ଏମ୍ସରେ କାଶ୍ମୀର ଛାତ୍ର ନିଖୋଜ ମାମଲା : ସୋହେଲଙ୍କୁ ଦିଲ୍ଲୀରେ ଖୋଜୁଛି ପୋଲିସ

19

କନକ ବ୍ୟୁରୋ : ନିଖୋଜ ଏମ୍ସ ଛାତ୍ର ସୋହେଲକୁ ଦିଲ୍ଲୀରେ ଖୋଜୁଥିବା ପୁଲିସକୁ ଦ୍ୱିତୀୟ ଦିନରେ ବି ନିରାଶ ହେବାକୁ ପଡିଛି । ଗୁରୁଗାଓଁ ସେକ୍ଟର ୪୪ ଅଂଚଳରେ ପୁଲିସ ପଚରାଉଚରା କରୁଥିବା ବେଳେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ପୁଲିସ ଟିମ ସେହି ଅଂଚଳର ବିଭିନ୍ନ କମ୍ପାନୀ, ମାର୍କେଟ, ପାର୍କିଂ ଅଂଚଳରେ ପୋଷ୍ଟର ଲଗାଇ ସୋହେଲକୁ ଠାବ କରିବା ପାଇଁ ଉଦ୍ୟମ ଜାରି ରଖିଛି । ସେପଟେ ଗୁରୁଗାଓଁ ୪୪ ଅଂଚଳରେ ସୋହେଲକୁ କିଛି ଲୋକ ଦେଖିଥିବାର ଜଣାଇବା ପରେ ତାଙ୍କ ପରିବାର ଲୋକ ଆଶ୍ୱସ୍ତ ହୋଇଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରଥମେ ଯେଉଁ ଲୋକଟି ସୋହେଲକୁ ଦେଖିଥିବା ନେଇ ଫୋନ କରିଥିଲେ, ତାକୁ ପୁଲିସ ଭେଟି ପାରିନାହିଁ । ଉକ୍ତ ଯୁବକ ଜଣକ ରାଜସ୍ଥାନ ମେୱାର ଅଂଚଳର । ସୋହେଲ ଭଳି ଦେଖାଯାଉଥିବା ଜଣେ ଯୁବକକୁ ଦେଖି ସେ ସନ୍ଦେହ କରିଥିଲେ ବୋଲି ଜଣାଇବା ସହ ଆଉ କିଛି ସାହାଯ୍ୟ କରିପାରିବେ ନାହିଁ ବୋଲି ରୋକଠୋକ କହିଛନ୍ତି ।

ସୂଚନାଯୋଗ୍ୟ, କାଶ୍ମୀରର ୧୯ ବର୍ଷୀୟ ଛାତ୍ର ରହସ୍ୟମୟ ଭାବେ କୋଲକାତାରୁ ନିଖୋଜ ହୋଇଯାଇଥିଲେ । ଏ ନେଇ ପଶ୍ଚିମବଙ୍ଗର ହାୱାଡା ଥାନା ଓ ଭୁବନେଶ୍ୱର ଥାନାରେ ଅଭିଯୋଗ ହୋଇଥିଲା । ଜାମ୍ମୁ-କାଶ୍ମୀରର ପୋଲିସକୁ ବି ଅବଗତ କରାଯାଇଛି । ଖବର ଅନୁସାରେ, ପଞ୍ଜାବ ଅମୃତସରରେ ଏକ ଭୋଜିରେ ଯୋଗଦେବାକୁ ସୋହେଲ ୯ ତାରିଖରେ ଭୁବନେଶ୍ୱର ଛାଡିଥିଲେ । କିନ୍ତୁ ତାପରଠାରୁ ତାଙ୍କ ମୋବାଇଲ ସୁଇଚ ଅଫ ଆସିଥିଲା ।