ଦେବଦଳନ ରଥରେ ଲାଗିବ ନୂଆ ଅଖ ! କମିଟି ଓ ବିଶେଷଜ୍ଞ ଟିମର ଯାଂଚ ପରେ ଆରମ୍ଭ ହେଲା କାମ

57

କନକ ବ୍ୟୁରୋ : ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ଲାଗିବ ନୂଆ ଅଖ । ଆଗଚକ ଅଖ ଭାଙ୍ଗିଯାଇଥିବା ବେଳେ ଏହାର ଅନୁଧ୍ୟାନ କରିବା ପରେ ନୂଆ ଅଖ ଲଗାଇବା ନେଇ ନିଷ୍ପତି ହୋଇଛି । ଭୁବନେଶ୍ୱରରୁ ଯାଇଥିବା ୨ ଜଣିଆ ବିଶେଷଜ୍ଞ ଓ ରଥ କମିଟିର ଯାଂଚ ପରେ ନୂଆ ଅଖ ଲାଗିବା କାମ ଆରମ୍ଭ ହୋଇଛି । ତେବେ ଏଥିପାଇଁ ଅଧିକ ୫ ଘଂଟାର ସମୟ ଲାଗିବ ବୋଲି କୁହାଯାଇଛି । ତେବେ ରଥରୁ ଭଙ୍ଗାଅଖ ଖୋଲିବା ନେଇ କିଛି ଯନ୍ତ୍ରାଂଶର ମଧ୍ୟ ଆବଶ୍ୟକ ପଡିବ । ତେବେ ଆସନ୍ତାକାଲି ସକାଳ ସୁଦ୍ଧା ରଥରେ ନୂଆ ଅଖ ଲାଗିବ ।

ରଥର ମୁଖ୍ୟ ଅଂଗ କୁହାଯାଉଥିବା ଏହି ଅଖଟି ଚକ ନିକଟରୁ ଭାଂଗିଯାଇଛି । ସଂପୁର୍ଣ ଭାଂଗିଯାଇ ନ ପଡିବାପାଇଁ ଭଂଗା ଅଖକୁ ଚେନ୍ ପୁଲି ସାହାଯ୍ୟରେ ବାନ୍ଧି ଦିଆଯାଇଥିଲା । ରଥର ଆଗ ଅଖ ଉପରେ ସବୁଠାରୁ ଅଧିକ ଚାପ ରହିଥାଏ । ଆଗରେ ଘୋଡା ଯୋଚାଯିବା ସହ ସାରଥି ଓ ଡାହୁକଙ୍କର ଭାର ରହିଥାଏ । ଆଗରେ ଚାରମାଳ ବନ୍ଧାଯିବା ସହ ଚଢିବା ଓ ଓହ୍ଲାଇବା କାମ ହେଉଥିବାରୁ ଏହା ଉପରେ ଭାର ଅଧିକ । ତେଣୁ ଅଖ ଭାଙ୍ଗିବା ପରେ ଶ୍ରୀମନ୍ଦିର ପ୍ରଶାସନର ଚିନ୍ତା ବଢିଯାଇଛି । ତେବେ ସୁରକ୍ଷିତ ଭାବେ ଘୋଷଯାତ୍ରା ସମ୍ପାଦନ ହେବ ବୋଲି କହିଛନ୍ତି ସେବାୟତ ।