ଗ୍ୟାସ ଦର ବୃଦ୍ଧିକୁ ନେଇ ଚିନ୍ତାରେ ଉଜ୍ୱଳା ହିତାଧିକାରୀ । ଅଧିକ ଟଙ୍କା ଯୋଗୁଁ ରିଫିଲିଙ୍ଗ ହୋଇପାରୁ ନାହିଁ ଗ୍ୟାସ ସିଲିଣ୍ଡର, କାଠ ଚୁଲି ଜାଳି ରୋଷେଇ କରୁଛନ୍ତି ମହିଳା

61

କନକ ବ୍ୟୁରୋ : ଉଜ୍ୱଳା ଯୋଜନାର ସତ । ମହିଳା ମାନଙ୍କୁ ସବସିଡିରେ ଗ୍ୟାସ ସିଲିଣ୍ଡର ଓ ଚୁଲା ପ୍ରଦାନ କରି କେନ୍ଦ୍ର ସରକାର ବାହାବା ନେଉଥିବା ବେଳେ ପ୍ରକୃତରେ ଏହି ଯୋଜନା କେତେ ମାତ୍ରାରେ ସଫଳ ହୋଇଛି ତାହା ଏବେ ସାମ୍ନାକୁ ଆସିଛି । ଯୋଜନା ଘୋଷଣା ପୂର୍ବରୁ ଲୋକଙ୍କ ଅବସ୍ଥା ଯେମିତି ଥିଲା ଏହାପରେ ମଧ୍ୟ ସେମିତି ଅଛି । ଓଡିଶାର ଉପାନ୍ତ ଅଞ୍ଚଳ ନବରଙ୍ଗପୁରରେ ନାହିଁ ନାହିଁରେ କିପରି ଉଜ୍ୱଳା ଯୋଜନା ଚାଲିଛି ତାହାର ସ୍ଥିତି ପରଖିଛି କନକ ନ୍ୟୁଜ ଟିମ ।

ଗ୍ୟାସ ନୁହେଁ ଚୁଲି ଫୁଙ୍କି ଫୁଙ୍କି ରୋଷେଇ କରୁଛନ୍ତି ମହିଳା । ଆଉ ଗ୍ୟାସ ଚୁଲା ଓ ସିିଲିଣ୍ଡର ଘରର କୋଣରେ ଅଲୋଡା ହୋଇ ପଡି ରହିଛି । ଆଉ ଘର ଆଗରେ ସାଇତା ହୋଇ ରହିଛି ବାଉଁଶ କାଠି ଓ ଝାଟି । ଏଭଳି ଦୃଶ୍ୟ ନବରଙ୍ଗପୁରର ସାନଖଡକା ଗ୍ରାମରେ ଦେଖିବାକୁ ମିଳିଛି । ଆଦିବାସୀ ଅଧୁଷିତ ନବରଙ୍ଗପୁର ଜିଲ୍ଲାର ମହିଳାଙ୍କୁ କେନ୍ଦ୍ର ସରକାରଙ୍କ ଉଜ୍ୱଳା ଯୋଜନାରେ ସାମିଲ କରାଯାଇ ସବସିଡିରେ ଗ୍ୟାସ ସିଲିଣ୍ଡର ଓ ଚୁଲା ଦିଆଯାଇଥିଲା ସତ । ମହିଳା ମାନେ ଚୁଲି ଛାଡି ଗ୍ୟାସରେ ରୋଷେଇ କରିବା ଆରମ୍ଭ କରିଥିଲେ । କିନ୍ତୁ ସିଲିଣ୍ଡରରୁ ଗୋଟିଏ ଥର ଗ୍ୟାସ୍ ସରିଯିବା ପରେ ଉଜ୍ୱଳା ଯୋଜନା ଯେମିତି ଅଧ ବାଟରେ ଅଟକି ଯାଇଛି । ସିଲିଣ୍ଡରରୁ ଗ୍ୟାସ୍ ସରିଯିବା ପରେ ସତେ ଯେମିତି ଏମାନଙ୍କ ପାଇଁ ଅପହଞ୍ଚ ହୋଇ ଯାଇଛି ଉଜ୍ୱଳା ଯୋଜନା । ଆଉ ଏଭଳି ଚିତ୍ର ସାମ୍ନାକୁ ଆସିବା ପରେ ଉଜ୍ୱଳା ଯୋଜନା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଉଜ୍ୱଳା ଯୋଜନା ଅଧ ବାଟରେ ଅଟକିବା ପଛରେ ମଧ୍ୟ ବଡ କାରଣ ଲୁଚି ରହିଛି । ଉଜ୍ୱଳା ଯୋଜନାରେ ସବସିଡିରେ ଗ୍ୟାସ ଓ ସିଲିଣ୍ଡର ମିଳିଛି ସତ କିନ୍ତୁ ଥରେ ସିଲିଣ୍ଡରରୁ ଗ୍ୟାସ ସରିଯିବା ପରେ ଆଉଥରେ ଗ୍ୟାସ ରିଫିଲିଙ୍ଗ ବା ଭରିବା ଏହି ମହିଳା ମାନଙ୍କ ପକ୍ଷରେ ଆଉ ସମ୍ଭବପର ହେଉନାହିଁ । ଗ୍ୟାସ ସିଲିଣ୍ଡରର ଦର ଏତେ ବଢି ଯାଇଛି ଯେ, ସିଲିଣ୍ଡର ରିଫିଲିଙ୍ଗ କରିବାକୁ ୯୦୦ରୁ ୯୫୦ ଟଙ୍କା ଯାଏଁ ଖର୍ଚ୍ଚ ହେଉଛି । ଯଦି ଏକକାଳୀନ ଏତେ ଟଙ୍କା ଦେଇ ଗ୍ୟାସ ଭରିବୁ ତେବେ ଘର କେମିତି ଚଳିବ ବୋଲି ଏହି ଗରିବ ମହିଳା ମାନେ ପ୍ରଶ୍ନ କରିଛନ୍ତି । ତେଣୁ ପ୍ରଥମ ଥର ଭରାଯାଇଥିବା ଗ୍ୟାସ ସରିଯିବା ପରେ ଆଉ ରିଫିଲିଙ୍ଗ ନକରି ଏହାକୁ ଘରର କୌଣସି ଏକ କୋଣରେ ପକାଇଦେଉଛନ୍ତି ମହିଳା । ଆଉ ଗ୍ୟାସ ବଦଳରେ ପୂର୍ବ ଭଳି ଜଙ୍ଗଲରୁ କାଠ ଆଣି ରୋଷେଇ କରୁଛନ୍ତି ଏହି ଆଦିବାସୀ ମହିଳା ମାନେ । ତେବେ ଉଜ୍ୱଳା ଯୋଜନାକୁ ନେଇ ସରକାର ଏତେ ପ୍ରଚାର ପ୍ରସାର କରୁଥିଲେ ମଧ୍ୟ ପ୍ରକୃତରେ ଏହା କେତେ ସଫଳ ତାହା ଆଦିବାସୀ ମହିଳାଙ୍କ ଘର କୋଣରେ ସାଇତା ହୋଇଥିବା ଗ୍ୟାସ ସିଲିଣ୍ଡର ହିଁ ବୟାନ କରୁଛି ।