ମହିଳାଙ୍କ କଟାମୁଣ୍ଡ ଘଟଣା: ୨ ଜଣଙ୍କୁ ଅଟକ ରଖି ପୋଲିସ୍ ପଚରାଉଚରା କରୁଥିବା ସୂଚନା । 

420
କନକ ବ୍ୟୁରୋ: ମୁଣ୍ଡବିହୀନ ମହିଳାଙ୍କ ମର୍ଡର ଘଟଣାରୁ ଉଠିବ ପରଦା । ଘଟଣାରେ ୨ ଜଣଙ୍କୁ ଅଟକ ରଖିଛି ପୋଲିସ । କାହିଁକି ଏବଂ କିଭଳି ମହିଳାଙ୍କୁ ମର୍ଡର କରାଯାଇଛି ସେନେଇ ସସପେନ୍ସ ଜାରି ରହିଥିବାବେଳେ ଆଜି ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ବୋଲି ସୂଚନା ମିଳିଛି । ମହିଳା ଜଣଙ୍କ ସ୍ବାମୀଙ୍କୁ ଛାଡି ଅନ୍ୟ ଜଣଙ୍କ ସହ ରହୁଥିଲେ । ସେହି ବ୍ୟକ୍ତି ଓ ତାଙ୍କ ସହଯୋଗୀ କରିଛନ୍ତି ହତ୍ୟା । ଅଭିଯୁକ୍ତ ଘର ଗଞ୍ଜାମରେ , ରାଜଧାନୀର ଏକ ବସ୍ତିରେ ରହୁଥିଲେ ବୋଲି ବରିଷ୍ଠ ପୋଲିସ ଅଧିକାରୀଙ୍କ ସୂଚନା ।
ତେବେ ଆଜି ସକାଳୁ ମୁଣ୍ଡବିହୀନ ମହିଳାଙ୍କ ପରିଚୟ ମିଳିଥିଲା । ମହିଳା ଜଣଙ୍କ ଭୁବନେଶ୍ୱର ବସ୍ତି ଅଂଚଳର ବୋଲି ସୁଚନା । ପରିବାର ଲୋକ ତାଙ୍କୁ  ଚିହ୍ନଟ କରିଥିବା ମଧ୍ୟ ସୂଚନା । ଅନ୍ଧାରୁଆ-ଦାସପୁର ରାସ୍ତାକଡ଼ରୁ ମହିଳାଙ୍କ ମୁଣ୍ଡ ବିହିନ ମୃତ ଦେହ ମିଳିଥିଲା । ଏପରିକି ଦୁଇ ଦୁଇ ଥର ମହିଳାଙ୍କ ଶବ ବ୍ୟବଚ୍ଛେଦ କରିଥିଲା ପୋଲିସ । ଏହା ସହ ମହିଳାଙ୍କ ପୋଷାକ ଆଧାରରେ ପ୍ରଥମେ ଓଡ଼ିଆରେ ପୋଷ୍ଟର ଓ ପରେ ହିନ୍ଦୀ ଭାଷାରେ ପୋଷ୍ଟର ଜାରି କରିଥିଲା ପୋଲିସ ।
ମୃତ ମହିଳଙ୍କ ପରିଚୟ ନେଇ ସୁଚନା ଦେଲେ ୫୦ ହଜାର ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲା ପୋଲିସ । ଗତକାଲି ମହିଳାଙ୍କ ଫିଙ୍ଗର ପ୍ରିଂଟ ସଂଗହ କରିଥିଲା ପୋଲିସ । ରାଜଧାନୀ ଉପକଣ୍ଠରେ ମହିଳାଙ୍କ ମୁଣ୍ଡ ବିହୀନ ମୃତ ଦେହ ଉଦ୍ଧାର ହେବା ପରେ ତତ୍ପର ହୋଇ ଉଠିଥିଲା ପୋଲିସ  । ଭୁବନେଶ୍ୱରରେ ଭରତପୁର-ଚନ୍ଦକା ରାସ୍ତା କଡରୁ ଅଚିହ୍ନା ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର କରାଯାଇଥିଲା । ମହିଳାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ନେଇ ସନ୍ଦେହ ସୃଷ୍ଟି ହୋଇଥିଲା ।  ଘଟଣା ସ୍ଥଳରେ ଚନ୍ଦକା ପୋଲିସ ପହଂଚି ଶବ ଜବତ ତଦନ୍ତ ଜାରି ରଖିଥିଲା । ସ୍ଥାନୀୟ ଲୋକେ ଶବକୁ ଦେଖିବା ପରେ ଚନ୍ଦକା ପୋଲିସକୁ ଖବର ଦେଇଥିଲେ । ଏହା ପରେ ପୋଲିସ ପହଁଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଥିଲା ।