ଖଣି ଲିଜଧାରୀଙ୍କୁ ସରକାରଙ୍କ ଧମକ ! ବାହାନା ଚଳିବନି, ଜରିମାନା ଦିଅ

38

କନକ ବ୍ୟୁରୋ: ଖଣି ଜରିମାନାକୁ ନେଇ ରାଜ୍ୟ ସରକାର ଗତକାଲି ଲିଜଧାରୀମାନଙ୍କୁ କଠୋର ବାଣୀ ଶୁଣାଇଛନ୍ତି । ଜରିମାନା ନଦେଇ ଖସିଯିବା ଲାଗି ଯଦି କୌଣସି ଲିଜଧାରୀ ଭାବୁଥାନ୍ତି, ତେବେ ତାହା ସେମାନଙ୍କ ଭୁଲ୍ ଧାରଣା। କୌଣସି ବି ପରିସ୍ଥିତିରେ ଟଙ୍କାଟିଏ ସରକାର ଛାଡିବେନି କି ବେଆଇନ କାମ କରିବା ଲାଗି ସୁଯୋଗ ଦେବେନି। ଆବଶ୍ୟକ ପଡ଼ିଲେ ସମ୍ପତ୍ତି ଜବତ କରାଯିବ। ବ୍ୟକ୍ତିଗତ ସମ୍ପତ୍ତି ଜବତ କରିବାକୁ ବି ସରକାରଙ୍କ ପାଖରେ ଆଇନଗତ ବିକଳ୍ପ ରହିଛି। ଫିକି ପକ୍ଷରୁ ଆୟୋଜିତ ଏକ ରାଉଣ୍ଡ ଟେବୁଲରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ଇସ୍ପାତ ଓ ଖଣି ବିଭାଗର ପ୍ରମୁଖ ସଚିବ ରାଜ କୁମାର ଶର୍ମା ଏଭଳି କଡ଼ା ଭାଷାରେ ନିଜ ଆଭିମୁଖ୍ୟ ରଖିଛନ୍ତି ।

ଶ୍ରୀ ଶର୍ମା କହିଥିଲେ, ଯେଉଁ ସଂସ୍ଥା ଭାବୁଛନ୍ତି ସରକାର ସବୁକିଛି ଭୁଲିଯିବେ ଅଥବା କ୍ଷମା କରିଦେବେ, ସେମାନଙ୍କର ଏହା ଭ୍ରମ ବା ଦିବା ସ୍ୱପ୍ନ ହୋଇପାରେ । ସରକାରଙ୍କ ମୁଣ୍ଡ ହାତୀ ଭଳି। କିଛି ଭୁଲିବାର ନାହିଁ କି କାହାକୁ କ୍ଷମା ଦେବାର ପ୍ରଶ୍ନ ଉଠୁନି । ପରିସଂଖ୍ୟାନ ରଖି ଶ୍ରୀ ଶର୍ମା ସୂଚାଇଥିଲେ, ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା ୪୪ ଖଣି ଲିଜଧାରୀଙ୍କଠାରୁ ୧୦ ହଜାର କୋଟି ଟଙ୍କା ଜରିମାନା ଆଦାୟ କରିସାରିଲେଣି । ବଳକା ଟଙ୍କା ଯେକୌଣସି ଉପାୟରେ ଆଦାୟ କରାଯିବ । ଖଣି କଂପାନିଗୁଡ଼ିକୁ ୧୭ହଜାର ୫୭୬ କୋଟି ଟଙ୍କାର ଜରିମାନା ପଇଠ କରିବାକୁ ରାଜ୍ୟ ସରକାର ନୋଟିସ କରିଛନ୍ତି । ଗତବର୍ଷ ଡିସେମ୍ବର ୩୧ରେ ସୁପ୍ରିମକୋର୍ଟ ଦେଇଥିବା ରାୟ ଆଧାରରେ ୧୩୧ଟି ଖଣି କଂପାନିକୁ ନୋଟିସ୍ କରାଯାଇଛି । ଏହା ପରେ ରାଜ୍ୟରେ ସାତଟି ଖଣି ବନ୍ଦ ହୋଇଯାଇଛି । ଏସବୁ ଖଣି ବନ୍ଦ ହେଲେ ବି ଲୁହାପଥର ଅଭାବ ଦେଖାଦେବାର ପ୍ରଶ୍ନ ଉଠୁନାହିଁ କିମ୍ବା ଏହାକୁ କେହି ଆଳ ବା ବାହାନା ଭାବେ ବ୍ୟବହାର କରିପାରିବେ ନାହିଁ । ପୂର୍ବରୁ ରାଜ୍ୟରେ ସବୁ ପ୍ରମୁଖ ଖଣି ବନ୍ଦ ଥିବା ବେଳେ ଯଦି କଞ୍ଚାମାଲର ଅଭାବ ନଥିଲା, ତେବେ ଏବେ ଏହି ୭ଟି ଖଣି ବନ୍ଦରେ ଅଭାବ ହେବ କାହିଁକି ବୋଲି ସେ ପ୍ରଶ୍ନ କରିଥିଲେ ।

ଖଣି ସଚିବ କହିଥିଲେ, ୨୦୧୪ ଏବଂ ୨୦୧୭ରେ ବେଆଇନ ଖଣି କାରବାରକୁ ନେଇ ସୁପ୍ରିମକୋର୍ଟ ଯେଉଁ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି, ସେଥିରୁ ଖଣି କଂପାନିଗୁଡ଼ିକ ଗୋଟିଏ କଥା ଶିଖିବା ଦରକାର ଯେ ନିୟମ ନିଶ୍ଚିତ ରୂପେ ପାଳନ କରିବାକୁ ପଡ଼ିବ । ନିୟମକୁ ଏଡାଇ ଦେଇ କେହି ଆଗକୁ ବଢ଼ିପାରିବେ ନାହିଁ । ନ୍ୟାୟାଳୟଙ୍କ ରାୟ ଉପରେ ଯେଉଁମାନଙ୍କର ଆପତ୍ତି ରହିଛି ସେମାନେ ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ପିଟିସନ୍ ଦାଖଲ କରିପାରିବେ । ସେମାନଙ୍କ ପାଖରେ କେବଳ ଏହି ବିକଳ୍ପ ଅଛି । କାରଣ ଜରିମାନାକୁ କିସ୍ତି ଆକାରରେ ପ୍ରଦାନ କରିବା ଏବଂ ଜରିମାନା ଦାଖଲ ଅବଧି ବଢ଼ାଇବା ପାଇଁ ଖଣି ଲିଜ୍ଧାରୀମାନେ ଯେଉଁ ରିଟ୍ ପିଟିସନ୍ ଦାଖଲ କରିଥିଲେ ତାହାକୁ ସୁପ୍ରିମକୋର୍ଟ ଇତିମଧ୍ୟରେ ଖାରଜ କରିଦେଇଛନ୍ତି ।

ପ୍ରାରମ୍ଭରେ ରାଜ୍ୟରେ କାରଖାନା ବସାଇଥିବା ଇସ୍ପାତ କଂପାନିଗୁଡ଼ିକର ପ୍ରତିନିଧିମାନେ ୨୦୨୦ରେ ଲିଜ୍ ଅବଧି ଶେଷ ହେଉଥିବା ଖଣିଗୁଡ଼ିକର ଭାଗ୍ୟ ନେଇ ଚିନ୍ତା ପ୍ରକଟ କରିଥିଲେ । ଯଦି ଠିକ୍ ସମୟରେ ସେମାନଙ୍କୁ ଖଣି ନିମିଳିବ ତେବେ କଞ୍ଚାମାଲର ଘୋର ଅଭାବ ଦେଖାଦେବ ବୋଲି ଜଣାଇଥିଲେ । ଏ କ୍ଷେତ୍ରରେ ହସ୍ତକ୍ଷେପ କରି ଇସ୍ପାତ ଶିଳ୍ପକୁ ସାହାଯ୍ୟ କରିବାକୁ ସେମାନେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଖଣି କାର୍ଯ୍ୟ ପାଇଁ ଆଗୁଆ ମଞ୍ଜୁରି ହାସଲ କରିବା, ନିଲାମ ହେବାକୁ ଥିବା ଖଣିଗୁଡ଼ିକର ତାଲିକା ଆଗୁଆ ଜାରି କରିବା ଭଳି କେତେକ ପ୍ରସ୍ତାବ ଶିଳ୍ପ ପ୍ରତିନିଧିମାନେ ସରକାରଙ୍କୁ ଦେଇଥିଲେ। କିନ୍ତୁ ସବୁ ପ୍ରସ୍ତାବକୁ ଖଣି ବିଭାଗର ପ୍ରମୁଖ ସଚିବ ଶ୍ରୀ ଶର୍ମା ରୋକ୍ଠୋକ୍ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ସେ ଜଣାଇ ଦେଇଥିଲେ, ଶିଳ୍ପ ସଂସ୍ଥାଗୁଡ଼ିକ ଭୁଲ ମଞ୍ଚରେ ନିଜର ଦାବି ଉପସ୍ଥାପନ କରୁଛନ୍ତି। ଖଣି ହେଉଛି କେନ୍ଦ୍ର ବ୍ୟାପାର। ରାଜ୍ୟ ସରକାରଙ୍କ ଏ କ୍ଷେତ୍ରରେ ବିଶେଷ କିଛି କରିବାର ନାହିଁ। ସେମାନେ କେନ୍ଦ୍ର ସରକାରଙ୍କ ପାଖରେ ଏହି ସବୁ ଦାବି ଉପସ୍ଥାପନ କରିପାରିବେ।

ଏହି ଅବସରରେ ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାଓ୍ଵାର ଲିମିଟେଡର କାର୍ଯ୍ୟନିର୍ବାହୀ ନିର୍ଦେଶକ ମନିଷ ଖରବନ୍ଦା, ମିଡଇଷ୍ଟ୍ ଇଣ୍ଟିଗ୍ରେଟେଡ୍ ଷ୍ଟିଲର ସଭାପତି ସଞ୍ଜୀବ ନନ୍ଦଓ୍ଵାନିଳ ଜେଏସଡବଲ୍ୟୁ ଷ୍ଟିଲ୍ର ଓଡ଼ିଶା ପ୍ରକଳ୍ପ ମୁଖ୍ୟ ଶଙ୍କର ପ୍ରତାପ ସିଂହ, ଟାଟା ଷ୍ଟିଲର ସିଆରଇ ମଣିକାନ୍ତ ନାୟକ, ଏଜ୍ମାର ସାଧାରଣ ସମ୍ପାଦକ ପ୍ରବୋଧ ମହାନ୍ତି ଏବଂ ଇମ୍ଫାର ବରିଷ୍ଠ ଉପସଭାପତି ସଞ୍ଜୀବ ଦାସ ଉପସ୍ଥିତ ଥିଲେ।