କର୍ଣ୍ଣାଟକ ଫଳାଫଳ କଣ ଦେଉଛି ସଂକେତ? ୨୦୨୪ ଉପରେ ପଡିବ କି ପ୍ରଭାବ? କିଙ୍ଗ୍ ମେକର ହେବ କି ବିଜେଡି?

316

କନକ ବ୍ୟୁରୋ: କର୍ଣ୍ଣାଟକରେ ବିଜେପିର ପରାଜୟ ଏହାର ଦକ୍ଷିଣ ଭାରତ ଯୋଜନା ଉପରେ ବଡ ପ୍ରଭାବ ପକାଇବ ବୋଲି ଆଶଙ୍କା କରାଯାଉଛି । କେବଳ ଦକ୍ଷିଣ ଭାରତ ନୁହେଁ ଆଗକୁ ସାରା ଭାରତର ନିର୍ବାଚନକୁ ଏହା ପ୍ରଭାବିତ କରିବ ବୋଲି ଚର୍ଚ୍ଚା ହେଉଛି । ଆଉ ଯଦି ଆଶଙ୍କା ସତ ହୁଏ ତାହେଲେ, ଆଞ୍ଚଳିକ ଦଳ ବିଜେଡି ଜାତୀୟ ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ପାରେ ।

  • କର୍ଣ୍ଣାଟକ ଫଳାଫଳ କଣ ଦେଉଛି ସଂକେତ?
  • ୨୦୨୪ ଉପରେ ପଡିବ କି ପ୍ରଭାବ?

କର୍ଣ୍ଣାଟକରେ ବିଜେପି ହାରିବା ପରେ,୨୦୨୪ ସାଧାରଣ ନିର୍ବାଚନକୁ ନେଇ ଆରମ୍ଭ ହୋଇଛି ଆଲୋଚନା । କର୍ଣ୍ଣାଟକ ଫଳାଫଳ ବିଜେପିକୁ ବ୍ୟାକଫୁଟକୁ ଠେଲି ଦେଇଥିବାବେଳେ, ବିରୋଧୀ ଉତ୍ସାହିତ ଅଛନ୍ତି । ଆଉ ଏହି ଉତ୍ସାହ, କେନ୍ଦ୍ରର ମୋଦୀ ସରକାର ବିରୋଧୀଙ୍କୁ ଆହୁରି ବଳ ଯୋଗାଇବ ବୋଲି ଚର୍ଚ୍ଚା ହେଉଛି । ବିଶେଷ କରି ବର୍ଷ ଶେଷକୁ ହେବାକୁ ଥିବା ରାଜସ୍ଥାନ,ମଧ୍ୟପ୍ରଦେଶ ଓ ଛତିଶଗଡ ନିର୍ବାଚନକୁ ଏହା ପ୍ରଭାବିତ କରିବ ବୋଲି କଂଗ୍ରେସ ଦୃଢ଼ୋକ୍ତି କରିଛି । ଏଥିସହ ୨୦୨୪ ସାଧାରଣ ନିର୍ବାଚନ ଉପରେ କର୍ଣ୍ଣାଟକ ନିର୍ବାଚନ ଫଳାଫଳ ପ୍ରଭାବିତ କରିବା ନେଇ ଆଶଙ୍କା କରିଛନ୍ତି ରାଜନୀତି ସମୀକ୍ଷକ ।

  • କଣ ରହିବ ନବୀନଙ୍କ ଭୂମିକା?
  • କିଙ୍ଗ୍ ମେକର ହେବ କି ବିଜେଡି?

ଜାତୀୟ ରାଜନୀତି ଉପରେ ଯଦି କର୍ଣ୍ଣାଟକ ନିର୍ବାଚନର ପ୍ରଭାବ ପଡେ, ଆଉ ଆଗାମୀ ନିର୍ବାଚନରେ ବିଜେପିର ସିଟ୍ ସଂଖ୍ୟା କମେ, ତାହେଲେ, ଜାତୀୟ ରାଜନୀତିରେ ବିଜେଡି ପ୍ରମୁଖ ଭୂମିକା ତୁଲାଇପାରେ । ବିଜେଡି ଉଭୟ କଂଗ୍ରେସ ଓ ବିଜେପି ଠାରୁ ସମଦୂରତା ରଖି ଆସିଛି । ଏପରିକି ବିରୋଧୀଙ୍କ ତୃତୀୟ ସାମୁଖ୍ୟରେ ନାହାନ୍ତି ବୋଲି ନିକଟରେ ସ୍ପଷ୍ଟ କରିଛନ୍ତି ବିଜେଡି ସୁପ୍ରିମୋ । ଏଭଳି ସ୍ଥିତିରେ ଯଦି ୨୦୨୪ ନିର୍ବାଚନରେ ସଂଖ୍ୟା ଗଣିତର ଗଡ଼ବଡ଼ ହୁଏ, ତାହେଲେ ନବୀନ ଉଭୟ ଗୋଷ୍ଠୀ ସହ ଭଲ ସମ୍ପର୍କରେ ଥିବାରୁ, କେନ୍ଦ୍ରରେ ସରକାର ଗଢ଼ିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇପାରନ୍ତି ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ ଯେ, ଅକାଳି ଦଳ, ଶିବସେନା, ଜେଡିୟୁ ଭଳି ବିଜେପିର ପୁରୁଣା ସହଯୋଗୀ ବିଜେପିର ହାତ ଛାଡି ଦେଇଥିବାରୁ ବିଭିନ୍ନ ରାଜ୍ୟରେ ଦୁର୍ବଳ ହୋଇଯାଇଛି ଏନଡିଏ । କିନ୍ତୁ ବିଭିନ୍ନ ପ୍ରସଙ୍ଗରେ ବିଜେଡି ଏବଂ ୱାଇଏସଆର କଂଗ୍ରେସ ମୋଦୀ ସରକାରଙ୍କୁ ସମର୍ଥନ କରି ଆସୁଛନ୍ତି ।