କନକ ବ୍ୟୁରୋ : ମରିଗଲା ମାନବିକତା । ହଜିଗଲା ସମ୍ବେଦନଶୀଳତା । ରାଜଧାନୀର ରାଜରାସ୍ତାରେ ଶିଶୁ କନ୍ୟାକୁ ଜନ୍ମ ଦେଲେ ପ୍ରସୂତି ।ଏଭଳି ଘଟଣା ଦେଶର ଏକ ନମ୍ବର ସ୍ମାର୍ଟ ସିଟି ବୋଲାଉଥିବା ଭୁବନେଶ୍ୱର ପାଇଁ ଲଜ୍ଜ୍ୟା ଆଣି ଦେଇଛି । ରାସ୍ତାରେ ଯାଉଥିବା ବାଟୋଇ ମାନେ ପ୍ରସୂତିକୁ ଦେଖିବା ପରେ ମଧ୍ୟ ନ ଦେଖିବା ପରି ବାଟ କାଟି ଚାଲି ଯାଉଥିଲେ । ରାଜରାସ୍ତାରେ ଜଣେ ମହିଳା ଅସହ୍ୟ ପ୍ରସବ ବେଦନାରେ ଛଟପଟ ହେଲେ ମଧ୍ୟ କେହି ତାଙ୍କୁ ସହାୟତା ପାଇଁ ଆଗେଇ ଆସିଲେ ନାହିଁ । କେବଳ ରାଜଧାନୀ ମଣିଷ ନୁହେଁ ଆମ୍ବୁଲାନ୍ସ ମଧ୍ୟ ଧୋକା ଦେଲା । ବାରମ୍ବାର ଫୋନ କଲେ ବି ନିକଟରେ ପହଁଚିଲାନି ୧୦୨ କି ୧୦୮ ଆମ୍ଭୁଲାନ୍ସ । ଶେଷରେ ରାଜଧାନୀର ଛାତି କୁହାଯାଉଥିବା ମାଷ୍ଟରକ୍ୟାଂଟିନ ଛକ ନିକଟରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ ପ୍ରସୂତୀ । ଆଉ ପ୍ରସବ ହେବାର ପ୍ରାୟ ଘଂଟାଏ ପରେ ୧୦୮ ଆମ୍ବୁଲାନ୍ସ ପହଁଚି ମାଆ ଓ ପିଲାକୁ କ୍ୟାପିଟାଲ ହସ୍ପିଟାଲକୁ ନେଇ ଭର୍ତି କରାଯାଇଛି । ।
Kanak News is now on WhatsApp
Join and get latest news updates delivered to you via WhatsApp
ଶୁକ୍ରବାର ପାଖାପାଖି ରାତି ୧୦ଟା ବେଳେ ମାଷ୍ଟରକ୍ୟାଂଟିନ ଛକ ନିକଟରେ ଯାଉଥିବାବେଳେ ହଠାତ୍ ମହିଳା ଜଣଙ୍କର ଆରମ୍ଭ ହୋଇଥିଲା ଗର୍ଭ ଯନ୍ତ୍ରଣା । ଅସହ୍ୟ ପ୍ରସବ ବେଦନାରେ ଛଟପଟ ହୋଇଥିଲେ ମହିଳା । ଏହା ଦେଖି ନିକଟରେ ଥିବା କିଛି ଲୋକ ଆମ୍ବୁଲାନ୍ସକୁ ଫୋନ କରିଥିଲେ । କିନ୍ତୁ ପହଁଚି ନଥିଲା ଆମ୍ବୁଲାନ୍ସ । ବାସ୍ ଏତିକିରେ କର୍ତବ୍ୟ ସାରିଦେଇଥିଲେ ପାଖରେ ଥିବା କିଛି ରାଜଧାନୀବାସୀ । । ଓଲଟା ମହିଳା ଓ ତାଙ୍କ ପାଖରେ ଥିବା ଅପାଠୁଆ ସ୍ୱାମୀକୁ ଏଣୁତେଣୁ ପ୍ରଶ୍ନ କରିଥିଲେ କିନ୍ତୁ ହସ୍ପିଟାଲ ନେବାର ବ୍ୟବସ୍ଥା କରିନଥିଲେ । ସବୁଠୁ ବଡ କଥା ହେଉଛି ଆମ୍ବୁଲାନ୍ସ ପହଁଚି ନଥିବା କଥାକୁ ସ୍ୱୀକାର କରିଛନ୍ତି କ୍ୟାପିଟାଲ ହସ୍ପିଟାଲ କତୁପକ୍ଷ ।
ଏହି ଘଟଣା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ପାରିବା ପଣିଆ ଉପରେ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରଶ୍ନ ଉଠୁଛି ଯଦି ରାଜଧାନୀର ଚିତ୍ର ଏଭଳି ଦୟନୀୟ ତେବେ କେତେ ସାଂଘାତିକ ହୋଇଥିବ ଉପାନ୍ତର ଅଂଚଳର ଅବସ୍ଥା?