ରାଗିଗଲେ ଦୈତାରୀ ପଣ୍ଡା । ସାମ୍ବାଦିକଙ୍କୁ କଲେ ଦୁର୍ବ୍ୟବହାର । ଭାଇରାଲ ହେଲା ଭିଡିଓ

କୌଣସି ପ୍ରତିକ୍ରିୟା ଦେବାକୁ ସିଧା ସିଧା ମନା କରିଦେଇଥିଲେ

327

କନକ ବ୍ୟୁରୋ: ରାଗିଗଲେ ଦୈତାରୀ ପଣ୍ଡା । ସାମ୍ବାଦିକଙ୍କୁ କଲେ ଦୁର୍ବ୍ୟବହାର । ଯାତ୍ରା ଜଗତର ପ୍ରସିଦ୍ଧ ଖଳନାୟକ ଦୈତାରୀ ପଣ୍ଡା ଗଣମାଧ୍ୟମ ପ୍ରତିନିଧିଙ୍କୁ କଡା ଭାଷାରେ କଥା କହିଥିବାର ଦେଖିବାକୁ ମିଳିଛି । ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକଙ୍କ ଉପରେ ଦୈତାରି ପଣ୍ଡା ହଠାତ୍ ରାଗି ଯାଇଥିଲେ । ଆଉ କୌଣସି ପ୍ରତିକ୍ରିୟା ଦେବାକୁ ସିଧା ସିଧା ମନା କରିଦେଇଥିଲେ । ଦୈତାରିଙ୍କ ବିରୋଧରେ ଥାନାରେ ଅଭିଯୋଗ ଆଣିଛନ୍ତି ତାଙ୍କର ଦ୍ୱିତୀୟ ପତ୍ନୀ ବୋଲି ଦାବି କରୁଥିବା ଲତା ମଣ୍ଡଳ ।

ଲତାଙ୍କ ଅଭିଯୋଗ ଅନୁଯାୟୀ ଏକାଠି ନାଟକ କରୁଥିବା ବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା । ପ୍ରଥମରୁ ବିବାହିତ ଥିବା ସତ୍ୱେ ପୁରୀରେ ତାଙ୍କୁ ଦ୍ୱିତୀୟ ବିବାହ କରିଥିଲେ ଦୈତାରୀ ପଣ୍ଡା । ଦୈତାରୀ ଓ ଲତାଙ୍କର ଦୁଇଟି ସନ୍ତାନ ଜନ୍ମ ହୋଇଥିଲା । ବଡ଼ ସନ୍ତାନର ମୃତ୍ୟୁ ହୋଇଥିବା ବେଳେ ଦ୍ୱିତୀୟ ସନ୍ତାନ ଶମ୍ଭୁନାଥ ଯୁକ୍ତ ୩ ପାସ୍ କରି ଜାମୁଝାଡ଼ି ସ୍ଥିତ ବାସଭବନରେ ରହୁଛନ୍ତି ।

ତେବେ ଦଇତାରୀ ପଣ୍ଡା ଲତା ମଣ୍ଡଳ ଓ ତାଙ୍କ ପୁଅକୁ ଚିହ୍ନି ନଥିବା ଓ କିଛି ସଂପର୍କ ନଥିବା କହିବା ପରେ ଲତା ମଣ୍ଡଳ ଓ ତାଙ୍କ ପୁଅ ଶମ୍ଭୁନାଥ ଉଭୟ ଭଦ୍ରକ କୋର୍ଟରେ ଆଶ୍ରୟ ନେଇଥିବା ବେଳେ ପରେ ବାଲେଶ୍ୱରର ସିମୁଳିଆ ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ପୁଅକୁ ପିତୃତ୍ୱର ପରିଚୟ ଦେବା ସହ ଭରଣ ପୋଷଣ ପାଇଁ ଦାବି କରିବା ସହ ପିତୃତ୍ୱର ପରିଚୟ ଦାବି କରିଛନ୍ତି ଲତା ମଣ୍ଡଳ ।