ଜିଏସଟି ପରିସରଭୁକ୍ତ ହେବ ପ୍ରାକୃତିକ ଗ୍ୟାସ୍ !

20

କନକ ବ୍ୟୁରୋ : ଗତ ପ୍ରାୟ ୬ ମାସ ତଳେ ଦେଶରେ ଲାଗୁ କରାଯାଇଥିବା ଏକକ ଟିକସ ବ୍ୟବସ୍ଥା ଜିଏସଟି( ସାମଗ୍ରୀ ଓ ସେବା ଟିକସ) ପରିସରକୁ ସରକାର ସମ୍ପ୍ରସାରଣ କରିବା ସମ୍ଭାବନା ରହିଛି । ଆସନ୍ତା କିଛି ମାସ ମଧ୍ୟରେ ଜିଏସଟି ପରିସରରେ ପ୍ରାକୃତିକ ଗ୍ୟାସକୁ ସାମିଲ କରାଯାଇପାରେ । ଯଦିଓ ଜିଏସଟି ପରିସରରେ ଅଧିକାଂଶ ସାମଗ୍ରୀ ରଖାଯାଇଛି ତଥାପି ଅଶୋଧିତ ତୈଳ, ବିମାନ ଇନ୍ଧନ ବା ଏଟିଏଫ୍, ପ୍ରାକୃତିକ ଗ୍ୟାସ୍, ପେଟ୍ରୋଲ ଏବଂ ଡିଜେଲ ଆଦିକୁ ଏହାର ପରିସର ବାହାରେ ରଖାଯାଇଛି । ଅର୍ଥାତ ଏସବୁ ସାମଗ୍ରୀ ଉପରେ ପୂର୍ବଭଳି କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଓ ଭାଟ୍ ଆଦାୟ ହେଉଛି । ତେବେ ୨୦୧୮ରେ ଏଥିରେ ପରିବର୍ତନ ଆସିପାରେ ।

ଅତିକମରେ ପ୍ରାକୃତିକ ଗ୍ୟାସରେ ପରିବର୍ତନ କରାଯାଇପାରେ । କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରାଳୟ ଅଧୀନ ରାଜସ୍ୱ ବିଭାଗର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି । ତାଙ୍କ ମତରେ ଉପରୋକ୍ତ ୫ଟି ଯାକ ପେଟ୍ରୋଲିୟମ ତ୍ତତ୍ପାଦ ମଧ୍ୟରୁ ପ୍ରାକୃତିକ ଗ୍ୟାସକୁ ଜିଏସଟି ପରିସରକୁ ଆଣିବା ଅପେକ୍ଷାକୃତ ସହଜ। ସେ ଏହା ମଧ୍ୟ କହିଛନ୍ତି କୋଇଲା ଉପରେ ଏବେ ୫ ପ୍ରତିଶତ ଜିଏସଟି ଲାଗୁ କରାଯାଉଛି । ତେଣୁ ପ୍ରାକୃତିକ ଗ୍ୟାସ ଉପରେ ମଧ୍ୟରେ ୫ ପ୍ରତିଶତ ଜିଏସଟି ଲାଗୁ କରାଯାଇପାରେ । ଏହାହେଲେ ରାଜ୍ୟଗୁଡ଼ିକ ସଏନଜି ଦର ସହିତ ପାଇପ ଯୋଗେ ରୋଷେଇ ଘରକୁ ଯୋଗାଇ ଦିଆଯାଉଥିବା ରନ୍ଧନ ଗ୍ୟାସ୍ର ଦର କମାଇ ପାରିବେ । ଆସନ୍ତା ଜାନୁଆରିରେ ହେବାକୁ ଥିବା ଜିଏସଟି ପରିଷଦର ବୈଠକରେ କେନ୍ଦ୍ର ସରକାର ପ୍ରାକୃତିକ ଗ୍ୟାସକୁ ଜିଏସଟି ପରିସରକୁ ଆଣିବା ପାଇଁ ପ୍ରଚେଷ୍ଟା କରିପାରନ୍ତି । ତେବେ ଜିଏସଟି ପରିସରକୁ ନିକଟ ଭବିଷ୍ୟତରେ ରିଅଲ ଇଷ୍ଟେଟକୁ ଅଣାଯିବା ସମ୍ଭାବନା କମ୍ ରହିଛି।