ରାଜ୍ୟରେ ୨୨ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ : ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା

128

କନକ ବ୍ୟୁରୋ : ରାଜ୍ୟରେ ୨୨ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗତ ୨୪ ଘଣ୍ଟା ଭିତରେ ବୌଦ୍ଧ, କଳାହାଣ୍ଡି, ଖୋର୍ଦ୍ଧା, ନୂଆପଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ ଲେଖାଏଁ କରୋନା ସଂକ୍ରମିତଙ୍କ ପ୍ରାଣହାନି ଘଟିଛି । ଅପରପକ୍ଷରେ ଗଜପତି, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ବଲାଙ୍ଗୀର ଜିଲ୍ଲାରୁ ଜଣଙ୍କ ମୃତ୍ୟୁ ଘଟିଛି ।

ଏହି ନୂଆ ମୃତ୍ୟୁ ମାମଲାକୁ ମିଶାଇ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୪୧୪ଜଣଙ୍କ ପ୍ରାଣ ନେଇଛି କରୋନା। ଏଣେ ବୌଦ୍ଧରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୭ରେ ପହଞ୍ଚିଥିବା ବେଳେ, ରାୟଗଡ଼ାରେ ୯୦ କଳାହାଣ୍ଡିରେ ୬୯, ନୂଆପଡ଼ାରେ ୪୬ ଓ ସୁନ୍ଦରଗଡ଼ରେ ୨୨୯କୁ ବୃଦ୍ଧି ପାଇଛି । ସେହିପରି ଗଜପତିରେ ଏଯାବତ୍ ୪୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କୋରାପୁଟରେ ୨୬ ଓ ବଲାଙ୍ଗୀରରେ ୫୬ ଜଣଙ୍କ ମୃତ୍ୟୁ ଘଟିଛି ।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୧୦,୩୨୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ସଙ୍ଗରୋଧରୁ ୫୭୭୯ ଚିହ୍ନଟ ହୋଇଥିବା ବେଳେ ୪୫୪୨ଜଣ ହେଉଛନ୍ତି ସ୍ଥାନୀୟ ଆକ୍ରାନ୍ତ ବୋଲି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ଗତ ୨୪ ଘଣ୍ଟାରେ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୬୬ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କଟକ ଜିଲ୍ଲାରୁ ୭୩୧ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି।