ସୋନପୁରରୁ ଶାହାଙ୍କ ରଣହୁଙ୍କାର: ନବୀନ ସରକାରକୁ ଓପାଡି ଫିଙ୍ଗନ୍ତୁ, ଓଡିଶାରେ ବିଜେପିର ସରକାର କରନ୍ତୁ ।

488

କନକ ବ୍ୟୁରୋ: ସୋନପୁର ସମାବେଶରେ ପୁଣି ନିଜ ଚିରାଚରିତ ଡାଇଗଲ ମାରି ବିଜେଡି ଉପରେ ବର୍ଷିଲେ ଶାହା । ନବୀନ ସରକାରଙ୍କୁ ଓପାଡି ଫିଙ୍ଗି ଦେବାର ନାରା ପୁଣି ଦେଲେ ଅମିତ ଶାହା । ସୋନପୁରରୁ ରଣହୁଙ୍କାର ଦେଇ ବିଜେପିକୁ ମାତ୍ର ୫ ବର୍ଷ ଦେଇ ସରକାର କରିବା ପାଇଁ ଓଡିଶାବାସୀଙ୍କୁ ଅନୁରୋଧ କରିଛନ୍ତି ଅମିତ ଶାହା ।

ନିଜ ଭାଷଣରେ ଶାହା କହିଛନ୍ତି, ଓଡିଶାବାସୀ ସବୁ ଜାଣନ୍ତି- ଯେଉଁ ଘର ମିଳୁଛି ତାହା ମୋଦି ଦେଉଛନ୍ତି । ନବୀନ ସରକାର ନୁହେଁ ବରଂ କେନ୍ଦ୍ର ଦେଉଛି ୫ କିଲୋ ଚାଉଳ । କେନ୍ଦ୍ରର ଅନୁଦାନକୁ ରାଜ୍ୟ ଖର୍ଚ୍ଚ କରିପାରୁନି । ଆୟୁଷ୍ମାନ ଯୋଜନା ଏଠାରେ ଲାଗୁ ହେଉନି । ଓଡିଶାରେ ଖଣିଜ ସମ୍ପତ୍ତି ଥାଇ ବି ଏଠାକାର ଲୋକେ ଗରିବ । କିନ୍ତୁ ଯଦି ଆପଣ ବିଜେପିର ସରକାର କରି ଦେବେ ତେବେ ଆଦିବାସୀଙ୍କ ଉନ୍ନତି ଆମେ କରିବୁ । ଏଠାରେ ଆୟୁଷ୍ମାନ ଯୋଜନା ଲାଗୁ ହେବ । ଏଠାରେ କପା ମିଲ୍ ପ୍ରତିଷ୍ଠା ହେବ ।

ତେବେ ଜୟ ଜଗନ୍ନାଥ ଓ ଜୟ ଶ୍ରୀରାମ କହି ଭାଷଣ ଆରମ୍ଭ କରିଥିଲେ ଶାହା । ବିଜୟ ସଂକଳ୍ପ ସଭାରେ ଯୋଗ ଦେଇ ୪୦୦ ପାରର ନାରା ଦେଇଥିଲେ । କହିଲେ ମୁଁ ଯେଉଁଠି ଯେଉଁଠି ଯାଉଛି ସେଠି ମୋଦି ମୋଦି ନାରା ଶୁଭୁଛି… ଆଉ ଆଜି ବି ଓଡିଶା ମୋଦିମୟ ଲାଗୁଛି । ଭାଷଣ ଆରମ୍ଭରୁ ହିଁ ବିଜେଡି ସରକାରଙ୍କୁ ଟାର୍ଗେଟ୍ କରିବା ଆରମ୍ଭ କରି ଦେଇଥିଲେ ଶାହା । ରାଜ୍ୟରେ ଅଫିସରଙ୍କୁ ନେଇ ଭୟଙ୍କର ଭ୍ରଷ୍ଟାଚାର ଚାଲିଛି । ଓଡିଶାର ଲୋକେ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି । ସବୁକିଛି ଓଡିଶାରେ ଥାଇ ବି ରାଜ୍ୟ ସମୃଦ୍ଧିର ପଛରେ ପଡିଛି ବୋଲି ଶାରା ସିଧା ରାଜ୍ୟ ସରକାରଙ୍କୁ ନିଶାନା ଲଗାଇଛନ୍ତି ।