‘ତିତଲି’ ପାଇଁ ଜନ୍ମଦିନ ପାଳିବେନି ନବୀନ ! ସେପଟେ ଦୂର୍ଗାପୂଜା ପାଇଁ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ।

45

କନକ ବ୍ୟୁରୋ : ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । କିନ୍ତୁ ଆସନ୍ତାକାଲି ଜନ୍ମଦିନ ପାଳନ ନକରିବା ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ସଚ୍ଚିବାଳୟରେ ରାଜ୍ୟବାସୀଙ୍କୁ ପବିତ୍ର ଦୁର୍ଗାପୂଜାର ଅଭିନନ୍ଦନ ଜଣାଇବା ସହ ଚଳିତବର୍ଷ ନିଜ ଜନ୍ମଦିନକୁ ପାଳନ ନକରିବା ପାଇଁ ଘୋଷଣା କରିଛନ୍ତି ନବୀନ ।

ଗତ ୧୧ ତାରିଖରେ ଆସିଥିବା ଝଡ ‘ତିତଲି’ ଓଡିଶାରେ ବ୍ୟାପକ ପ୍ରଭାବ ପକାଇଛି । ତିତଲି ଚାଲିଗଲା ହେଲେ ଅନେକଙ୍କୁ ଦୁଃଖ ଦେଇଗଲା । ଏବେବି ଅନେକ ଗାଁ ଅଛି, ଯେଉଁଠି ଅଂଟାଏ ପାଣିରେ ଏବେ ବି ଲୋକ ରହିଛନ୍ତି । ଏମିତି ଅଂଚଳରେ ବାତ୍ୟା ପରର ସ୍ଥିତି ଅତ୍ୟନ୍ତ ଶୋଚନୀୟ ଅଟେ । ପ୍ରଥମେ ବାତ୍ୟା ପରେ ବର୍ଷା । ଆଉ ଲଗାଣ ବର୍ଷା ଏବେ ସୃଷ୍ଟି କରିଛି ଜଳବନ୍ଦୀର ସ୍ଥିତି । ଦକ୍ଷିଣ ଓଡ଼ିଶା ପରେ ଏବେ ଉତ୍ତର ଓଡ଼ିଶାକୁ ଘାରିଛି ବନ୍ୟା ଚିନ୍ତା ।

ରାଜ୍ୟରେ ଏବେ ଅନେକ ଲୋକ ପାଣି ଘେରରେ ରହିଥିବା ବେଳେ ଏଭଳି ସ୍ଥିତିରେ ନିଜ ଜନ୍ମଦିନ ପାଳନ ନକରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ତିତଲିର ପ୍ରଭାବ ରାଜ୍ୟରେ ଅନେକ ବିପର୍ଯ୍ୟୟ ସୃଷ୍ଟି କରିଥିବା ବେଳେ ଏହି ଦୁଃଖ ବେଳାରେ ନିଜ ଜନ୍ମଦିନ ପାଳନ କରିବା ଉଚିତ ମଣି ନାହାନ୍ତି ମୁଖ୍ୟମନ୍ତ୍ରୀ । ଆଜି ସଚ୍ଚିବାଳୟରେ ରାଜ୍ୟବାସୀଙ୍କୁ ଦୂର୍ଗାପୂଜାର ଅଭିନନ୍ଦନ ଜଣାଇବା ସହ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।