ଏଥର ଦଶହରାରେ ଶୁଖିଲା ରହିବ ପାଗ । ଉପକୂଳ ଓଡ଼ିଶାର କେତେକ ସ୍ଥାନରେ କାଁ ଭାଁ ହୋଇପାରେ ବର୍ଷା ।

172

କନକ ବ୍ୟୁରୋ : ଏଥର ଦଶହରାରେ ଓଡ଼ିଶାର ପାଗ ମୁଖ୍ୟତଃ ଶୁଖିଲା ରହିବ । ନବମୀରେ ବର୍ଷା ନାହିଁ । ବାତ୍ୟା ହେବା ନେଇ ବିଶେଷଜ୍ଞମାନେ ଯେଉଁଭଳି ଆକଳନ ତଥା‌ ଆଶଙ୍କା ପ୍ରକାଶ କରିଥିଲେ ତାହା ମଧ୍ୟ ହେବାର ନାହିଁ । ଦଶହରାରେ କେବଳ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ । ପ୍ରବଳ ବର୍ଷା କିମ୍ବା ପବନର ସମ୍ଭାବନା ନାହିଁ । ଏମିତିକି ଆସନ୍ତା ୫ ଦିନ ପାଇଁ ଭାରତୀୟ ପାଣିପାଗ ବିଭାଗ ଯେଉଁ ଆକଳନ କରିଛି ସେଥିରେ ବାତ୍ୟାର କୌଣସି ବି ସୂଚନା ଦିଆଯାଇ ନାହିଁ । ଯେଉଁଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଏଥର ଦଶହରାରେ ବାତ୍ୟା ହେବା ନେଇ ଯେଉଁଭଳି ଆଗୁଆ ଗୁଜବ ସୃଷ୍ଟି କରାଯାଉଥିଲା ତାହା ଭୁଲ୍‌ ପ୍ରମାଣିତ ହୋଇଛି ।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଦଶହରାରେ ବାତ୍ୟା ହେବା ନେଇ ଆମ ପକ୍ଷରୁ କୌଣସି ପ୍ରକାର ସୂଚନା ଦିଆଯାଇ ନ ଥିଲା । ବରଂ ୧୦ରେ ଲଘୁଚାପ ସୃଷ୍ଟି ହେବା ନେଇ କୁହାଯାଇଥିଲା । ଯାହାକି ପରବର୍ତୀ ସମୟରେ ଅଧିକ ଘନୀଭୂତ ହେବ ବୋଲି ଆକଳନ ହୋଇଥିଲା । ତେବେ ଏପର୍ଯ୍ୟନ୍ତ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇ ନାହିଁ । କେତେକ ଘରୋଇ ସଂସ୍ଥା ବାତ୍ୟା ନେଇ ଆଗୁଆ ସୂଚନା ଦେଇଥିଲେ । ଏବେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି । ପରବର୍ତୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ଅଧିକ ଘନୀଭୂତ ହୋଇ ଏହାର ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଓ ଉତ୍ତର ଆନ୍ଧ୍ର ପ୍ରଦେଶ ଉପକୂଳକୁ ଆସିବ । ତେବେ ଏହା ବାତ୍ୟା ନୁହେଁ, ବରଂ ଅବପାତ ନେଇ ଉପକୂଳକୁ ସ୍ପର୍ଶ କରିବାର ସମ୍ଭାବନା ଅଧିକ ରହିଛି ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦେଶକ ଏଚ୍‌ ଆର ବିଶ୍ବାସ କହିଛନ୍ତି ଯେ ଗୁରୁବାର ଉପକୂଳ ଓଡ଼ିଶା ସମେତ କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ । ୧୫ ତାରିଖ ତଥା ଦଶହରାରେ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବଜ୍ରପାତ ଓ ବର୍ଷା ହୋଇପାରେ । ତେବେ ୧୬ ତାରିଖଠାରୁ ବର୍ଷା ପରିମାଣ ବଢ଼ିବ । ଉପକୂଳ ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ଘଡ଼ଘଡ଼ି ସହ ବଜ୍ରପାତ ସହ ବର୍ଷା ହେବା ନେଇ ଆକଳନ କରାଯାଇଛି । କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଗଞ୍ଜାମ, ପୁରୀ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧୭ ତାରିଖରେ ମୟୂରଭଞ୍ଜ, ଭଦ୍ରକ ଓ ବାଲେଶ୍ବରର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ।