ଗରିବ ଛାତ୍ରଛାତ୍ରୀଙ୍କ ସେବାରେ ସମର୍ପିତ ‘ଦେବବ୍ରତ’…ବିଦ୍ୟାଳୟରେ ଶିକ୍ଷାଦାନ ସାଙ୍ଗକୁ ଅସହାୟ ପିଲାଙ୍କୁ ମାଗଣାରେ ପଢାଉଛନ୍ତି ପାଠ

କେବଳ ଶିକ୍ଷାର ଆଲୋକ ଜାଳିବାକୁ ନୁହେଁ, ପୂଜାପାର୍ବଣ ହେଉ କି ରକ୍ତଦାନ ପରି ମହତ୍ ଦାନ ହେଉ, ସବୁଥିରେ ପ୍ରଗାଢ ନିଷ୍ଠା ଓ ସଂପୃକ୍ତି ତାଙ୍କୁ ଏକ ଭିନ୍ନ ବ୍ୟକ୍ତିର ପରିଚୟ ଦେଇଛି

224

କନକ ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଜାମୁଝାଡି ପଞ୍ଚାୟତ ଗୌଡପଡା ଗାଁରେ ଦେବବ୍ରତ ପାଣିଗ୍ରାହୀଙ୍କ ଘର । ବସନ୍ତ ସାରଙ୍କ ନାଁରେ ସେ ବେଶ ଜଣାଶୁଣା । ଶିକ୍ଷାକ୍ଷେତ୍ରରେ ଏକ ସମର୍ପିତ ବ୍ୟକ୍ତିତ୍ୱ ଭାବେ ତାଙ୍କୁ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଅଭିଭାବକ ଓ ଗାଁଲୋକେ ବେଶ ଆଦର କରନ୍ତି ।

ଶିକ୍ଷାଗତ ଯୋଗ୍ୟତା ବିଏସସି ସିଟି, ବିଇଡି । ବୃତ୍ତି ସରକାରୀ ସ୍କୁଲରେ ଶିକ୍ଷକତା । ବିଦ୍ୟାଳୟରେ ଶିକ୍ଷାଦାନ ସାଙ୍ଗକୁ ଗରିବ ପିଲାଙ୍କୁ ମାଗଣାରେ ପଢାନ୍ତି, ଏହା ହିଁ ବସନ୍ତ ସାରଙ୍କ ବିଶେଷତ୍ୱ । କର୍ମକ୍ଷେତ୍ର କ୍ଷୀରକୋଣା ହେଉ କି ଜନ୍ମସ୍ଥାନ ଗୌଡପଡା ହେଉ, ସବୁଠି ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ଖୋଜିବାହାର କରି ବାଧ୍ୟ କରାନ୍ତି ପାଠ ପଢିବାକୁ । ଏହି ନିରନ୍ତର ପ୍ରୟାସ ଯୋଗୁଁ ତାଙ୍କ ପାଖରେ ପାଠପଢି ପ୍ରତି ବର୍ଷ ୨୦ରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ୍ ପାସ୍ କରୁଛନ୍ତି ଆଉ ୧୪ବର୍ଷର ଚାକିରି କାଳ ଭିତରେ ଶତାଧିକ ଗରିବ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇ ସେ ଶିକ୍ଷିତ କରି ସାରିଲେଣି । ସେମାନଙ୍କ ମଧ୍ୟରୁ ପ୍ରାୟ ୩୦ରୁ ଅଧିକ ଛାତ୍ରଛାତ୍ରୀ ଏବେ ସରକାରୀ ଚାକିରିରେ । ଅନେକ ଛାତ୍ର ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଛନ୍ତି । ଏବେବି ତାଙ୍କ ପାଖରେ ୪୦ବର୍ଷରୁ ଅଧିକ ଛାତ୍ରଛାତ୍ରୀ ମାଗଣାରେ ପାଠ ପଢୁଛନ୍ତି । ତେବେ ଏସବୁ ଭିତରେ ସେ କେବେ ବି ସ୍କୁଲ ଶିକ୍ଷାଦାନକୁ ଅବହେଳା କରିନାହାନ୍ତି । ନିଜର କାର୍ଯ୍ୟଦକ୍ଷତା ପାଇଁ ତାଙ୍କୁ ୬ବର୍ଷ କାଳ ସିଆରସିସି ପଦ ମିଳିଥିଲା । ଏବେ ସେ କ୍ଷୀରକୋଣାସ୍ଥିତ ୟୁଏନ୍ ଏକାଡେମିରେ କାର୍ଯ୍ୟରତ ।

ବସନ୍ତ ସାରଙ୍କ ଏହି ବିଶେଷ ଗୁଣ ପାଇଁ ସ୍କୁଲର ଶିକ୍ଷକ, ଶିକ୍ଷୟତ୍ରୀ ମହଲ ତାଙ୍କୁ ସମ୍ମାନ ଅଜାଡି ଦିଅନ୍ତି । କୁହନ୍ତି, ବସନ୍ତ ସାର୍ ଗରିବ ପିଲାଙ୍କ ପାଇଁ ସମର୍ପିତ । ପିଲାଙ୍କ ପାଇଁ ସେ ଅଧିକ ଶ୍ରମ ଦିଅନ୍ତି । ଏକ୍ସଟ୍ରା କ୍ଲାସ୍ କରି ପିଲାଙ୍କୁ ପାଠ ପଢାନ୍ତି । ଭଦ୍ର, ନମ୍ର ମଧୁର ସଂପର୍କ ଯୋଗୁଁ ସେ ଅନ୍ୟମାନଙ୍କଠାରୁ ସ୍ୱତନ୍ତ୍ର ଓ ଅଲଗା । ତେବେ ଦେବବ୍ରତଙ୍କ ଆଦ୍ୟ ଜୀବନ ଥିଲା ବେଶ୍ ସଂଘର୍ଷପୂର୍ଣ୍ଣ । ପିଲାଟି ବେଳକୁ ସେ ବାପାଙ୍କୁ ହରାଇଥିଲେ । ବଡ ଭଉଣୀ ମୁଣ୍ଡାଇଥିଲେ ପରିବାରର ବୋଝ । ଦାରିଦ୍ର୍ୟକୁ ଅତି ପାଖରୁ ଦେଖିଥିବା ଦେବବ୍ରତ ନିଜେ ଉଚ୍ଚଶିକ୍ଷାରୁ ବଞ୍ôଚତ ବି ହୋଇଥିଲେ । କେବଳ ଶିକ୍ଷାର ଆଲୋକ ଜାଳିବାକୁ ନୁହେଁ, ପୂଜାପାର୍ବଣ ହେଉ କି ରକ୍ତଦାନ ପରି ମହତ୍ ଦାନ ହେଉ, ସବୁଥିରେ ପ୍ରଗାଢ ନିଷ୍ଠା ଓ ସଂପୃକ୍ତି ତାଙ୍କୁ ଏକ ଭିନ୍ନ ବ୍ୟକ୍ତିର ପରିଚୟ ଆଣିଦେଇଛି ।