ପୁଣି ଆସିଲା ଦାମଙ୍କ ବିବାଦୀୟ ମନ୍ତବ୍ୟ ! କହିଲେ, ଭିକ ମାଗନ୍ତି ବ୍ରାହ୍ମଣ

49

କନକ ବ୍ୟୁରୋ : ବିବାଦୀୟ ମନ୍ତବ୍ୟ ଦେଇ ସବୁବେଳେ ଆଲୋଚନାର ଶୀର୍ଷକ ସାଜୁଥିବା ଦାମ ରାଉତ ଏବେ ଚର୍ଚ୍ଚାରେ । ପୁଣି ଆସିଲା ଦାମଙ୍କ ବିବାଦୀୟ ମନ୍ତବ୍ୟ । ଭିକ ମାଗନ୍ତି ବ୍ରାହ୍ମଣ । କୃଷିମନ୍ତ୍ରୀ ଡାକ୍ତର ଦାମୋଦର ରାଉତ କହିଛନ୍ତି, ଆଦିବାସୀ କେବେବି ଭିକ ମାଗନ୍ତି ନାହିଁ । ଝରଣା ପାଣି ପିଇ ବଂଚିଯିବେ ସିନା ଆଦିବାସୀ ଭିକ ମାଗିବେ ନାହିଁ । ହେଲେ ବ୍ରାହ୍ମଣ ହାତ ପତେଇ ସମସ୍ତଙ୍କୁ ଭିକ ମାଗନ୍ତି । ବସଷ୍ଟାଣ୍ଡରେ ବ୍ରାହ୍ମଣଙ୍କୁ ଏମିତି ହାତପତେଇ ଭିକ ମାଗୁଥିବାର ଦୃଶ୍ୟ ଦେଖିବାକୁ ମିଳେ ବୋଲି କହିଛନ୍ତି କୃଷିମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ।

ଘଟଣାଟି ଥିଲା ମାଲକାନଗିରିର ସାଂସ୍କୃତିକ ଗଣପର୍ବ ମାଲ୍ୟବନ୍ତ ମହୋତ୍ସବର । ଗତକାଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ କୃଷିମନ୍ତ୍ରୀ ଡାକ୍ତର ଦାମୋଦାର ରାଉତ । ଏବଂ ଆଦିବାସୀଙ୍କୁ ପ୍ରଶଂସା କରିବାକୁ ଯାଇ ବ୍ରାହ୍ମଣ ସମାଜ ବିରୋଧରେ ଏଭଳି କଟୁ ସମାଲୋଚନା କରିଥିଲେ । ଯାହା ଏବେ ଭାଇରାଲ୍ ବେଗରେ ଆଲୋଚନାର ବିଷୟ ପାଲଟିଛି । ଥରକୁ ଥର ବିବାଦୀୟ ମନ୍ତବ୍ୟ ଦେଇ ନିଜେ ବିବାଦୀୟ ବି ହୋଇପଡୁଛନ୍ତି ମନ୍ତ୍ରୀ ଦାମ ରାଉତ । ନିଜର ରୋକଠୋକ୍ କହିବାର ଶୈଳୀକୁ ନେଇ ଦାମ ସବୁବେଳେ ନିଜର ଦମ୍ ଦେଖାଇଚାଲିଛନ୍ତି ।