କୀଟନାଶକର କାହାଣୀ, ପୋକ ମରୁନାହିଁ ଲୋକ ମରୁଛି! ଚାଷ ଜମିରେ ଚକଡା ପୋକ କରୁଛି ରାଜୁତି

133

କନକ ବ୍ୟୁରୋ : ଓଡିଶାର ଭାତହାଣ୍ଡି କୁହାଯାଉଥିବା ବରଗଡରେ ଚକଡା ପୋକ କରୁଛି ରାଜୁତି । ପ୍ରଥମେ ମରୁଡି କିଛି ଅଂଚଳରେ ଦାଉ ସାଧିଲା ଆଉ ଏବେ ଚକଡା ପୋକ ଚଡକ ଭଳି ମାଡି ଆସିଛି । ଏକର ଏକର ଚାଷ ଜମି ଗୋଟିଏ ରାତି ଭିତରେ ନଷ୍ଟ ହୋଇଯାଉଛି । ଚାଷଜମି ନଷ୍ଟ ହେଉଥିବା ଦେଖି କେଉଁଠି ଚାଷୀ ମୃତ୍ୟୁର ରାସ୍ତାକୁ ବାଛି ନେଇଛି ତ ପୁଣି କେଉଁଠି ଏକର ଏକର ଚାଷ ଜମିରେ ନିଆଁ ଲଗାଇ ଦେଇଛି । ହାତ ଉଧାରୀ ଆଉ ବ୍ୟାଙ୍କରୁ ଋଣ ନେଇ ଫସଲ କରିଥିବା ଚାଷୀ ଆଜି ହତାଶ ।

ପ୍ରତିବର୍ଷ ଅକ୍ଟୋବର ମାସରେ ଧାନ ଫସଲରେ ଦେଖା ଦେଉଥିବା ଏହି ସାଧାରଣ ରୋଗପୋକ ଚଳିତ ବର୍ଷ ଅସାଧାରଣ ଭାବେ ଶକ୍ତିଶାଳୀ ହେବା ସହ ଚାଷୀ ଜୀବନରେ ଚଡକ ପକାଇଛି । ନା ସରକାରୀ ନା ବେସରକାରୀ କିଛି ବି କୀଟନାଶକ କାମ ଦେଉନି । ଏପରିକି ୧୪ରୁ ୧୫ ଥର ଔଷଧ ସିଞ୍ଚନ କରିବା ପରେ ମଧ୍ୟ ଫଳ ଶୂନ । ଯାହାକୁ ନେଇ ଚାଷୀଙ୍କ ମନରେ ଅସନ୍ତୋଷ ଦାନା ବାନ୍ଧୁଛି ।

farmerବରଗଡ ଜିଲ୍ଲାରେ ଚାଷ ହୋଇଥିବା ଅଧିକାଂଶ ଜମିରେ ସମାନ ଅବସ୍ଥା । ଚକଡା ପୋକ ମହାମାରୀ ଭଳି ମାଡିଚାଲିଛି । ଚାଷଜମିରେ ପୋକ ଏମିତି ଦାଉ ଦେଖାଉଛନ୍ତି ଯେ, ଏକର ପିଛା ୧୦ ରୁ ୧୨ ହଜାର ଟଙ୍କାର ଔଷଧ ପ୍ରୟୋଗ କଲେ ମଧ୍ୟ ଫଳ ଶୁନ । ଚାଷୀ କରିବେ ବା କଣ? ମାର୍କେଟରେ ମିଳୁଥିବା ଔଷଧ କିଣିବାକୁ ବାଧ୍ୟ । ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ଔଷଧ ବୋତଲ ଉପରେ ଲେଖା ଥିବା ଟଙ୍କା ଠାରୁ ଢେର କମରେ ଚାଷୀକୁ ଔଷଧ ମିଳେ । ନଗଦରେ ନେଲେ ୩୦୦ ଟଙ୍କା ଆଉ ବାକିରେ ନେଲେ ୫୦୦ ଟଙ୍କା । ଅଭାବରେ ପଡୁଥିବା ଚାଷୀଙ୍କୁ ଠକିବାର ଏହି ତରିକା ବାହାର କରିଛନ୍ତି କିଛି ମୁନାଫାଖୋର ବ୍ୟବସାୟୀ ।

ଅସହାୟ ଚାଷୀ ପାଖରେ କ୍ଷୋଭ କରିବାକୁ ବହୁତ କିଛି ଅଛି । ହେଲେ ଶୁଣିବ କିଏ? ହଜାର ହଜାର ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଛି । ସରକାରୀ ଅଧିକାରୀ ଫିଲଡ ଭିଜିଟ କରି କ୍ଷୟକ୍ଷତିର ଆକଳନ କରୁଛନ୍ତି । ହେଲେ ନା ପର୍ଯ୍ୟାପ୍ତ କର୍ମଚାରୀ ଏହି କାର୍ଯ୍ୟରେ ଲାଗୁଛନ୍ତି ନା ସବୁ ଜାଗାରେ ସରକାରୀ ଅଧିକାରୀଙ୍କର ପାଦ ପଡିପାରୁଛି । ଚାଷୀ ଆତ୍ମହତ୍ୟା ନେଇ କୃଷିମନ୍ତ୍ରୀ ଯେଉଁଭଳି ଭାବେ ବୟାନ ଦେଉଛନ୍ତି ତାହାକୁ ଘୋର ବିରୋଧ କରିଛନ୍ତି ଚାଷୀ । ପୂର୍ବରୁ ଚାଷୀ ଆତ୍ମହତ୍ୟା ନେଇ ଦାମ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଥିଲେ । ପାରିବାରିକ କଳହ ପାଇଁ ଚାଷୀ ଆତ୍ମହତ୍ୟା କରୁଥିବା ବେଳେ ଏହାକୁ ରାଜନୀତିକ ରଙ୍ଗ ଦିଆଯାଉଛି ବୋଲି ଦାମ କହିଥିଲେ । ଏହାଛଡା ଚାଷୀ ମାନେ ଚାଷ ନାଁରେ ଲକ୍ଷାଧିକ ଟଙ୍କା ଉଠାଇ ଏଥିରେ ମଦ ପିଇବା ସହ ଝିଅ ବାହାଘର କରିଥାନ୍ତି ବୋଲି ଦାମ ବିବାଦୀୟ ବୟାନ ଦେଇଥିଲେ । ଯାହାକୁ ନେଇ ସେତେବେଳେ ପ୍ରବଳ ଚର୍ଚ୍ଚା ହୋଇଥିଲା ।

ପୁଂଜିଭୁତ ନିରାଶା, ଅସହାୟତା ଆଉ ଅସନ୍ତୋଷ ଏବେ ଚରମସୀମାରେ ପହଂଚିଛି । ଆଉ ଚାଷୀକୁଳର ଭରସା ପାଉନାହିଁ ଯେ, ଏ ଦୁର୍ଦ୍ଦିନରେ ସରକାର ସେମାନଙ୍କର ସହାୟକ ହେବେ ଓ ବ୍ୟବସ୍ଥା ସେମାନଙ୍କ ପଛରେ ଛିଡାହେବ ।