ବୁର୍ଲାରେ ଉତ୍ତେଜନା : ନିର୍ଦ୍ଦେଶକଙ୍କ ଘରକୁ ଢେଲାମାଡ଼ ପ୍ରତିବାଦରେ ଥାନା ଘେରାଉ ବେଳେ ପୁଲିସ-ଜନତା ଧସ୍ତାଧସ୍ତି

16

କନକ ବ୍ୟୁରୋ : ଭିମସାରରେ ଚାପା ଉତ୍ତେଜନା । ଭିମସାର ନିର୍ଦ୍ଦେଶକଙ୍କ ଘର ଉପରକୁ ପିଜି ଡାକ୍ତରଙ୍କ ଢେଲାମାଡ଼ ପରେ ବୁର୍ଲାରେ ଉତ୍ତେଜନା ଦେଖାଦେଇଛି । ଅଶ୍ୱିନୀ ପୂଝାରୀଙ୍କ ଘର ଉପରେ ପିଜି ଡାକ୍ତର ପଥରମାଡ଼ କରିଥିବା ପ୍ରତିବାଦରେ ଡିଆଇଜି ଅଫିସ ଘେରାଉ ବେଳେ ମୁହାଁମୁହିଁ ହୋଇଛନ୍ତି ପୁଲିସ୍ ଓ ଜନତା । ଅଭିଯୁକ୍ତ ଡାକ୍ତରୀ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଓକିଲ ସଂଘ ଓ ସ୍ଥାନୀୟ ଲୋକ ଡିଆଇଜି ଅଫିସ୍ ଘେରାଉ କରିବା ବେଳେ ଠେଲାପେଲା ହୋଇଛି ।

ରୋଗୀ ସମ୍ପର୍କୀୟଙ୍କ ସହ ଗଣ୍ଡଗୋଳ ପରେ ଅଶ୍ୱିନୀ ପୂଝାରୀଙ୍କ ଘର ଉପରେ ପିଜି ଡାକ୍ତର ପଥରମାଡ଼ କରିଥିବା ଅଭିଯୋଗ ହୋଇଛି । ଗତକାଲି ରାତିରେ ଡାକ୍ତରଖାନାରେ ଜଣେ ଗୁରୁତର ରୋଗୀଙ୍କୁ ଚିକିତ୍ସା କରିବାରେ ପିଜି ଡାକ୍ତର ବିଳମ୍ବ କରିଥିବା ନେଇ ରୋଗୀଙ୍କ ସମ୍ପର୍କୀୟ ନିର୍ଦ୍ଦେଶକ ଅଶ୍ୱିନୀ ପୂଝାରୀଙ୍କୁ ଅଭିଯୋଗ କରିଥିଲେ । ଏଥିରେ ପିଜି ଡାକ୍ତରମାନେ ଉତକ୍ଷିପ୍ତ ହୋଇ ରୋଗୀଙ୍କ ସମ୍ପର୍କୀୟଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏହାପରେ ପିଜି ଡାକ୍ତରମାନେ ନିର୍ଦ୍ଦେଶକଙ୍କ ଘରେ ପହଂଚି ଢେଲା ମାଡ଼ କରିବା ସହ ଅସଭ୍ୟ ଭାଷାରେ ଗାଳିଗୁଳଜ କରିଥିବା ଅଭିଯୋଗ ହୋଇଛି ।

ପୁଲିସ ଘଟଣାସ୍ଥଳରେ ପହଂଚି ଛାତ୍ରଙ୍କୁ ବୁଝାସୁଝା କରିଥିଲା । ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଭିମସାର କ୍ୟାମ୍ପସରେ ବ୍ୟାପକ ପୁଲିସ୍ ମୁତୟନ କରାଯାଇଛି । ଭିମସାର ଡାକ୍ତରମାନେ ଡ୍ୟୁଟି ସମୟରେ ବାହାରେ ନର୍ସିଂ ହୋମରେ କାମ କରୁଥିବା ବେଳେ ନିର୍ଦ୍ଦେଶକଙ୍କ ଷ୍ଟିଂଗରେ ଧରାପଡିଥିଲେ । ରାଜ୍ୟ ସରକାର ଏହି ଘଟଣା ପରେ ସମ୍ପୃକ୍ତ ଡାକ୍ତରଙ୍କୁ ବଦଳି କରିବା ସହ ନିର୍ଦ୍ଦେଶକ ଅଶ୍ୱିନୀ ପୂଝାରୀଙ୍କୁ ଅଧିକ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ଯାହାକୁ ରାଗ ରଖି ପିଜି ଡାକ୍ତରମାନେ ଏଭଳି କରିଥିବା ସନ୍ଦେହ କରାଯାଉଛି ।