ଘର ସଜାଡିବାକୁ କଂଗ୍ରେସର ପୁରୁଣା ଫର୍ମୁଲା ! ଜଣେ ସଭାପତି, ୩ କାର୍ଯ୍ୟକାରୀ ସଭାପତି

38

କନକ ବ୍ୟୁରୋ : ଖୁବ୍ ଶୀଘ୍ର ହେବ ପିସିସିରେ ପରିବର୍ତ୍ତନ । ଆଜି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି କଂଗ୍ରେସ ନେତାଙ୍କ ସହ ମାରାଥନ ଆଲୋଚନା କରିଛନ୍ତି । ଆଲୋଚନା ପରେ ରାହୁଲ ପ୍ରଥମେ ନିରଞ୍ଜନ ପଟ୍ଟନାୟକଙ୍କୁ ଡାକି ସ୍ୱତନ୍ତ୍ର ଭାବେ ଆଲୋଚନା କରିଛନ୍ତି । ଏହାପରେ ଭକ୍ତ ଦାସ ଚିରଞ୍ଜିବ ବିଶ୍ୱାଳ, ନବ ଦାସ ଓ ପ୍ରଦୀପ ମାଝିଙ୍କ ସହ ଅଲଗା ଅଲଗା ଅଲୋଚନା କରିଥିଲେ । ନିଜ ନାଁ ଗୋପନ ରଖବାକୁ ଅନୁରୋଧ କରି ବୈଠକରେ ଉପସ୍ଥିତ ଥିବା ଜଣେ କଂଗ୍ରେସ ନେତା କହିଛନ୍ତି, ଚିରଞ୍ଜୀବ ବିଶ୍ୱାଳ,ପ୍ରଦୀପ ମାଝି ଓ ନବ ଦାସଙ୍କୁ କାର୍ଯ୍ୟକାରୀ ସଭାପତି କରାଯିବା ନେଇ ରାହୁଲ ଏକପ୍ରକାର ସ୍ପଷ୍ଟ କରି ଦେଇଛନ୍ତି ।

ତା ସହିତ ଉପକୂଳ, ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ କଂଗ୍ରେସ ସଂଗଠନକୁ ସଜାଡିବାକୁ ପରାର୍ମଶ ଦେଇଛନ୍ତି । ଏଥିସହ ରାହୁଲ ସେମାନଙ୍କୁ କହିଛନ୍ତି ଓଡ଼ିଶା ବାସୀ ସବୁବେଳେ ସାମୂହିକ ନେତୃତ୍ୱକୁ ପସନ୍ଦ କରିଛନ୍ତି । ତେଣୁ ସେମାନେ ମଧ୍ୟ ସାମୂହିକ ନେତୃତ୍ୱର ପ୍ରଦର୍ଶନ କରନ୍ତୁ ବୋଲି ରାହୁଲ କହିଛନ୍ତି । ମିଳିଥିବା ସୂଚନା ଅନୁସାରେ ଜଣେ ସଭାପତି ଓ ୩ ଜଣଙ୍କୁ କାର୍ଯ୍ୟକାରୀ ସଭାପତି କରାଯିବା ନେଇ କଂଗ୍ରେସ ହାଇକମାଣ୍ଡ ସ୍ଥିର କରିଛନ୍ତି । ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ଭକ୍ତ ଦାସଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇପାରେ ବୋଲି ସୂଚନା ମିଳୁଛି । ଏଥିସହ ବିଭିନ୍ନ କମିଟି ଓ ସଂଗଠନରେ ବେଶି ସଂଖ୍ୟାରେ ନେତାଙ୍କୁ ନିୟୋଜିତ କରିବା ପାଇଁ କଂଗ୍ରେସ ହାଇକମାଣ୍ଡ ନିଷ୍ପତି ନେଇଥିବା ସୂଚନା ମିଳିଛି ।