ମାଲକାନଗିରି ବିଛିନ୍ନାଂଚଳରେ ମାଓ ଶିବିର ଠାବ ! ଆନ୍ଧ୍ର ଗ୍ରେହାଉଣ୍ଡ-ଓଡିଶା ଏସଓଜିଙ୍କ ମିଳିତ ଅପରେସନ୍,ବିପୁଳ ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ
କନକ ବ୍ୟୁରୋ : ମାଲକାନଗିରି ବିଛିନ୍ନାଂଚଳରେ ମାଓ ଶିବିର ଠାବ । ଟିକରାପଦର ଗାଁ ନିକଟସ୍ଥ ଜଙ୍ଗଲରେ ମାଓ ଶିବିର ଠାବ ହୋଇଛି । ଏ ସଂପର୍କରେ ସୂଚନା ଦେଇଛନ୍ତି ମାଲକାନଗିରି ଏସପି ଜଗମୋହନ ମୀନା । ମାଓ ଶିବିର ଠାବ ପରେ ଆନ୍ଧ୍ର ଗ୍ରେହାଉଣ୍ଡ ଓ ଓଡିଶା ଏସଓଜି ମିଳିତ ଅପରେସନ୍ କରିଥିଲେ । ଘଟଣାସ୍ଥଳରୁ ବିପୁଳ ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ ହୋଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ଆନ୍ଧ୍ର ସୀମାନ୍ତକୁ ଲାଗିଥିବା ଯୋଡାମ୍ବ ପଞ୍ଚାୟତର ଟିକରପାଡ ନିକଟସ୍ଥ ଘଞ୍ଚ ଜଂଗଲ ଅଂଚଳରେ ମାଓବାଦୀମାନେ କ୍ୟାମ୍ପ କରିଥିବା ସଂପର୍କରେ ଗତକାଲି ପୁଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ଏହାକୁ ଆଧାର କରି ଆନ୍ଧ୍ର ଗ୍ରେହାଉଣ୍ଡ, ଓଡ଼ିଶାର ଏସଓଜି ଯବାନଙ୍କ ପକ୍ଷରୁ ଆଜି ମିଳିତ କମ୍ବିଂ ଅପରେସନ୍ ଆରମ୍ଭ ହୋଇଥିଲା । ଯବାନମାନେ ମାଓ କ୍ୟାମ୍ପର ନିକଟତର ହେବା ଦେଖି ମାଓବାଦୀଙ୍କ ପକ୍ଷରୁ ଗୁଳି ମାଡ଼ ହୋଇଥିଲା । ଏହାର ପାଲଟା ଜବାବ ଦେଇଥିଲେ ଯବାନ । ପ୍ରାୟ ୧ ଘଣ୍ଟା ଧରି ଗୁଳି ବିନିମୟ ପରେ ନକ୍ସଲ ସେହି ସ୍ଥାନ ଛାଡ଼ି ଚାଲି ଯାଇଥିଲେ । ସର୍ଚ ଅପରେସନ୍ ବେଳେ ଟିଫିନ୍ ବୋମା, କିଟ୍ ବ୍ୟାଗ, ସିଙ୍ଗଲ ବ୍ୟାରେଲ୍ ବନ୍ଧୁକ, ୩୦୩ ବନ୍ଧୁକ ଏବଂ ଏକେ-୪୭ର ଗୁଳି, ବିଦ୍ୟୁତ ତାର, ନକ୍ସଲ ପୋଷାକ, ୯ଏମ୍ଏମ୍ ଗୁଳି ଏବଂ ମାଗଜିନ୍, ଡିଟୋନେଟର, ବିସ୍ଫୋରକ ଏବଂ ଦୈନନ୍ଦିନ ସାମଗ୍ରୀ ଜବତ ହୋଇଥିବା ମାଲକାନଗିରି ଏସପି ଜଗମୋହନ ମୀନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଗତ ୨୦୧୬ ମସିହା ଅକ୍ଟୋବର ୨୪ ତାରିଖ ଦିନ ଆନ୍ଧ୍ର ଗ୍ରେହାଉଣ୍ଡ ଏବଂ ମାଲକାନଗିରି ପୋଲିସର ମିଳିତ ଅପରେସନ୍ରେ ରାମାଗୁଡା ଜଂଗଲରେ ୩୦ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିଲା । ଏହି ସମୟରେ ମଧ୍ୟ ମାଓନେତା ଆରକେ ଖସିଯିବାରେ ସକ୍ଷମ ହୋଇଥିବା ବେଳେ ତାଙ୍କ ପୁଅ ମୁନ୍ନା କିନ୍ତୁ ଟଳି ପଡ଼ିଥିଲେ । ଏହି ଘଟଣାର ପ୍ରାୟ ଦେଢ଼ବର୍ଷ ପରେ ବିଛିନ୍ନାଞ୍ଚଳରେ ପୁଣି ପୁଲିସ- ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଏଥର ମଧ୍ୟ ଆରକେ ପୁଲିସ ହାତରୁ ଖସି ପଳାଇବାରେ ସକ୍ଷମ ହୋଇଥିବା କୁହାଯାଉଛି । ଏଠାରେ ନକ୍ସଲ କୌଣସି ବଡ଼ଧରଣର ଅଘଟଣ ଘଟାଇବା ପାଇଁ ଏକାଠି ହୋଇଥିଲେ ବୋଲି ଅନୁମାନ କରାଯାଉଛି ।