ସିରିଜ କବଜା କଲା ଟିମ୍ ଇଣ୍ଡିଆ । ଅନ୍ତିମ ମ୍ୟାଚରେ ୯ ୱିକେଟରେ ୱେଷ୍ଟଇଣ୍ଡିଜକୁ ମାତ୍ ଦେଲା ଭାରତ

ବୋଲରଙ୍କ ଜଲୱା ପରେ କମାଲ କଲେ ବ୍ୟାଟସମ୍ୟାନ । ମାତ୍ର ୧୫ ଓଭରରେ ମ୍ୟାଚ ଜିତିନେଲା ଟିମ୍ ଇଣ୍ଡିଆ 

267

କନକ ବ୍ୟୁରୋ : ବିରାଟ ବାହିନୀର ବଡ ବିଜୟ । ୱେଷ୍ଟଇଣ୍ଡିଜ ବିପକ୍ଷ ଶେଷ ଦିନିକିଆକୁ ୯ ୱିକେଟରେ ଜିତିବା ସହ ସିରିଜ ହାତେଇଛି ଟିମ୍ ଇଣ୍ଡିଆ । ହିଟମ୍ୟାନ ରୋହିତଙ୍କ ଧୂଆଁଧାର ଅର୍ଦ୍ଧଶତକୀୟ ଇନିଂସ ବଳରେ ସହଜ ବିଜୟ ସହ ସିରିଜ ହାତେଇଛି ଭାରତ । ୫ ମ୍ୟାଚ ବିଶିଷ୍ଟ ଏହି ଦିନିକିଆ ସିରିଜରେ ଭାରତ ୩ଟିରେ ବିଜୟୀ ହୋଇଥିବା ବେଳେ ୱେଷ୍ଟଇଣ୍ଡିଜ ମାତ୍ର ଗୋଟିଏ ମ୍ୟାଚ ଜିତିଥିଲା । ଗୋଟିଏ ମ୍ୟାଚ ଡ୍ର ରହିଥିଲା ।

ଥିରୁବନ୍ତପୁରମରେ ଖେଳାଯାଇଥିବା ଶେଷ ଦିନିକିଆ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ୱେଷ୍ଟଇଣ୍ଡିଜ ଟିମ । କିନ୍ତୁ ଭାରତୀୟ ବୋଲରଙ୍କ ଘାତକ ବୋଲିଂରେ ଚିତ ମାରିଥିଲା କାରବିଆନ ଟିମ୍ । ମାତ୍ର ୧୦୪ରେ ପୂରା ଟିମ ପ୍ୟାଭିଲିୟନ ଫେରିଥିଲା ।  ୱେଷ୍ଟଇଣ୍ଡିଜ ପାଇଁ ଘାତକ ସାଜଥିଲ ରବୀନ୍ଦ୍ର ଜାଡେଜା । ୪ଟି ୱିକେଟ ନେବା ସହ ୱେଷ୍ଟଇଣ୍ଡିଜର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ ଟିମ୍ ଇଣ୍ଡିଆର ଷ୍ଟାର ସ୍ପିନର ।

୧୦୫ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ ହିଟମ୍ୟାନ ରୋହିତଙ୍କ ଦମଦାର  ଅର୍ଦ୍ଧଶତକ ବଳରେ ୯ ୱିକେଟରେ ସହଜ ବିଜୟ ହାସଲ କରିଥିଲା । ସେହିଭଳି ଅଧିନାୟକ କୋହଲି ମଧ୍ୟ ୩୩ ରନର ଇନିଂସ ଖେଳିବା ସହ ଭାରତକୁ ଦେଇଥିଲେ ଦମଦାର ବିଜୟ ।