ବଢିଲାନି ଧାନ ଦର ! ନିରାଶ କରିଛନ୍ତି ମୋଦି ସରକାର

157

କନକ ବ୍ୟୁରୋ : ରାଷ୍ଟ୍ରପତି ନିର୍ବାଚନ ନେଇ ବିଜେପି ପ୍ରାର୍ଥୀଙ୍କୁ ଓଡିଶାର ବିଜେଡି ସରକାର ସମର୍ଥନ କରିବାର ୨୪ ଘଂଟା ନପୁରୁଣୁ, ନବୀନ ପୁଣି ଟାର୍ଗେଟ୍ କରିଛନ୍ତି ମୋଦି ସରକାରଙ୍କୁ । କହିଛନ୍ତି, ଧାନର ସର୍ବନିମ୍ନ ସହାୟକ ଦର ବଢାଇବାରେ ନିରାଶ କରିଛି କେନ୍ଦ୍ର । ଗତକାଲି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ମାତ୍ର ୮୦ ଟଙ୍କା ବଢାଇଛି । ଫଳରେ ଚାଷୀର ଆୟବୃଦ୍ଧି ସ୍ୱପ୍ନ ଧୂଳିସାତ୍ ହୋଇଛି ଏବଂ ଏହା ସହ ଜୋରଦାର ହୋଇଛି ରାଜନୀତି ।
୨୦୧୭-୧୮ ପାଇଁ ମୋଦି ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଅର୍ଥାତ ଯେଉଁ ଦରରେ ଚାଷୀଙ୍କଠାରୁ ସରକାର ଧାନ କିଣନ୍ତି ସେଥିରେ କ୍ୱିଂଟାଲ ପ୍ରତି ମାତ୍ର ୮୦ ଟଙ୍କା ବୃଦ୍ଧି କରିବା ପରେ ନାପସନ୍ଦ କରିଛନ୍ତି ନବୀନ । କାରଣ ଚାଷୀଙ୍କୁ ସେମାନଙ୍କ ଉତ୍ପାଦନର ଉଚିତ ମୂଲ୍ୟ ଦେବାପାଇଁ ଧାନର କ୍ୱିଂଟାଲ ପ୍ରତି ଦର ୨୯୩୦ ଟଙ୍କା ଦର ନିର୍ଦ୍ଧାରଣ କରିବାକୁ ବିଧାନସଭାର ଗତ ଅଧିବେସନରେ ସର୍ବସମ୍ମତ ସଂପଳ୍ପ ପାରିତ ହୋଇଥିଲା ।

କେନ୍ଦ୍ରର ଘୋଷଣା ଅନୁଯାୟୀ ଏଣିକି ସାଧାରଣ ଧାନ କ୍ୱିଂଟାଲ ପିଛା ୧୫୫୦ ଟଙ୍କା ଓ ଏ ଗ୍ରେଡ୍ ଧାନ ୧୫୯୦ ଟଙ୍କାରେ କିଣାଯିବ । ମୋଦି ସରକାର କ୍ଷମତାକୁ ଆସିବା ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ ଯେ, ଚାଷୀ ଧାନ ଉତ୍ପାଦନ ପାଇଁ କରୁଥିବା ଖର୍ଚ୍ଚର ଦେଢଗୁଣା ହେବ ସହାୟକ ମୂଲ୍ୟ ।

ସରକାରୀ ଆକଳନ ଅନୁସାରେ ଧାନ କ୍ୱିଂଟାଲ ପିଛା ଉତ୍ପାଦନ ପାଇଁ ଖର୍ଚ୍ଚ ହୁଏ ୨୩୪୪ ଟଙ୍କା । ତେଣୁ ସରକାରଅତି କମରେ ଏହାର ଦେଢଗୁଣା ଅର୍ଥାତ ୩୫୧୬ଟଙ୍କାରେ ଧାନ କିଣିବା କଥା । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଚାଷୀ ଖର୍ଚ୍ଚ କରିବ ବେଶି କିନ୍ତୁ ବିକ୍ରି କରିବ କମ୍ ଦାମରେ ।

କେନ୍ଦ୍ର ସରକାର ଧାନର ନୂଆଦର ନିର୍ଦ୍ଧାରଣ କରିବା ପରେ ଚାଷୀଙ୍କ ଆୟରେ ସେଭଳି କୌଣସି ଉନ୍ନତି ଆସିବା ଭଳି ଲାଗୁନାହିଁ । କାରଣ ଚାଷରେ ଖର୍ଚ୍ଚ ବଢୁଛି କିନ୍ତୁ କମ ଦରରେ କିଣୁଛନ୍ତି ସରକାର । କିନ୍ତୁ ସବୁଠାରୁ ବଡ ସମସ୍ୟା ହେଉଛି, ଚାଷୀ ପ୍ରତି ଦରଦ ରାଜନୀତିର ବଡ ପ୍ରସଙ୍ଗ ପାଲଟି ଯାଇଛି ।