ପାଖଉଛି ବିଶ୍ୱକପ, ବଢୁଛି ଉତ୍କଣ୍ଠା ! ଆସନ୍ତା ୧୫ ତାରିଖରେ ହେବ ଭାରତୀୟ ଦଳ ଘୋଷଣା । 

316

କନକ ବ୍ୟୁରୋ : ୨୦୧୯ କ୍ରିକେଟ୍ ବିଶ୍ୱକପକୁ ନେଇ କ୍ରୀଡାପ୍ରେମୀଙ୍କ ମନରେ ରହିଛି ଅନେକ ଉତ୍କଣ୍ଠା । ଆଉ ଏହାରି ଭିତରେ ଆସିଛି ବଡ ଖବର । ଆସନ୍ତା ୧୫ ତାରିଖରେ ବିଶ୍ବକପ ପାଇଁ ଭାରତୀୟଦଳ ଘୋଷଣା ହେବ । ଏମଏସକେ ପ୍ରସାଦଙ୍କ ଅଧ୍ୟକ୍ଷତାରେ ଥିବା ଚୟନ କମିଟି ବିଶ୍ବକପ ପାଇଁ ୧୫ ଜଣିଆ ଦଳ ଚୟନ କରିବ ।  ଏ ସଂପର୍କରେ ଆଜି ବିସିସିଆଇର ପ୍ରଶାସନିକ କମିଟି (ସିଓଏ) ଘୋଷଣା କରିଛି । ଆଜି ବସିଥିବା ସିଓଏ ବୈଠକରେ ସିକେ ଖାନ୍ନା, ଅମିତାଭ ଚୌଧୁରୀ, ଅନିରୁଦ୍ଧ ଚୌଧୁରୀ ପ୍ରମୁଖ ଯୋଗ ଦେଇଥିଲେ ।

ଆଇସିସି ବିଶ୍ବକପ କ୍ରିକେଟ ଆସନ୍ତା ମେ ମାସ ୩୦ ତାରିଖରୁ ଆରମ୍ଭ ହେଉଥିବା ବେଳେ ଏପ୍ରିଲ ୨୩ ସୁଦ୍ଧା ସବୁ ଟିମଙ୍କୁ ନିଜର ୧୫ ଜଣିଆ ଦଳ ଘୋଷଣା କରିବାକୁ ଆଇସିସି କହିଛି । ଭାରତୀୟ ଚୟନ କମିଟି ଏବେ ଆଇପିଏଲରେ କେତେକ ଖେଳାଳୀଙ୍କ ପ୍ରଦର୍ଶନ ଉପରେ ନଜର ରଖିଛି । ବିଶେଷ କରି ୪ ନମ୍ବର ସ୍ଥାନରେ କିଏ ବ୍ୟାଟିଂ କରିବ ତାହା ଖୋଜା ଚାଲିଛି । ତେବେ ଜୁନ ୧୬ ତାରିଖରେ ମାଞ୍ଚେଷ୍ଟରଠାରେ ଖେଳା ଯିବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ ସଂପର୍କରେ କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି ବିସିସିଆଇ ସୁତ୍ରରୁ ଜଣାପଡିନାହିଁ । ଏସଂପର୍କରେ ବିସିସିଆଇ ଭାରତ ସରକାରଙ୍କ ଅନୁମତିକୁ ଅପେକ୍ଷା କରିବ ବୋଲି ଜଣାପଡିଛି ।