ଲକଡାଉନରେ ରହୁ ମଣିଷ, ନରହୁ ‘ମଣିଷ ପଣିଆ’ । କାହିଁକି ଏମିତି କହିଲେ ସୁବ୍ରତ ବାଗଚୀ?

903

କନକ ବ୍ୟୁରୋ: ସାରାବିଶ୍ୱର ଚିନ୍ତା ବଢ଼ାଇଛି କରୋନା ଭୂତାଣୁ । ଆଉ ଏହି ମାରାତ୍ମକ ଭୂତାଣୁର ମୁକାବିଲା ପାଇଁ କବଚ ସାଜିଛନ୍ତି ଦ୍ୱିତୀୟ ଭଗବାନ ବୋଲାଉଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ । ତେବେ ସେମାନେ ନିଜ ଜୀବନକୁ ବାଜିରେ ଲଗାଇ କରୋନାକୁ ପରାଜିତ କରିବାକୁ ଦିନରାତି ଲାଗିପଡ଼ିଛନ୍ତି । ହେଲେ ଏହି ସମୟରେ ସେମାନଙ୍କୁ ଘୃଣା ଏବଂ ଭୟ ଦୃଷ୍ଟିରେ ନଦେ ମାନବିକତା ହରାନ୍ତୁନି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।

ସୁବ୍ରତଙ୍କ କହିବା ମୁତାବକ, ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ପ୍ରାଧିକରଣ ଅଧିନରେ ଗତବର୍ଷ ଏକ ଅରେଞ୍ଜ କ୍ରସ୍ ନାମକ ଏକ ସଂସ୍ଥାକୁ କ୍ରିଟିକାଲ କେୟାର ନର୍ସ ଟ୍ରେନିଂ ପାଇଁ ଦାୟିତ୍ୱ ଦିଆଯାଇଥିଲା । ଯେତେବେଳେ ଜଣେ ବୟସ୍କ ବ୍ୟକ୍ତି ଆଇସିୟୁରେ ଭର୍ତ୍ତୀ ହୁଅନ୍ତି ଏହାପରେ ଘରେ ତାଙ୍କର ସ୍ୱତନ୍ତ୍ର ଚିକିତ୍ସାସେବା ତତ୍ୱାବଧାନରେ କରିବାକୁ ଡାକ୍ତର ପରାମର୍ଶ ଦିଅନ୍ତି । ସେତିକିବେଳେ ଏହି ବୟସ୍କ ବ୍ୟକ୍ତିଙ୍କ ଚିକିତ୍ସା କରିବାକୁ ଅଲଗା ଏକ ଦକ୍ଷତାର ଆବଶ୍ୟକ ପଡ଼େ । ତାହାକୁ ପୂରଣ କରିବାକୁ ଅରେଞ୍ଜ କ୍ରସ ନର୍ସିଂ ତାଲିମ୍ ପାଇଥିବା ଯୁବକ ଯୁବତୀଙ୍କୁ ଘରୋଇ ଚିକିତ୍ସା କିଭଳି ଦିଆଯାଏ ତାହା ତାଲିମ୍ ଦିଅନ୍ତି ।

ତେବେ ଏହି ସଂସ୍ଥାର ଦୁଇ ଜଣ ନର୍ସ ସାରା ରାତି ସେବା ଯୋଗାଇବାରେ ସକାଳେ ଘରକୁ ଫେରିଲେ । ହେଲେ ସେହି ଦୁଇ ଜଣ ନର୍ସଙ୍କୁ ତାଙ୍କ ଘରଲୋକେ ଏବଂ ପଡ଼ୋଶୀ ସେମାନଙ୍କୁ ଘରେ ପୁରାଇଦେଲେନି ବରଂ ବାହାରିଯିବାକୁ କହିଲେ । ଏହାପରେ ଅରେଞ୍ଜକ୍ରସ୍ ର ଅଧିକାରୀମାନେ ଆସି ପୋଲିସଙ୍କ ସହାୟତାରେ ଦୁଇ ଜଣ ନର୍ସଙ୍କୁ ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତରିତ କରାଇଲେ । ସମସ୍ତଙ୍କୁ କରୋନା ଭୂତାଣୁର ଭୟ ଲାଗି ରହିଛି କିନ୍ତୁ ତାହାର ଅର୍ଥ ନୁହେଁ ଯେ, ରୋଗୀ ସେବାରେ ନିଯୁକ୍ତ ବ୍ୟକ୍ତିଙ୍କୁ ଘରୁ ବାହାର କରିଦେବା । ତେଣୁ ମଣିଷକୁ ଲକ ଡାଉନ୍ କରନ୍ତୁ ମାନବିକତାକୁ ନୁହେଁ । ଏଭଳି କ୍ଷେତ୍ରରେ ନିଜର ମଣିଷ ପଣିଆ ହରାନ୍ତୁ ନାହିଁ ବୋଲି ଅନୁରୋଧ କରିଛନ୍ତି ସୁବ୍ରତ ବାଗଚୀ ।