ଛାଡ଼ିନି ଶୀତ କିନ୍ତୁ ଆରମ୍ଭ ହୋଇଗଲାଣି ଗ୍ରୀଷ୍ମର ତାତି ! ୧୦ରୁ ଅଧିକ ସହରରେ ତାପମାତ୍ରା ଟପିଛି ୩୩ ଡିଗ୍ରି

45

କନକ ବ୍ୟୁରୋ : ଏପଟେ ଶୀତ ସଂପୂର୍ଣ୍ଣ ଛାଡ଼ିନି, ସେପଟେ ଆରମ୍ଭ ହୋଇଯାଇଛି ଗ୍ରୀଷ୍ମର ତାତି । ଗଲା ଦୁଇ ତିନି ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ହଠାତ୍‌ ବଢ଼ିଯାଇଛି ତାତି । ୧୦ରୁ ଅଧିକ ସହରରେ ଗତକାଲି ଦିନର ତାପମାତ୍ରା ୩୩ ଡିଗ୍ରି ଟପି ଯାଇଥିବା ବେଳେ ତତଲାଗଡ଼ ଭାବେ ପରିଚିତ ଟିଟିଲାଗଡ଼ରେ ପାରଦ ୩୪ ଡିଗ୍ରିରେ ପହଞ୍ଚିଛି । ସେଠାରେ ଚଳିତ ବର୍ଷର ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି ।

winter 2କନ୍ଧମାଳ, ସୁନ୍ଦରଗଡ଼ ଆଦି ଆଭ୍ୟନ୍ତରୀଣ ଅଞ୍ଚଳରୁ କିନ୍ତୁ ଶୀତ ସଂପୂର୍ଣ୍ଣ ଯାଇନି । ଫୁଲବାଣୀରେ ଏବେ ବି ସର୍ବନିମ୍ନ ତାପମାତ୍ରା ୫.୫ ଡିଗ୍ରିରେ ରହିଥିବା ବେଳେ ସୁନ୍ଦରଗଡ଼ରେ ୮.୫ ଡିଗ୍ରି ରେକର୍ଡ କରାଯାଇଛି । ଏସବୁ ସ୍ଥାନ ସମେତ କେନ୍ଦୁଝର ଓ ପାରାଦୀପଗଡ଼ ଆଦି ଅଞ୍ଚଳରେ ଦିନର ତାପମାତ୍ରା ୨୫ରୁ ୩୦ ଡିଗ୍ରି ମଧ୍ୟରେ ରହିଛି । ଉପକୂଳ ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ କିନ୍ତୁ ତାତି ବଢ଼ିଛି । ପୂର୍ବାହ୍ନ ୧୦ଟା ଠାରୁ ଖରାର ପ୍ରକୋପ ବଢ଼ିଯାଉଥିବା ଦେଖିବାକୁ ମିଳିଛି । ୨୪ ଘଣ୍ଟା ମଧ୍ୟରେ ଅଧିକାଂଶ ସହରର ତାପମାତ୍ରା ୨ରୁ ୩ ଡିଗ୍ରି ବୃଦ୍ଧି ପାଇଛି । ପାଣିପାଗ ବିଜ୍ଞାନୀଙ୍କ ମତରେ ଏଭଳି ସ୍ଥିତି ଆଉ ଦୁଇ ଦିନ ଜାରି ରହିବ ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଥଣ୍ଡା ବଢ଼ିବା ନେଇ କୌଣସି ସୂଚନା ନାହିଁ । ତାତି ବଢ଼ିପାରେ । କିନ୍ତୁ ଉପକୂଳ ଓଡ଼ିଶାରେ ଘନ କୁହୁଡ଼ି ଲାଗି ରହିବ । କେତେକ ସ୍ଥାନରେ ଗାଡ଼ି ଚାଳକଙ୍କୁ ୨୦୦ ମିଟର ପରେ ରାସ୍ତା ଦୃଶ୍ୟମାନ ହେବ ନାହିଁ । ଏଥିପ୍ରତି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।