ଏନଡିଏରୁ ଓହରିପାରେ ଶିବସେନା । କେନ୍ଦ୍ରମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଲେ ଶିବସେନାର ଏକମାତ୍ର ମନ୍ତ୍ରୀ ଅରବିନ୍ଦ ସାୱନ୍ତ

ସମର୍ଥନ ପୂର୍ବରୁ ବିଜେପି ସହ ସମ୍ପର୍କ ଛିହ୍ନ କରିବାକୁ ସର୍ତ ରଖିଥିଲା ଏନସିପି

402

କନକ ବ୍ୟୁରୋ: ଏନଡିଏରୁ ଓହରିପାରେ ଶିବସେନା । କେନ୍ଦ୍ରମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଲେ ଶିବସେନାର ଏକମାତ୍ର ମନ୍ତ୍ରୀ ଅରବିନ୍ଦ ସାୱନ୍ତ । ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ଭାରି ଶିଳ୍ପ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଥିଲେ ସାୱନ୍ତ । ଇସ୍ତଫା ନେଇ ସେ ଟୁଇଟ୍ କରି ସୂଚନା ଦେଇଛନ୍ତି । ଟୁଇଟରେ ଲେଖିଛନ୍ତି ଲୋକସଭା ନିର୍ବାଚନ ପୂର୍ବରୁ ସରକାର ଗଠନ ନେଇ ବିଜେପି ଓ ଶିବସେନା ମଧ୍ୟରେ ଏକ ଫର୍ମୁଲା ହୋଇଥିଲା । କିନ୍ତୁ ଏବେ ଏହି ଫର୍ମୁଲାକୁ ମାନୁ ନାହିଁ ବିଜେପି । ଶିବସେନା ସବୁବେଳେ ସତ ସାଥିରେ ରହିଥାଏ । ତେଣୁ ଏଭଳି ସ୍ଥିତିରେ ଦିଲ୍ଲୀ ସରକାରରେ କାହିଁକି ରହିବେ । ସେଥିପାଇଁ ଇସ୍ତଫା ଦେଉଛନ୍ତି । ସମର୍ଥନ ପୂର୍ବରୁ ବିଜେପି ସହ ସମ୍ପର୍କ ଛିହ୍ନ କରିବାକୁ ସର୍ତ ରଖିଥିଲା ଏନସିପି । ବିଜେପି ସହ ସମ୍ପର୍କ ଛିହ୍ନ କରିବା ପରେ ଏନସିପି- କଂଗ୍ରେସ ଶିବସେନାକୁ ମହାରାଷ୍ଟ୍ର ସରକାର ଗଠନ ପାଇଁ ସମର୍ଥନ କରିବେ କି ନାହିଁ ବିଚାର କରାଯିବ ବୋଲି କହିଥିଲେ ବରିଷ୍ଠ ନେତା ।

ରୋଚକ ସ୍ଥିତିରେ ପହଁଚିଛି ମହାରାଷ୍ଟ୍ର ରାଜନୀତି । ସରକାର ଗଢ଼ିବାକୁ ବିଜେପି ମନା କରିଦେବା ପରେ ଦ୍ୱିତୀୟ ବଡ଼ ଦଳ ଭାବେ ଶିବସେନାକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଛନ୍ତି ରାଜ୍ୟପାଳ । ସରକାର ଗଠନ ପାଇଁ ଦଳ ଇଚ୍ଛୁକ କି ନାହିଁ ସେନେଇ ପଚାରି ବୁଝିଛନ୍ତି ରାଜ୍ୟପାଳ । ବିଜେପିକୁ ପ୍ରଥମ ସରକାର ଗଠନ ପାଇଁ ରାଜ୍ୟପାଳ ଡାକିଥିଲେ । ସରକାର ଗଢିବା ପାଇଁ ବିଜେପି ଅକ୍ଷମତା ପ୍ରକାଶ କରିବା ପରେ ୫୬ ଆସନ ପାଇଥିବା ଶିବସେନାକୁ ଦ୍ୱିତୀୟ ବଡ ଦଳ ଭାବେ ସରକାର ଗଠନ କରିବାକୁ ନିମନ୍ତ୍ରଣ କରିଛନ୍ତି ରାଜ୍ୟପାଳ । ଆଜିି ସଂଧ୍ୟା ସାଢ଼େ ୭ଟା ସୁଦ୍ଧା ସରକାର ଗଠନ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିବା ପାଇଁ ଶିବସେନାକୁ କୁହାଯାଇଛି । ଏହାପରେ ଆଜି ରାଜ୍ୟପାଳ ଓ ଏନସିପି ମ୍ରୁଖ୍ୟ ଶରଦ ପାୱାରଙ୍କୁ ଭେଟିବେ ଶିବସେନା ନେତା ।

ତେବେ ଶିବସେନାକୁ ସରକାର ଗଠନ ପାଇଁ ସମର୍ଥନ ବଦଳରେ କିଛି ସର୍ତ ରଖିଛି ଏନସିପି । ପ୍ରଥମେ ଏନଡିଏରୁ ଓହରି ଯିବା ସହ କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଶିବସେନା ଇସ୍ତଫା ଦେବା ପରେ, ସମର୍ଥନ ନେଇ କଂଗ୍ରେସ-ଏନସିପି ମେଂଟ ବିଚାର କରିବେ ବୋଲି ସର୍ତ ରଖାଯାଇଛି । ମହାରାଷ୍ଟ୍ର ଆସନ୍ତାକାଲି ଏନସିପି ବିଧାୟକ ଦଳ ବୈଠକ ବସି ରଣନୀତି ପ୍ରସ୍ତୁତ ହେବ । ମହାରାଷ୍ଟ୍ର ବିଧାନସଭାରେ ବିଜେପି ୧୦୫ ଆସନ ସହ ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ସାମ୍ନାକୁ ଆସିଥିଲା । ଉଭୟ ବିଜେପି ଓ ଶିବସେନା ମେଂଟ କରି ନିର୍ବାଚନ ଲଢ଼ିଥିଲେ ବି, ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦୁଇ ଦଳ ମଧ୍ୟରେ ସହମତି ହୋଇନଥିଲା । ଫଳରେ ସରକାର ଗଠନ ପ୍ରକ୍ରିୟା ବିଳମ୍ବ ହେବାରେ ଲାଗିଛି । ବିଧାନସଭାରେ ଏନସିପିର ୫୪ ଓ କଂଗ୍ରେସର ୪୪ ଜଣ ସଦସ୍ୟ ରହିଛନ୍ତି ।