କନକ ବ୍ୟୁରୋ : ଲୋକଙ୍କୁ ଘାରିଛି ବାଘ ଭୟ । ସନ୍ଧ୍ୟା ହେଲେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି ଗ୍ରାମବାସୀ । କନ୍ଧମାଳ ଜିଲ୍ଲା ଚକାପାଦ ବନାଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ବାଘ ଆତଙ୍କ । ଚକାପାଦ ବ୍ଲକରେ ଥିବା ବିଭିନ୍ନ ଗ୍ରାମରେ ରାତି ହେଲେ ବାଘ ଭୟରେ ଲୋକମାନେ ତାଟି କବାଟ ପକାଇ ଘରେ ରହୁଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗ୍ରାମବାସୀ ମାନେ ଦିନରେ ଜଙ୍ଗଲକୁ ଛେଳି ଚରାଇବାକୁ ନେଇଥାନ୍ତି । ତେବେ ଗତ ତିନି ମଧ୍ୟରେ ବାଘ ପାଖାପାଖି ୧୦ଟି ଛେଳି ମାରି ଖାଇଦେଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ତେବେ ଏହି ଭୟରେ ଗ୍ରାମବାସୀମାନେ ଜଙ୍ଗଲକୁ ଆଉ ଗାଈ ଗୋରୁ କିମ୍ବା ଛେଳି ଚରାଇବାକୁ ନେଉନାହାନ୍ତି । ଗାଁର ଲୋକମାନେ ଏକା ଜଙ୍ଗଲକୁ ଯିବାକୁ ଭୟ କରୁଛନ୍ତି । ଆଉ ଏହାର ସିଧାସଳଖ ପ୍ରଭାବ ଗ୍ରାମବାସୀଙ୍କ ଜୀବନ ଜିବୀକା ଉପରେ ପଡିଛି ।

Advertisment

publive-image

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଭଳି ଘଟଣା ପରେ ମଧ୍ୟ ଚୁପ୍ ବସିଛି ବନବିଭାଗ । ପାଖାପାଖି ୫ଟି ଗ୍ରାମରେ ବାଘର ଗତିବିଧିକୁ ଲକ୍ଷ୍ୟ କରିଥିବା କହିଛନ୍ତି ପ୍ରତ୍ୟେକ୍ଷଦର୍ଶୀ । କିନ୍ତୁ ସବୁ ଜାଣି ମଧ୍ୟ ବନବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । କେବଳ ଗୋଟିଏ ଦିନ ବନବିଭାଗ କର୍ମଚାରୀ ଯାଇ ମରିଯାଇଥିବା ଛେଳି ମାନଙ୍କୁ ଦେଖିଆସିଥିବା ଗ୍ରାମବାସୀ କହିଛନ୍ତି । ତେବେ ଘଟଣା ସମ୍ପର୍କରେ ରେଞ୍ଜ ଅଫସରଙ୍କୁ ପଚାରିବାରୁ ସେ କିଛି କହିବାକୁ ମନା କରିଦେଇଥିଲେ । ଗତ ତିନି ଦିନ ମଧ୍ୟରେ ବାଘ ପାଖାପାଖି ୧୦ରୁ ଅଧିକ ଛେଳି ମାରି ଖାଇ ସାରିଲା ପରେ ବନବିଭାଗ ଏପର୍ଯ୍ୟନ୍ତ କୌଣସି ବାଘ ଘଉଡାଇବା କିମ୍ବା ଗ୍ରାମକୁ ସୁରକ୍ଷା ଦେଇନଥିବାରୁ ଗ୍ରାମବାସୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେବା ସହ ଯଥା ଶୀଘ୍ର ବାଘକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି ହୋଇଛି ।