍ଷା ବୃତ୍ତିକୁ ଆଦରି ନେବା ସହ ଜୀବନରାମ ବସ୍ତି ହୋଇଛି ତାଙ୍କର ନୂଆ ଠିକଣା । ଏବେ ରୋଗ ଭଲ ହୋଇ ଯାଇଥିଲେ ବି ସମ୍ପର୍କୀୟ ଗ୍ରହଣ ନକରିବାରୁ ଘରକୁ ନଫେରି ଭିକ ମାଗି ପେଟ ପୋଷୁଛନ୍ତି । ସେହିପରି ନୟାଗଡ ହରିବନ୍ଧୁ ବାରିକ୍ । କୁଷ୍ଠରୋଗ ହେବା ପରେ ଘର ଛାଡି ଆସି ରହୁଛନ୍ତି ଏହି ବସ୍ତିରେ । ବଡ ଦାଣ୍ଡରେ ମାଗୁଛନ୍ତି ଭିକ ।

ବିଜ୍ଞାନର ଅଗ୍ରଗତି ସହ ବଦଳୁଛି ମଣିଷ ହେଲେ ବଦଳୁନି ମାନସିକତା । ଗୋଟିଏ ପଟେ ଆଜି ବି କୁଷ୍ଠ ରୋଗୀଙ୍କୁ ଗ୍ରହଣ କରୁ ନାହାଁନ୍ତିି ସମ୍ପର୍କୀୟ ଆଉ ଆରପଟେ ଏମାନେ ଭିକ ମାଗିବାକୁ ପେଶା ବୋଲି ଧରି ନେଇଛନ୍ତି । ଯାହାକୁ ନେଇ ଏମାନଙ୍କ ପରପୀଢ଼ି ଏବେ ଚିନ୍ତାରେ ।