ମେସିନ୍ କରୁଛି କାମ, ଶୋଷଣର ଶିକାର ଶ୍ରମିକ ହେଉଛନ୍ତି : ସରକାରୀ ନିୟମର ଖୋଲାଖୋଲି ଉଲଙ୍ଘନ

30

କନକ ବ୍ୟୁରୋ :  ମନରେଗାରେ ମେସିନ୍ କରୁଛି କାମ ଆଉ ଶ୍ରମିକ ହେଉଛନ୍ତି ଶୋଷଣ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ସହଦେବ ଟିକରପଡା ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହେଉଛି ବାଲିପାଟ ଓ ପୋଡାଖାଲ ଗ୍ରାମ । ଏହି ଗ୍ରାମରେ ମନରେଗା ଅନୁଦାନରେ ହେଉଥିବା କାର୍ଯ୍ୟ ଶ୍ରମିକଙ୍କ ବଦଳରେ ମେସିନ୍ ଜରିଆରେ ହେଉଛି । ଯାହାକୁ ବିରୋଧ କରିଛନ୍ତି ବାଲିପାଟ ଗାଁଲୋକ ।

ଏହାକୁ ନେଇ କାର୍ଯ୍ୟସ୍ଥଳରେ ହୋହଲ୍ଲା କରିବା ସହ ବିଭାଗୀୟ ଅଧିକାରୀଙ୍କୁ ଫୋନ୍ ଯୋଗେ ଜଣାଇଥିଲେ ଗ୍ରାମବାସୀ । ତାପରେ ମେସିନ୍ ହଟିଛି ଏବଂ କାର୍ଯ୍ୟ ବନ୍ଦ ରହିଛି । ତେବେ ଗାଁରେ ଏବେ ବି ଉତ୍ତେଜନା ଜାରି ରହିଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ଦିଗପହଣ୍ଡି ବ୍ଳକର ବାଲିପାଟ ଓ ପୋଡାଖାଲ ଗ୍ରାମରେ ବିଲ ହିଡ ଟେକା କାର୍ଯ୍ୟ ପାଇଁ ଅନୁମୋଦନ ମିଳିିଥିଲା ।

ଏହି କାର୍ଯ୍ୟ ମନରେଗା ଅଧିନରେ ହେଉଛି । ତେଣୁ ଗାଁର ଶ୍ରମିକମାନେ ସେମାନଙ୍କ ଜବ୍ ବାର୍ଡ ଦାଖଲ କରିଥିଲେ । କିନ୍ତୁ ଶ୍ରମିକମାନଙ୍କ ବଦଳରେ ମେସିନରେ କାର୍ଯ୍ୟ କରିଥିଲେ କର୍ତ୍ତୃପକ୍ଷ । ଏହାକୁ ବିରୋଧ କରିଥିଲେ ଶ୍ରମିକ ଓ ଗ୍ରାମବାସୀ । ଶ୍ରମିକମାନେ ଘଟଣା ସମ୍ପର୍କରେ ବିଡିଓଙ୍କୁ ଜଣାଇଛନ୍ତି ।

ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଶ୍ରମିକ ମାନଙ୍କୁ ସେମାନଙ୍କର ଶ୍ରମ ଦିବସ ଫେରାଇବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବୀ ହୋଇଛିି । ମନରେଗାରେ ମେସିନ୍ ଦ୍ୱାରା କାମ ଚାଲିଥିବାରୁ ଶ୍ରମିକଙ୍କ ପେଟରେ ଲାତ ମରାଯାଉଥିବା ଅଭିଯୋଗ ହୋଇଛି । ଏଥିପ୍ରତି ଜିଲ୍ଲାପ୍ରଶାସନ ଦୃଷ୍ଟିଦେଇ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହେଉଛି ।