ପାଖେଇ ଆସୁଛି ଉପ-ନିର୍ବାଚନ, ବିଜେପୁରରେ ଜମୁଛି ପ୍ରଚାର ! ବିଜେପି ପାଇଁ ଆଜି ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାର

24

କନକ ବ୍ୟୁରୋ : ବିଜେପୁର ନିର୍ବାଚନ ପାଖେଇ ଆସୁଥିବା ବେଳେ ଜାରି ରହିଛି ପ୍ରଚାର ଲଢେଇ । ଆଜି ବିଜେପୁର ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାର । ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ପାଇଁ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଗଙ୍ଗୱାର । ଗତକାଲି ବିଜେପି ପାଇଁ ପ୍ରଚାର କରିଛନ୍ତି ଜୟନାରାୟଣ ମିଶ୍ର ଓ ଲେଖାଶ୍ରୀ ସାମନ୍ତସିଂହାର । ରବିବାର ଠାରୁ ସିନେଷ୍ଟାରଙ୍କୁ ପ୍ରଚାର ମୈଦାନକୁ ଓହ୍ଲାଇଛି ବିଜେଡି । ଅଭିନେତା ଆକାଶ ଦାସନାୟକ ଓ ଅନୁଭବ ମହାନ୍ତି, ରୀତା ସାହୁଙ୍କ ପାଇଁ ପ୍ରଚାର କରିଛନ୍ତି । ସେପଟେ କଂଗ୍ରେସ ଦଳର ପ୍ରଚାର ମଙ୍ଗ ଧରିଛନ୍ତି ନିଜେ ପ୍ରାର୍ଥୀ ପ୍ରଣୟ ସାହୁ ।

ବିଜେପୁର ଉପନିର୍ବାଚନ ପ୍ରଚାର ଧୀରେ ଧୀରେ ଜମିଲାଣି । ବିଭିନ୍ନ ରାଜନୈତିକ ଦଳ ଏବେ କଡ଼ା ଟକ୍କର ଦେବା ପାଇଁ ମଇଦାନରେ ସଂଘର୍ଷ ଚଳାଇଛନ୍ତି । ବିଜେଡିର ଶହେ ସରିକି ନେତା ଡେରା ପକାଇଛନ୍ତି। ବିକାଶ ହେଉଛି ଦଳର ପ୍ରସଙ୍ଗ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ଚେହେରା । ସେହିପରି ବିଜେପି, ସ୍ଥାନୀୟ ବିଜେପି ନେତାଙ୍କ ବ୍ୟତୀତ ଛତିଶଗଡ଼ର ବିଧାୟକ ଓ ନେତାଙ୍କୁ ଭରସା କରି ଦଳ ପ୍ରଚାରକୁ ଆଗକୁ ନେଉଛି । ସେପଟେ କଂଗ୍ରେସ ପଛରେ ପଡିଥିବା ଭଳି ମନେ ହେଉଥିଲେ ହେଁ ଅସଲରେ ପ୍ରାର୍ଥୀଙ୍କ ସପକ୍ଷରେ ଅନ୍ତଃସ୍ୱର କିନ୍ତୁ ଧୀରେ ଧୀରେ ତୀବ୍ର ହେବାରେ ଲାଗିଲାଣି । ଅର୍ଥାତ୍ ବିଜେଡି, କଂଗ୍ରେସ ଓ ବିଜେପି ତିନି ଦଳ ମଧ୍ୟରେ ଏହି ଉପନିର୍ବାଚନରେ କଡ଼ା ଟକ୍କର ହେବ, ଏକଥା ସ୍ପଷ୍ଟ ଜଣାପଡୁଛି । ତେବେ ଏହି ଲଢେଇରେ ଅବତୀର୍ଣ୍ଣ ହୋଇଥିବା କିଛି ସ୍ୱାଧୀନ ପ୍ରାର୍ଥୀ, ବିଭିନ୍ନ ଦଳରେ ଉଭା ହୋଇଥିବା କିଛି ବିଦ୍ରୋହୀ ନେତାଙ୍କ ଭୂମିକା ଶେଷ ମୁହୂର୍ତ୍ତରେ ଉପନିର୍ବାଚନକୁ ନିର୍ଣ୍ଣାୟକ ଦିଗକୁ ଟାଣିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଓ ନିର୍ବାଚନମଣ୍ଡଳୀର ପାଣିପାଗକୁ ନିରେଖି ଦେଖିବା ପରେ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଯେଉଁ ଅନୁମାନ ଲଗାଉଛନ୍ତି, ତାହା ହେଉଛି କୁଲତା ସଂପ୍ରଦାୟ ଓ ବିଜେପୁରବାସୀଙ୍କ ଭୋଟ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଧାରଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ବିଜେପୁରରୁ ଯେଉଁ ଦଳ ଯେତେ ଅଧିକ ଭୋଟ ହାତେଇବେ, ନିର୍ବାଚନର ଫଳାଫଳକୁ ସେ ସେତିକି ସହଜରେ ନିଜ ଆଡକୁ ଟାଣିନେବାରେ ସଫଳ ହେବେ । ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା ସ୍ତରକୁ ଆସିବାକୁ ହେଲେ କୁଲତା ଭୋଟ ଏ ଦିଗରେ ଦିଶା ନିର୍ଣ୍ଣୟ କରିପାରେ । ମୂଳତଃ ବିକାଶକୁ ନେଇ ସବୁ ଦଳକୁଆଗକୁ ବଢୁଛନ୍ତି । ତେବେ ଭୋଟ କାହା ସପକ୍ଷରେ ଯିବ, ଏହା ଏବେ ବି ଅସ୍ପଷ୍ଟ ରହିଛି ।