‘ଛାତ ଉପରୁ ସିଟି ମାରିବା ଅସଦାଚରଣ ନୁହେଁ’, ବମ୍ବେ ହାଇକୋର୍ଟର ଔରଙ୍ଗାବାଦ ବେଞ୍ଚ ଅଭିଯୁକ୍ତଙ୍କୁ ଦେଲେ ଜାମିନ।

85

କନକ ବ୍ୟୁରୋ: ବମ୍ବେ ହାଇକୋର୍ଟର ଔରଙ୍ଗାବାଦ ବେଞ୍ଚ ମହିଳାଙ୍କୁ ଅସଦାଚରଣ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଏକ ମାମଲାରେ ତିନି ଅଭିଯୁକ୍ତଙ୍କୁ ଜାମିନପ୍ରଦାନ କରିଛନ୍ତି କୋର୍ଟ । ତେବେ ଚର୍ଚ୍ଚା ଏଥିପାଇଁ ହେଉଛି କାରଣ ଏହି ତିନି ଅଭିଯୁକ୍ତ ନିଜ ଛାତ ଉପରୁ ସିଟି ବଜାଇ ମହିଳାଙ୍କୁ ଅସଦାଚରଣ କରିଥିଲେ । ତେବେ କୋର୍ଟ କହିଛନ୍ତି, ନିଜ ଘରୁ କେହି କୌଣସି ଶବ୍ଦ ବାହାର କରୁଥାଏ, ତେବେ ସିଧାସଳଖ ଭାବେ ଆମେ କହିପାରିବା ନାହିଁ ଯେ ତାହା ମହିଳାଙ୍କ ପ୍ରତି ଅସଦାଚରଣ ନା ନାହିଁ । ତେଣୁ ଏଭଳି କ୍ଷେତ୍ରରେ ଛାତ ଉପରୁ ସିଟି ମାରିବା ଅସଦାଚରଣ ନୁହେଁ ।

ଅହମ୍ମଦନଗରରେ ରହୁଥିବା ତିନି ଯୁବକ ଲଷ୍ମଣ. ଯୋଗେଶ ଏବଂ ସବିତା ପାଣ୍ଡବଙ୍କ ଉପରେ ଏସସି, ଏସଟି ଆକ୍ଟରେ ମାମଲା ରୁଜୁ ହୋଇଥିଲା । ସେସନ୍ସ କୋର୍ଟ ତିନି ଜଣଙ୍କର ଜାମିନ ନାମଞ୍ଜୁର କରିଦେଇଥିଲେ । ଏହା ବିରୋଧରେ ସମସ୍ତେ ହାଇକୋର୍ଟରେ ଆବେଦନ କରିଥିଲେ । ଯୁବକଙ୍କ ଆବେଦନ ଉପରେ ଶୁଣାଣି କରି ଜଷ୍ଟିସ ବିଭା କଙ୍କନୱାଡି ଏବଂ ଜଷ୍ଟିସ ଅଭୟ ବାଘବାସେ ତିନି ଜଣଙ୍କୁ ଜାମିନ ପ୍ରଦାନ କରିଛନ୍ତି ।

ଅଭିଯୋଗ ଅନୁସାରେ, ଅଭିଯୁକ୍ତ ଏବଂ ପିଡୀତା ପଡୋଶୀ ଭାବେ ରହୁଥିଲେ । ପିଡୀତାଙ୍କ ଅଭିଯୋଗ ଯେ ଯୋଗେଶ ତାଙ୍କୁ ଖରାପ ନଜରରେ ଦେଖୁଥିଲା । ପ୍ରଥମେ ସେ ଏହାକୁ ଅଣଦେଖା କରୁଥିଲେ । ତେବେ ୨୦୨୧ ମସିହା ନଭେମ୍ବର ୨୮ ତାରିଖରେ ଯୋଗେଶ ଘରୁ ରହି ତାଙ୍କ ଭିଡିଓ ଉତ୍ତୋଳନ କରିଥିଲେ । ଯେତେବେଳେ ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ଏନେଇ ଘର ମାଲିକଙ୍କୁ ଜଣାଇଥିଲେ ତେବେ ସେ ଏହାକୁ ଧ୍ୟାନ ଦେଇନଥିଲେ । ଏହା ପରେ ଯୋଗେଶ ଜାତିକୁ ନେଇ ଗାଳିଗୁଲଜ କରିଥିଲେ । ମୋବାଇଲରେ ଉଠାଇଥିବା ଫଟୋକୁ ସେ ବିଭିନ୍ନ ସ୍ଥାନରେ ଦେଖାଇଥିଲେ । ଏହା ପରେ ମଧ୍ୟ ପିଡୀତା ତାକୁ ଧ୍ୟାନ ଦେଉନଥିଲେ ।

ତେବେ ମାର୍ଚ୍ଚ ୨୦୨୨ରେ ଯୋଗେଶ ନିଜ ଛାତ ଉପରୁ ମହିଳାଙ୍କୁ ଦେଖି ସିଟି ମାରିଥିଲେ । ବାସନ ବଜାଇ ସେ ଜୋରରେ ପାଟି କରିଥିଲେ । ବିଭିନ୍ନ ପ୍ରକାର ଶବ୍ଦ ବାହାର କରି ମହିଳାଙ୍କୁ ହଇରାଣ କରିଥିଲେ । ପିଡୀତାଙ୍କ କହିବା ଅନୁସାରେ ମାର୍ଚ୍ଚ ୨୪ରେ ଯୋଗେଶ ଏବଂ ତାଙ୍କର ପରିବାର ସଦସ୍ୟ ମହିଳାଙ୍କ ଘରକୁ ପଥର ଫୋପାଡିଥିଲେ । ଏହି ଘଟଣା ନେଇ ମହିଳା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ସେସନ କୋର୍ଟ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିନଥିବା ବେଳେ ହାଇକୋର୍ଟ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି ।