ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ ଦର୍ଶାଇ ସିଇଓଙ୍କ ପାଖରେ ଫେରାଦ ହେଲା ବିଜେଡ଼ି ! ୨୦୧୪ର ପ୍ରତିଶ୍ରୁତି ପାଳନ ହୋଇନି, ୨୦୧୯ ପାଇଁ ଅବାସ୍ତବ ପ୍ରତିଶ୍ରୁତି ଦେଉଛି ବିଜେପି

103

କନକ ବ୍ୟୁରୋ : ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେପି ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି ଶାସକ ଦଳ ବିଜେଡ଼ି । ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ ହେଉଥିବା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେଡ଼ି । ବିଜେପି ତାର ପୂର୍ବ ନିର୍ବାଚନ ପ୍ରତିଶ୍ରୁତି ରକ୍ଷା କରିପାରିନଥିବା ବେଳେ ଏବେ ଅବାସ୍ତବ ପ୍ରତିଶ୍ରୁତି ଦେଉଥିବା ଅଭିଯୋଗ ଆଣିଛି ବିଜେଡି । ବିଜେଡିର ପ୍ରତିନିଧିଦଳ ଏ ନେଇ ଆଜି ଖାରବେଳ ନଗର ଥାନାରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଛି । ଗତକାଲି ଜାରି ହୋଇଥିବା ନିର୍ବାଚନୀ ଇସ୍ତାହାର ଯେଉଁ ଗାଇଡ଼ ଲାଇନରେ ହେବା କଥା, ବିଜେପି ନିର୍ବାଚନୀ ବୈତରଣୀ ପାର ହେବାପାଇଁ ସବୁ ଧାରାକୁ ଉଲ୍ଲଂଘନ କରୁଛି । ଏଭଳି ପ୍ରତିଶ୍ରୁତି ନିର୍ବାଚନ ଆଚରଣବିଧିର ଉଲ୍ଲଂଘନ ହୋଇଥିବା ଦର୍ଶାଇ କାର୍ଯ୍ୟାନୁ୍ଷ୍ଠାନ ନେବାକୁ ଦାବି କରିଛି ବିଜେଡି ।

ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ୨୦୧୪ ନିର୍ବାଚନରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବ ବିଜେପି ପ୍ରତିଶ୍ରୁତି ଦେଇଥିଲା । କେନ୍ଦ୍ରରେ ସରକାର ଗଢ଼ିବା ପରେ ପ୍ରତିଶ୍ରୁତି କେବଳ ପାଣିର ଗାର ହୋଇଗଲା । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଯିବ ବୋଲି ୨୦୧୪ରେ କୁହାଯାଉଥିଲା । ତାହା କଲେ ନାହିଁ । ଅନ୍ୟପଟେ ୨୦୧୯ ପାଇଁ ପୁଣି ସେହି ପ୍ରତିଶୁତି ଦେଇ ଲୋକଙ୍କୁ ବୋକା ବନେଇବା ପାଇଁ ଚେଷ୍ଟା କରୁଛନ୍ତି । ବିଜେପି ଆଗାମୀ ୫ ବର୍ଷରେ ଜଳସେଚନ ପାଇଁ ୧ ଲକ୍ଷ କୋଟି ଟଙ୍କା ବ୍ୟୟ କରିବ ବୋଲି ଇସ୍ତାହାର ପତ୍ରରେ ଦର୍ଶାଇଛନ୍ତି । ଏତେ ଟଙ୍କା ବିଜେପି ଆଣିବ କେଉଁଠୁ । କେବଳ ଅବାସ୍ତବ ପ୍ରତିଶ୍ରୁତି ଦେଉଛି ବିଜେପି, ଯେଉଁଥିଲେ ତିଳେମାତ୍ର ସତ୍ୟତା ନାହିଁ ।

୧୫ଟି ବନ୍ଦରେ ୫ ବର୍ଷରେ ନିର୍ମାଣ କରିବା ପାଇଁ ପ୍ରତିଶ୍ରୁତି ଦେଇଛି ବିଜେପି । ୫ ବର୍ଷରେ ଭାରତରେ ୫ ଟା ବନ୍ଦର ନିର୍ମାଣ ହୋଇପାରିଲା ନାହିଁ । ଆଉ ଏବେ ରାଜ୍ୟରେ ୫ଟା ବନ୍ଦର ତିଆରି କରିବାର ପ୍ରତିଶ୍ରୁତି ଦେଇଛନ୍ତି । ଏହାଦ୍ୱାରା ଓଡ଼ିଶାର ଜନସାଧାରଣଙ୍କ ବିଭ୍ରାନ୍ତ କରିବା ପାଇଁ ଚେଷ୍ଟା କରୁଛନ୍ତି । ବିଜେପି ଜୁମଲାବାଜି କରୁଛି । ତେବେ ଏହାର ଜବାବ ଦେଇଛନ୍ତି ବିଜେପି ଉପସଭାପତି ସମୀର ମହାନ୍ତି । ସେ କହିଛନ୍ତି ବିଜେଡି ନିଜେ ପ୍ରତିିଶ୍ରୁତି ପୂରଣ କରିନପାରି ଅନ୍ୟ ଉପରକୁ ଚଦର ଫିଙ୍ଗୁଛି ।