ଅଭିଶପ୍ତ ଶୈଶବ : ଜନ୍ମରୁ ଗୁପ୍ତାଙ୍ଗ ନାହିଁ, ନର୍କ ଯନ୍ତ୍ରଣା ଭୋଗୁଛି ୧୨ ବର୍ଷିୟ ନାବାଳକ . . .ସନ୍ତୋଷର ଗୁହାରୀ ଶୁଣ ସରକାର

2,851

କନକ ବ୍ୟୁରୋ : ଅଭିଶପ୍ତ ପାଲଟିଛି ଶୈଶବ । ଆଖିରେ ଆଖିଏ ସ୍ୱପ୍ନ । ହେଲେ ଅସହାୟ ଆଉ ନିରୁପାୟ । ଜନ୍ମରୁ ଗୁପ୍ତାଙ୍ଗ ନାହିଁ । ଅସହ୍ୟ ଯନ୍ତ୍ରଣା ଭୋଗୁଛିି ନାବାଳକ । ଅନବରତ ପରିଶ୍ରା ବାହାରୁଛି । ଗୁପ୍ତାଙ୍ଗ ନଥିବାରୁ ବହୁତ କଷ୍ଟ ପାଉଛନ୍ତି ୧୨ ବର୍ଷର ନାବାଳକ । ନାଁ ସ୍କୁଲ ଯାଇପାରୁଛି ନାଁ ଅଛନ୍ତି ସାଙ୍ଗସାଥୀ । ଚିକିତ୍ସା ପାଇଁ ପରିବାର ଲୋକ ପାଣି ପରି ଟଙ୍କା ଖର୍ଚ୍ଚ କରିସାରିଲେଣି, ତଥାପି ଯମ ଯନ୍ତ୍ରଣା ଭୋଗୁଛନ୍ତି ନବରଙ୍ଗପୁର ଜିଲ୍ଲା ମାଲିଗୁଡ଼ା ଗାଁର ସନ୍ତୋଷ ରଜକ । ଉପଯୁକ୍ତ ଚିକିତ୍ସା କଲେ ସୁସ୍ଥ ହେବାର ଅନେକ ସମ୍ଭାବନା ରହିଛି, ହେଲେ ସମ୍ବଳ ନଥିବାରୁ ତାଙ୍କର ଚିକିତ୍ସା ହୋଇପାରୁନି ।

ଆଜିକୁ ୧୨ ବର୍ଷ ପୂର୍ବେ ପୁଅ ଜନ୍ମ ପରେ ଖୁସିରେ ହସି ଉଠିଥିଲା ପରିବାର । ହେଲେ ଜନ୍ମରୁ ପୁଅର ଗୁପ୍ତାଙ୍କ ନଥିବା ଜାଣିବା ପରେ ଦୁଃଖର ବାଦଳ ଘୋଟିଯାଇଥିଲା । ଗରିବ ପରିବାରର ହୋଇଥିବା ଯୋଗୁଁ ଉପଯୁକ୍ତ ଚିକିତ୍ସା ହୋଇପାରିଲା ନାହିଁ । ଦିନେ ନୁହେଁ ମାସେ ନୁହେଁ ଦୀର୍ଘ ୧୨ ବର୍ଷ ଧରି କଷ୍ଟ ପାଉଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ ମାଳିଗୁଡ଼ା ଗାଁର ମଧୁ ରଜକଙ୍କ ପରିବାର । ପୁଅ ସନ୍ତୋଷ ରଜକଙ୍କ ପାଇଁ ଅସହ୍ୟ ହେଉଛି ଜୀବନ ଜିଇଁବା । ପରିବାରର ହସ ଲିଭିଛି । ଗୁପ୍ତାଙ୍ଗ ନଥିବାରୁ ପ୍ୟାଣ୍ଟରେ ଏକ ହୋଇଯାଉଛି । ସବୁବେଳେ ଜାମାପଟା ଓଦା । ଲାଜରେ ସ୍କୁଲ ଯାଉ ନାହାନ୍ତି କି ସାଙ୍ଗସାଥୀ ବୋଲି କେହି ନାହିଁ । ତେଣୁ ଅନ୍ୟ ପିଲାଙ୍କ ଭଳି ସେ ସାଧାରଣ ଜୀବନ ବଞ୍ଚି ପାରୁନାହିଁ । ପାଠପଢ଼ା ଖେଳକୁଦ ସମୟରେ ଘର ବାରଣ୍ଡାରେ ପଡ଼ିରହିଛନ୍ତି ସନ୍ତୋଷ ।  ଧାର ଉଧାର କରି ଚିକିତ୍ସା କରାଇଥିଲେ ବି କିଛି ସୁଫଳ ମିଳିନାହିଁ ।

ପୁଅର ଅବସ୍ଥା ଦେଖି ବାପା ଦୁଃଖରେ ଭାଙ୍ଗିପଡ଼ିଲେ ବି କିଛି ଉପାୟ ନାହିଁ । କୁଲି ମଜୁରି କରି ପେଟ ପୋଷୁଥିବା ମଧୁ ଅର୍ଥ ଅଭାବରୁ ସନ୍ତୋଷର ଚିକିତ୍ସା କରାଇ ପାରୁନାହାନ୍ତି । ପୂର୍ବରୁ ସରକାରୀ ସହାୟତାରେ ଚିକିତ୍ସା ହୋଇଥିଲା । ହେଲେ ଦୁର୍ଭାଗ୍ୟବଶତଃ ଭଲ ହେଲେନି ସନ୍ତୋଷ । ଅଭିଶପ୍ତ ଜୀବନ କାଟୁଥିବା ସନ୍ତୋଷ ଉନ୍ନତ ଚିକିତ୍ସା ପାଇଁ ସରକାରଙ୍କୁ ଗୁହାରୀ କରିଛନ୍ତି। ଅନ୍ୟପଟେ ଏ ଘଟଣା ବିଷୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଘଟଣା ସମ୍ପର୍କରେ ଅବଗତ ହେବାପରେ ସନ୍ତୋଷଙ୍କ ଚିକିତ୍ସା ପାଇଁ ସମସ୍ତ ସହାୟତା ଯୋଗାଇଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ।