ଆମେରିକାର ନିଦ ହଜାଇଛି କରୋନା! ୧୦ ହଜାର ଟପିଲା ମୃତ୍ୟୁ ସଂଖ୍ୟା, କୋଭିଡ୍-୧୯ର ପ୍ରତିଷେଧକ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି ଆମେରିକା ବୈଜ୍ଞାନିକ ଦଳ ।

847

କନକ ବ୍ୟୁରୋ: ଶକ୍ତିଶାଳୀ ରାଷ୍ଟ୍ର ଆମେରିକାକୁ ଘାରିଛି କରୋନାର ଭୟ । ଦିନକୁ ଦିନ ଏଠି ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଏହାସହ ମୃତ୍ୟୁ ସଂଖ୍ୟା ଦଶ ହଜାର ଟପି ସାରିଲାଣି । ଏଭଳି ସ୍ଥିତିରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ନିଦ ହଜି ଯାଇଛି । ଦେଶରେ କରୋନା ମୁକାବିଲା ପାଇଁ ସବୁ ସମ୍ଭବ ପ୍ରୟାସ କରୁଛି ଆମେରିକା । ବୈଜ୍ଞାନିକ ମାନେ ମଧ୍ୟ କରୋନା ଭୂତାଣୁ ପାଇଁ ପ୍ରତିଷେଧକ ପ୍ରସ୍ତୁତିରେ ଦିନ ରାତି ଲାଗିଛନ୍ତି ।

ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ କରୋନା ଭୂତାଣୁ ନେଇଛି ୧୦ହଜାରରୁ ଅଧିକ ଲୋକଙ୍କ ଜୀବନ । କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ନେଇ ସବୁଠୁ କଠିନ ସମୟ ଦେଇ ଗତି କରୁଛି ସୁପରପାୱାର ଆମେରିକା । ସାରା ବିଶ୍ୱରେ ଏହି ମହାମାରୀ ଭୂତାଣୁ ଦ୍ୱାରା ପ୍ରାୟ ୧୩ଲକ୍ଷ ଲୋକ ଆକ୍ରାନ୍ତ ହୋଇଥିବା ବେଳେ କେବଳ ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ରହିଛିି ୩ଲକ୍ଷ ୭୦ହଜାର ଉପରେ ରହିଛି ।

ଆମେରିକାରେ ପ୍ରଥମ ୫ହଜାର କରୋନା ଆକ୍ରନ୍ତଙ୍କ ମୃତ୍ୟୁ ଗୋଟିଏ ମାସରେ ହୋଇଥିଲା । କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବରେ ଦ୍ୱିତୀୟ ୫ହଜାର କରୋନା ମୃତ୍ୟୁ ମାତ୍ର ୫ଦିନରୁ କମ୍ ସମୟ ଭିତରେ ହୋଇଛି । କରୋନା ମୃତ୍ୟୁ ସଂଖ୍ୟା ଆମେରିକାରେ ଲଗାତର ଭାବେ ବଢିବାରେ ଲାଗିଛି । ଆମେରିକାରେ କରୋନା ଭୂତାଣୁର କେନ୍ଦ୍ର ବନିଛି ନ୍ୟୁୟର୍କ । ଏଠାରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ସବୁଠୁ ଅଧିକ ରହିଛି । ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର ସୂଚନା ଅନୁଯାୟୀ କେବଳ ସୋମବାର ଦିନ ୩୦ହଜାର ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି ।

କରୋନା ଭୂତାଣୁ ପାଇଁ କୌଣସି ଔଷଧ ବା ଟିକା ଏପର୍ଯ୍ୟନ୍ତ ବାହାରିନାହିଁ । ଆମେରିକାରେ କରୋନା ଭୂତାଣୁ ପାଇଁ ପ୍ରତିଷେଧକ ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି ବୈଜ୍ଞାନିକ । ଅପରପକ୍ଷରେ ଗତ ୨୪ଘଂଟାରେ ପ୍ରାୟ ୧୩ଶହ ଲୋକଙ୍କ ମୃତ୍ୟୁ ହୋଇଛି । ଚୀନର ଉହାନରୁ ଆରମ୍ଭ ହୋଇଥିବା ଭୟାବହ କରୋନା ଭୂତାଣୁ ସଂକ୍ରମଣ ଏବେ ସୋରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି । ଇଟାଲୀରେ ସବୁଠୁ ଅଧିକ ରହିଛି କରୋନା ମୃତକଙ୍କ ସଂଖ୍ୟା । ଏଠାରେ ମୃତକଙ୍କ ସଂଖ୍ୟା ୧୬ହଜାର ଟପିଛି । ତେବେ ଗତ ୨୪ଘଂଟାରେ ୬୩୫ଲୋକଙ୍କ ମୃତ୍ୟୁ ହୋଇଛି । ସେହିପରି ସ୍ପେନରେ ୧୩ହଜାର ୭୯୮ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଗତ ୨୪ଘଂଟାରେ ଜୀବନ ହାରିଛନ୍ତି ୬୯୪ଜଣ ।