ଲ୍ୟାଣ୍ଡର ବିକ୍ରମକୁ ନେଇ ଆଜି ଆସିପାରେ ବଡ ଖବର । ବିକ୍ରମ ଉପରେ ଦେଇ ଉଡିବ ନାସାର ଲୁନାର ଅର୍ବିଟର, ଫଟୋ ସହ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବା ସମ୍ଭାବନା

1,068

କନକ ବ୍ୟୁରୋ : ଆଜି ବିକ୍ରମ ଲ୍ୟାଣ୍ଡର ଉପର ଦେଇ ଉଡିବ ନାସାର ଲୁନାର ଅର୍ବିଟର । ତେଣୁ ଚନ୍ଦ୍ର ପୃଷ୍ଠରୁ ବିକ୍ରମକୁ ନେଇ ଅଧିକ ତଥ୍ୟ ଆଜି ମିଳିବା ସମ୍ଭାବନା ରହିଛି । ବିଶେଷ କରି ନାସାର ଲୁନାର ଅର୍ବିଟର ଜରିଆରେ ବିକ୍ରମର ଫଟୋ ମିଳିବା ଆଶା କରାଯାଉଛି । ଚନ୍ଦ୍ରର ଚାରିପଟେ ଘୁରୁଥିବା ଆମେରିକାର ଏହି ଅର୍ବିଟର, ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିବା ବିକ୍ରମ ଲାଣ୍ଡରକୁ ଚିହ୍ନଟ କରିବା ଆଶା କରାଯାଉଛି । ଗତ ୭ ତାରିଖରେ ହାର୍ଡ ଲାଣ୍ଡିଂ ଯୋଗୁଁ ଏବେ ବିକ୍ରମର ସ୍ଥିତି କିପରି ଅଛି ସେନେଇ ନାସାର ଲୁନାର ଅର୍ବିଟର ବା ଏଲଆରଓ ସବିଶେଷ ତଥ୍ୟ ସଂଗ୍ରହ କରିବା ସହ ଫଟୋ ଉଠାଇବ । ତେଣୁ ବିକ୍ରମ ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମନାକୁ ଆସିବ ବୋଲି ଭାରତ ସମେତ ବିଶ୍ୱର ମହାକାଶ ବିଜ୍ଞାନୀମାନେ ଆଶା ରଖିଛନ୍ତି ।

source : google

ଆଉ ଯଦି ଭାଗ୍ୟ ସାଥ୍ ଦିଏ ତେବେ ଅଚଳ ହୋଇପଡିଥିବା ଲ୍ୟାଣ୍ଡର ବିକ୍ରମ ସମେତ ରୋଭର ପ୍ରଜ୍ଞାକୁ ମଧ୍ୟ କାର୍ଯ୍ୟକ୍ଷମ କରିପାରେ ଇସ୍ରୋ । ୨୦୦୯ରୁ ଚନ୍ଦ୍ରକୁ ପ୍ରଦକ୍ଷଣ କରୁଥିବା ନାସାର ଏହି ଅର୍ବିଟର, ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପଠାଇବା ସହ ଚନ୍ଦ୍ରପୃଷ୍ଠର ଅନେକ ରହସ୍ୟ ଖୋଲିଛି । ଏଥିରେ ଶକ୍ତିଶାଳୀ କ୍ୟାମେରା ରହିଛି । ଯେଉଁ କ୍ୟାମେରା ଜରିଆରେ ୧୯୬୯ ମସିହାରେ ଯାଇଥିବା ଆପୋଲୋ ମହାକାଶ ଯାନର ଅବତରଣ ସ୍ଥାନ ଓ ମହାକାଶଚାରୀଙ୍କ ପାଦ ଚିହ୍ନର ଫଟୋ ଉଠାଇ ପଠାଇଥିଲା ନାସାର ଅର୍ବିଟର ।

ସେହି କ୍ୟାମେରାରେ ଲାଣ୍ଡର ବିକ୍ରମର ଫଟୋ ଉଠାଇବା ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପଠାଇବା ଆଶା କରାଯାଉଛି । ଏହିସବୁ ତଥ୍ୟ ମିଳିବା ପରେ କାହିଁକି ବିକ୍ରମ ଲାଣ୍ଡର ସହ ସଂଯୋଗ ଶେଷ ମୁହୂର୍ତରେ କଟିଗଲା, ତା’ର ରହସ୍ୟ ଖୋଲିବା ସମ୍ଭାବନା ରହିଛି । ସେପଟେ ରାଉରକେଲାରେ ବୈଜ୍ଞାନିକ ବିକ୍ରମ ସରାଭାଇଙ୍କ ଶତବାର୍ଷିକୀ ପାଳନ ଅବସରରେ ସତୀଶ ଧବନ ମହାକାଶ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ଏ ରାଜା ରାଜନ କହିଛନ୍ତି ଶେଷ ମୁହୂର୍ତରେ ଉପୁଜିଥିବା ସମସ୍ୟା ଉପରେ ତର୍ଜମା କରାଯାଉଛି ।