ପୁଣି ଫୁଟିବ ଗୁଳି, ମିଳିବ ଚିକେନ୍ ଡିନରର ମଜା । ଭାରତକୁ ଆସୁଛି ପବଜିର ବିକଳ୍ପ ‘ବ୍ୟାଟେଲଗ୍ରାଉଣ୍ଡ ମୋବାଇଲ୍ ଇଣ୍ଡିଆ’ । ଆଜିଠୁ ଆରମ୍ଭ ହେଲା ରେଜିଷ୍ଟ୍ରେସନ୍ ।

251

କନକ ବ୍ୟୁରୋ : ଫୁଟିବ ଗୁଳି, ଚାଲିବ ଫାଇଟ୍ । ବ୍ୟାଟେଲଗ୍ରାଉଣ୍ଡ ମୋବାଇଲ୍ ଇଣ୍ଡିଆ ପାଇଁ ଆରମ୍ଭ ହେଲା ରେଜିଷ୍ଟ୍ରେସନ୍ । ୱିନର ୱିନର, ଚିକେନ୍ ଡିନର । ପୁଣି ଫୁଟିବ ଗୁଳି, ମିଳିବ ଚିକେନ୍ ଡିନରର ମଜା । ପୁଣି ଦୁଲୁକିବ ଭାରତୀୟ ବ୍ୟାଟେଲ ଗ୍ରାଉଣ୍ଡ । ପବଜି, ଏହି ଗେମକୁ କିଏ ବା ନଜାଣିଛି । ଦିନ ଥିଲା ପ୍ରତିଟି ଯୁବବର୍ଗଙ୍କୁ ପାଗଳ କରିଥିଲା ଏହି ଗେମ୍ । କିନ୍ତୁ ୨୦୨୦ରେ ଦେଶର ସୁରକ୍ଷା ଉପରେ ବିପଦ ଥିବା ଦର୍ଶାଇ ଏହି ଲୋକପ୍ରିୟ ଗେମିଂ ଆପ୍ ପବଜି ଉପରେ ପ୍ରତିବନ୍ଧକ ଲଗାଇଥିଲେ ଭାରତ ସରକାର । କିନ୍ତୁ ଏବେ ପୁଣି ଥରେ ପବଜି ପ୍ରେମୀଙ୍କ ପାଇଁ ଆସିଛି ଖୁସି ଖବର ।

ବ୍ୟାଟେଲଗ୍ରାଉଣ୍ଡ ମୋବାଇଲ୍ ଇଣ୍ଡିଆ । ଏହି ନୂଆ ଗେମ୍ ପବଜିର ବିକଳ୍ପ ହୋଇ ଭାରତରେ ପାଦ ଦେବାକୁ ଯାଉଛି । ଆଉ ଏଥିପାଇଁ ଆଜିଠୁ ଆରମ୍ଭ ହୋଇଯାଇଛି ପ୍ରି-ରେଜିଷ୍ଟ୍ରେସନ୍ । ଆଉ କୁହାଯାଉଛି, ଆସନ୍ତା ଜୁନ ମାସରୁ ଏହି ଗେମ୍ ଭାରତରେ ଆରମ୍ଭ ହୋଇପାରେ । ତେବେ ପବଜି ଭଳି ଯେମିତି ଏହି ଗେମ୍ ପୁଣି ବ୍ୟାନ୍ ନହୋଇଯାଏ, ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇଛି ନିର୍ମାତାକାରୀ କମ୍ପାନୀ । ଯେଉଁଥିପାଇଁ ଏହି ଗେମର ନାଁରେ ପବଜି ନାଁର ବ୍ୟବହାର କରାଯାଇନାହିଁ ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ପବଜିର କିଛି ଫିଚର ଏହି ଗେମରେ ରହିପାରେ । କାରଣ କିଛି ଦିନ ତଳେ ବ୍ୟାଟେଲଗ୍ରାଉଣ୍ଡ ମୋବାଇଲ୍ ଇଣ୍ଡିଆ ପକ୍ଷରୁ ଫେସବୁକ୍ ଏବଂ ୟୁବ୍ୟୁବରେ ୧୭ ସେକେଣ୍ଡର ଏକ ଭିଡିଓ ପୋଷ୍ଟ କରାଯାଇଥିଲା । ଯେଉଁଥିରେ ପବଜିର ସାନହୋକ ମ୍ୟାପକୁ ଏହି ପୋଷ୍ଟରେ ଦେଖାଯାଇଥିଲା । ତେଣୁ ଅନୁମାନ କରାଯାଉଛି, ବ୍ୟାଟେଲଗ୍ରାଉଣ୍ଡ ମୋବାଇଲ୍ ଇଣ୍ଡିଆରେ ପବଜିର ସାନହୋକ ମ୍ୟାପ୍ ସ୍ଥାନ ପାଇପାରେ । ତେବେ ଗେମର ଏକ ପୋଷ୍ଟରରେ ପବଜିର ଲେଭଲ-୩ ହେଲମେଟର ଚିତ୍ର ମଧ୍ୟ ପ୍ରଦର୍ଶିତ ହୋଇଛି ।

ତେବେ ଆଜିଠାରୁ ଆରମ୍ଭ ହୋଇଛି ବ୍ୟାଟେଲଗ୍ରାଉଣ୍ଡ ମୋବାଇଲ୍ ଇଣ୍ଡିଆ ପାଇଁ ପ୍ରି-ରେଜିଷ୍ଟ୍ରେସନ୍ । ଆଉ ଖୁବଶୀଘ୍ର ଅର୍ଥାତ ଜୁନ ମାସରୁ ଏହି ଗେମ୍ ଆରମ୍ଭ ହୋଇପାରେ । ତେବେ ଏହି ଗେମ୍ କେବଳ ଭାରତ ପାଇଁ ହିଁ ତିଆରି କରାଯାଇଛି । ଆଉ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆପଣଙ୍କ ଡାଟା କିପରି ସୁରକ୍ଷିତ ରହିବ, ସେଦିଗରେ ଅଧିକ ଗୁରୁତ୍ୱ ଦିଆଯାଇଛି ।