ଜୋର ଧରୁଛି ପ୍ରଚାର : ପ୍ରଚାର ମୈଦାନରେ ହେଭିୱେଟ୍ । ବିପୁଳ ମାତ୍ରାରେ ଭୋଟ ଦେଇ ଜିତେଇବାକୁ ପ୍ରାର୍ଥୀଙ୍କ ନିବେଦନ 

123

କନକ ବ୍ୟୁରୋ : ବ୍ରହ୍ମପୁରରେ ବି ଆଜି ପ୍ରଚାର ଶେଷ ହେଉଛି ।  ଏଥିପାଇଁ  ପ୍ରଚାର ଜୋରଦାର ହୋଇଛି ।  କଂଗ୍ରେସର ଚନ୍ଦ୍ରଶେଖର ନାଇଡୁ, ବିଜେପିର ଭୃଗୁ ବକ୍ସିପାତ୍ର ଓ ବିଜେଡିର ଚନ୍ଦ୍ରଶେଖର ସାହୁଙ୍କ ମଧ୍ୟରେ ତ୍ରିମୁଖୀ ଲଢେଇ ହେଉଛି । ଆଜି ସବୁଦଳ ଭୋଟରଙ୍କୁ ନିଜ ସପକ୍ଷରେ କରିବାକୁ ଶେଷ ଉଦ୍ୟମ ଚଳାଇଛନ୍ତି ।  ସମ୍ବଲପୁରରେ ମଧ୍ୟ ଜୋର ଧରୁଛି ପ୍ରଚାର । ସମ୍ବଲପୁର ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ  ନଳିନୀ ପ୍ରଧାନଙ୍କୁ ପ୍ରଚାର ମୈଦାନରେ ଦେଖିବାକୁ ମିଳିଛି । ସେହିପରି ରେଢାଖୋଲ ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ରୋହିତ ପୂଜାରୀ ମଧ୍ୟ କ୍ୟାମ୍ପେନିଂ କରିଛନ୍ତି । ସମର୍ଥକଙ୍କ ପାଖକୁ ଯାଇ ଭୋଟ ଭିକ୍ଷା କରିଛନ୍ତି ।

ଚଳିତ ନିର୍ବାଚନରେ କୋରାପୁଟ ଲୋକସଭା ଆସନ ପାଇଁ ବେଶ ରୋଚକ ହୋଇଛି ଲଢ଼େଇ । ବିଜେଡି ମହିଳା କାର୍ଡ ଖେଳି ବର୍ତ୍ତମାନର ସାଂସଦ ଝିନ୍ ହିକକାଙ୍କ ପତ୍ନୀ କୋ÷ଶଲ୍ୟା ହିକକାଙ୍କୁ ଟିକେଟ୍ ଦେଇଛି । ସେହିପରି ବିଜେଡିର ପୁରୁଣା ମୁହଁ ଜୟରାମ ପାଙ୍ଗୀଙ୍କୁ ବିଜେପି ପ୍ରାର୍ଥୀ  କରି ଏହି ଲଢ଼େଇକୁ ଆହୁରି ତେଜିୟାନ କରିଛି । ନିଜ ଦମରେ ସେ କେତେ ଭୋଟ୍ ଛଡାଇ ନେବେ ଏବେ ତାହା ବଡ ପ୍ରସଙ୍ଗ ହୋଇଛି । ଅନ୍ୟପଟେ କଂଗ୍ରେସର ଗଡ କୁହାଯାଉଥିବା ଏହି ନିର୍ବାଚନ ମଣ୍ଡଳୀରେ ଯୁବ ନେତା ସପ୍ତଗିରି ଉଲାକାଙ୍କୁ ଟିକେଟ ଦେଇ ଯୁବ ଭୋଟରଙ୍କୁ ପ୍ରଭାବିତ କରିବାକୁ ଲକ୍ଷ୍ୟ ରଖିଛି ଦଳ । ବାରବାଟୀ କଟକରେ ବିଜେଡି ପକ୍ଷରୁ ପ୍ରଚାର ଜୋରଦାର କରାଯାଇଛି । ରାଜାବଗିଚା ବାସଭବନରେ ୨୮ ନମ୍ବର ୱାର୍ଡର ମହିଳା ମାନଙ୍କୁ ନେଇ ଏକ ସମ୍ମିଳନୀ କରାଯାଇଛି । ବିଜେଡି ବିଧାୟକ ପ୍ରାର୍ଥ ଦେବାଶିଷ ସାମନ୍ତରାୟ ମହିଳା ମାନଙ୍କୁ ସାଂଗରେ ନେଇ ପ୍ରଚାର ଆରମ୍ଭ କରିଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ଗୁଣୁପୁରରେ ପଡିବ ଭୋଟ୍ । ଆଜି ନିର୍ବାଚନୀ ପ୍ରଚାରର ଶେଷ ଦିନ । ୫ଟି ବ୍ଲକ ଗୋଟିଏ ମ୍ୟୁନିସିପାଲଟିକୁ ନେଇ ଗଠିତ ଏହି ନିର୍ବାଚନ ମଣ୍ଡଳୀରେ ଗମାଙ୍ଗ ପରିବାରର ନିକଟ ସଂପର୍କୀୟଙ୍କ ମଧ୍ୟରେ ଲଢେଇ ହେଉଛି । ବିଜେଡି ଟିକଟରୁ ରଘୁନାଥ ଗମାଙ୍ଗ ଫାଇଟ୍ କରୁଥିବା ବେଳେ କଂଗ୍ରେସ ଟିକଟରୁ ପୁରୁଷୋତ୍ତମ ଗମାଙ୍ଗ, ବିଜେପି ଟିକଟରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପୁଅ ଶିଶିର ଗମାଙ୍ଗ । ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢୁଛନ୍ତି ବିଜେଡି ବିଦ୍ରୋହୀ ପ୍ରାର୍ଥୀ ତ୍ରିନାଥ ଗମାଙ୍ଗ । ବିଜେଡି ଏଠି ହ୍ୟାଟ୍ରିକ ଲକ୍ଷ୍ୟରେ ଥିବାବେଳେ ଗଡ ସୁରକ୍ଷା ଚିନ୍ତାରେ କଂଗ୍ରେସ । ସବୁଠାରୁ ଦୁର୍ବଳ ସ୍ଥିତିରେ ଥିବା ବିଜେପି ପ୍ରାର୍ଥୀ ଶିଶିର ଗମାଙ୍ଗଙ୍କ ପାଇଁ ବାପା ଗିରିଧର ଗମାଙ୍ଗ ଜୋରସୋରରେ ପ୍ରଚାର କରୁଛନ୍ତି । ନବୀନ ସରକାରଙ୍କ ବିକାଶକୁ ଆଧାର କରି ଏଥିର ବାଜିମାତ୍ କରିବା ଲକ୍ଷ୍ୟରେ ଅଛନ୍ତି ବିଜେଡିର ନୂଆ ମୁହଁ  ରଘୁନାଥ ଗମାଙ୍ଗ । କଂଗ୍ରେସ ପ୍ରାର୍ଥୀ ପୁରୁଷୋତ୍ତମ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା ଏବଂ ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯୋଜନାକୁ ଆଧାର କରି ନିର୍ବାଚନ ବୈତରଣୀ ପାର ହେବା ପାଇଁ ଚେଷ୍ଟା ଚଳାଇଛନ୍ତି । ସେପଟେ ବିଜେପି ଶିଶିର ଗମାଙ୍ଗଙ୍କୁ ଟିକଟ ଦେବା ପରେ ଯଦିଓ ଗୁଣୁପୁର ବିଜେପି କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ତଥାପି ପୁଅ ପାଇଁ ଜୋରସୋରରେ ଲାଗିଛନ୍ତି ଗିରିଧର ଗମାଙ୍ଗ । ତେବେ ଗୁଣୁପୁରରେ ୩ ରାଜନୈତିକ ଦଳ ବିଜେଡି, କଂଗ୍ରେସ ଓ ବିଜେପିକୁ କଡା ଟକ୍କର ଦେବେ ବିଜେଡି କି ଟିକେଟ ନପାଇ ସ୍ୱାଧିନ ଭାବେ ଲଢୁଥିବା ତ୍ରିନାଥ ଗମାଙ୍ଗ ।