ବେଳାଭୂମିରେ ଭାସିଲା ୫୨ ଫୁଟ ତିମିର ମୃତଦେହ

ତିମିର ମୃତ୍ୟୁ ସ୍ୱାଭାବିକ ନା ଟ୍ରଲର ମାଡରେ ବା ପରିବେଶଜନିତ କାରଣରୁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ତେବେ ପ୍ରଶ୍ନ ଉଠୁଛି, ମୃତ ତିମି ଯେଉଁ ସ୍ଥାନରେ ମରି ପଡିଥିଲା ସେଠାରୁ ମାତ୍ର ୫୦୦ରୁ ୭୦୦ ମିଟର ଦୂରରେ ରହିଛି ବନବିଭାଗର ଅଫିସ ।

145

କନକ ବ୍ୟୁରୋ : ବେଳାଭୂମିରେ ମୃତ ତିମି । କେନ୍ଦ୍ରାପଡା ରାଜନଗରର ହାବେଳିଖଟି ବେଳାଭୂମିରେ ୫୨ ଫୁଟର ଲମ୍ବା ମୃତ ତିମି ଭାସୁଥିବାର ଦେଖିବାକୁ ମିଳିଛି । ତେବେ ମୃତ୍ୟୁର କାରଣ ଏଯାଏଁ ଅସ୍ପଷ୍ଟ ରହିଛି । ଏ ନେଇ ବନବିଭାଗ ତଦନ୍ତ ଆରମ୍ଭ କରିଛି । ବନବିଭାଗର କହିବା ଅନୁଯାୟୀ, ପ୍ରାୟ ୭ରୁ ୮ ଦିନ ପୂର୍ବରୁ ଏହି ବିଶାଳକାୟ ତିମିର ମୃତ୍ୟୁ ହୋଇଥିଲା ।

ତିମିର ମୃତ୍ୟୁ ସ୍ୱାଭାବିକ ନା ଟ୍ରଲର ମାଡରେ ବା ପରିବେଶଜନିତ କାରଣରୁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ତେବେ ପ୍ରଶ୍ନ ଉଠୁଛି, ମୃତ ତିମି ଯେଉଁ ସ୍ଥାନରେ ମରି ପଡିଥିଲା ସେଠାରୁ ମାତ୍ର ୫୦୦ରୁ ୭୦୦ ମିଟର ଦୂରରେ ରହିଛି ବନବିଭାଗର ଅଫିସ । ଏହାସତ୍ତେ୍ୱ ମଧ୍ୟ ତିମିର ମୃତ୍ୟୁ ଖବର କିପରି ବନବିଭାଗ ପାଖରେ ପହଞ୍ଚି ପାରିଲା ନାହିଁ ତାହା ଏବେ ସବୁଠୁ ବଡ ପ୍ରଶ୍ନବାଚୀ । ମୃତ ତିମିକୁ ଦେଖିବାକୁ ସ୍ଥାନୀୟ ଲୋକଙ୍କ ଭିଡ ଜମିଛି । କେଉଁ ସମୟରେ ଏହି ବିଶାଳକାୟ ତିମି ଆସି ବେଳାଭୂମିରେ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ ।