ଯୋଗୀଙ୍କ ଟାର୍ଗେଟ ରାଡାରରେ ନବୀନ ସରକାର! ଓଡିଶା ଆସିଲେ, ମନଇଚ୍ଛା ବର୍ଷିଲେ । କାଳିଆ ଯୋଜନାକୁ କଟାକ୍ଷ କରି ବିଜେଡିକୁ ମାରିଲେ ବାଣ

89

କନକ ବ୍ୟୁରୋ : ୨୦୧୯ରେ ଓଡିଶାରେ ପଞ୍ଚାୟତ ନିର୍ବାଚନର ସଫଳତା ଦୋହରାଇବାକୁ କର୍ମୀଙ୍କୁ ଯୋଗୀଙ୍କ ଆହ୍ୱାନ । ଆଜି କଳାହାଣ୍ଡି ଓ ଖୋର୍ଦ୍ଧାରେ ବିଜେପିର ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ନେତା ଓ କର୍ମୀଙ୍କୁ ବିଜୟର ମନ୍ତ୍ର ଦେଇଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ମଂଚ ଉପରୁ ରାଜ୍ୟ ସରକାରଙ୍କୁ ଘେରିବାକୁ ଭୁଲିନାହାଁନ୍ତି ଯୋଗୀ । ରାଜ୍ୟ ସରକାରଙ୍କ କାଳିଆ ଯୋଜନାକୁ କଟାକ୍ଷ କରିଛନ୍ତି ଏବଂ ଟଙ୍କିକିଆ ଚାଉଳର ହିସାବ ଦେଇଛନ୍ତି ଯୋଗୀ ।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଯେଉଁଠୁ ଛାଡି ଥିଲେ, ବୋଧେ ସେଇଠୁ ନବୀନ ସରକାରଙ୍କୁ ସମାଲୋଚନା କରିବା ଆରମ୍ଭ କରିଛନ୍ତି ବିଜେପିର ଫାୟରବ୍ରାଣ୍ଡ ନେତା ତଥା ଉତରପ୍ରଦେଶର ମୁଖ୍ୟମନ୍ତ୍ରୀ । ଗୃହ ନିର୍ମାଣ, ଆୟୁଷ୍ମାନ ଯୋଜନା, ଟଙ୍କିକିଆ ଚାଉଳ, କାଳିଆ ଯୋଜନା ଆଦି ପ୍ରସଙ୍ଗରେ ନବୀନ ସରକାରଙ୍କୁ କଟାକ୍ଷ କରିଛନ୍ତି ଯୋଗୀ ଆଦିତ୍ୟନାଥ ।

ଗୃହ ନିର୍ମାଣ କ୍ଷେତ୍ରରେ ନବୀନ ସରକାର, ଉତରପ୍ରଦେଶଠାରୁ ବହୁ ପଛରେ ବୋଲି ଦାବି କରିଛନ୍ତି ଯୋଗୀ ଆଦିତ୍ୟନାଥ । ସେହିପରି ରାଜ୍ୟ ସରକାରଙ୍କ ସବୁଠାରୁ ଲୋକପ୍ରିୟ କାଳିଆ ଯୋଜନାକୁ ବି କଟାକ୍ଷ କରିବାକୁ ଭୁଲି ନାହିଁନ୍ତି ଯୋଗୀ ଆଦିତ୍ୟନାଥ । କାଳିଆ ଯୋଜନା ସହ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ବି ଆପତି ଉଠାଇଛନ୍ତି ଯୋଗୀ ଆଦିତ୍ୟନାଥ । କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାକୁ ପ୍ରଶଂସା କରିବାକୁ ଯାଇ, ରାଜ୍ୟର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣର ଦୋଷତ୍ରୁଟି ବାଛିବାକୁ ଉଦ୍ୟମ କରିଛନ୍ତି ।

ଆଉ ଶେଷରେ ପଂଚାୟତ ନିର୍ବାଚନର ସଫଳତା ଦୋହରାଇବାକୁ ଦଳୀୟ ନେତା ଓ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି । କଳାହାଣ୍ଡି ଏବଂ ଖୋର୍ଦ୍ଧା ଜିଲ୍ଲାରେ ବିଜେପିର ଦଳୀୟ କାର୍ଯ୍ୟକ୍ରମରେ ଯୋଗୀ ଆଦିତ୍ୟନାଥ, ଆଣିଥିବା ତାମମ୍ ଅଭିଯୋଗର ସତ୍ୟତା କେତେ, ହୁଏତ ତାହା ନିର୍ବାଚନ ଫଳାଫଳ ପରେ ହିଁ ସ୍ପଷ୍ଟ ହୋଇଯିବ ।