ମାଲକାନଗିରି ଜିଲ୍ଲାରେ ହେଉଛି ଖୋଲାଖୋଲି ଗଞ୍ଜେଇ ଚାଷ ! ପୋଲିସ ପ୍ରୋତ୍ସାହନ ଦେଉଛି ବୋଲି ଅଭିଯୋଗ କଲେ ନକ୍ସଲ

178

କନକ ବ୍ୟୁରୋ : ଗତ କିଛି ଦିନ ହେଲା ମାଲକାନଗିରି ଜିଲ୍ଲା ଚତ୍ରକୋଣ୍ଡାରେ ପୂର୍ବ ଅପେକ୍ଷା ଅଧିକ ସକ୍ରିୟ ହୋଇଛନ୍ତି ନକ୍ସଲ । ବାରମ୍ବାର ନିଜ ଉପସ୍ଥିତି ଜାହିର କରିବାକୁ କିଛି ନା’ କିଛି କରୁଛନ୍ତି । ଏହିକ୍ରମରେ ଚିତ୍ରକୋଣ୍ଡା ବ୍ଲକର ଦୋରାଗୁଡା ଏବଂ ନୁଆଗୁଡା ପଞ୍ଚାୟତର ବିଭିନ୍ନ ଗ୍ରାମରେ ବହୁ ପୋଷ୍ଟର ମାରିଛନ୍ତି । ସେଥିରେ ଚାଷୀ ଧାନ, ସୁଆଁ, ମାଣ୍ଡିଆ ଚାଷ ବଦଳରେ ଗଞ୍ଜେଇ ଚାଷ କରୁଛନ୍ତି । ଏଥିପାଇଁ ପୁଲିସ ହିଁ ସେମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦେଉଥିବା ଉଲ୍ଲେଖ ହୋଇଛି। ତେଣୁ ତୁରନ୍ତ ଗଞ୍ଜେଇ ଚାଷ ବନ୍ଦ କରିବାକୁ ଦାବି କରିଛନ୍ତି । ଗଞ୍ଜେଇ ମାଫିଆଙ୍କ ଠାରୁ ସ୍ଥାନୀୟ ପୁଲିସ ୧ ଲକ୍ଷ ଟଂକା, ମୁଖ୍ୟାଳୟ ପୁଲିସ ୩ ଲକ୍ଷ ଟଂକା ଏବଂ ଅବକାରୀ ବିଭାଗ ୫ ଲକ୍ଷ ଟଂକା ଚାନ୍ଦା ରୂପେ ନେଉଥିବା ଅଭିଯୋଗ କରିଛନ୍ତି । ପୁଲିସ ଗଞ୍ଜେଇ ଚାଷକୁ ଦେଉଥିବା ପ୍ରୋତ୍ସାହନ ବନ୍ଦ କରନ୍ତୁ ଏବଂ ଏହାକୁ ବିରୋଧ କରିବା ପାଇଁ ଦାବି କରିଛନ୍ତି ।

ମାଲକାନଗିରିରେ ଗଞ୍ଜେଇ ଚାଷକୁ କିଏ ପ୍ରୋତ୍ସାହନ ଦେଉଛି, ଏହାକୁ ନେଇ ବିବାଦ ଲାଗି ରହିଥିବା ବେଳେ ପୁଲିସ ଏବଂ ନକ୍ସଲ ପରସ୍ପରକୁ ଦୋଷ ଦେଉଛନ୍ତି । ଯାହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ତେଣୁ ଏହି ଗଞ୍ଜେଇ ଚାଷ ପଛରେ କିଏ ରହିଛି ତାହାର ପର୍ଦାଫାସ ହେବା ଦରକାର ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ବର୍ତମାନ ମାଲକାନଗିରି ଗଂଜେଇର ପେଣ୍ଠସ୍ଥଳୀ ରୂପେ ଉଭା ହୋଇଛି । ଓଡ଼ଶା ସମେତ ଭାରତର ପ୍ରାୟ ସବୁ ରାଜ୍ୟରୁ ବେପାରୀ ମାଲକାନଗିରି ଆସି ଗଂଜେଇ ନେଉଛନ୍ତି । ବିଦେଶକୁ ମଧ୍ୟ ଚେର ଲମ୍ବିଥିବା କୁହାଯାଉଛି। ରାତାରାତି ଧନୀ ହେବାର ଲାଳସାରେ ବହୁ ଯୁବକ, ଯୁବତୀ ବିପଥାଗାମୀ ହେଉଛନ୍ତି । ତେଣୁ ଜିଲ୍ଲାରେ ଗଂଜେଇ ଚାଷ କେବେ ବନ୍ଦ ହେଉଛି ଦେଖିବାକୁ ବାକି ରହିଲା ।