ଆଜି ମହାମାୟାଙ୍କ ନବମୀ ପୂଜା । ମଣ୍ଡପରେ ଚାଲିଛି ପୂଜାର୍ଚ୍ଚନା, କଡା କଟକଣା ଭିତରେ ଓଡ଼ିଶାରେ ଫିକା ପଡିଲା ଦୁର୍ଗା ପୂଜା ।

119

କନକ ବ୍ୟୁରୋ : ଆଜି ହେଉଛି ମହାମାୟାଙ୍କ ମହାନବମୀ ପୂଜା । ଏଥର କରୋନା କଟକଣା ଭିତରେ ପୂଜା ପାଳିତ ହେଉଛି । ଏଭଳି ଦିନରେ ପୂଜା ମଣ୍ଡପରେ ଭିଡ ହୁଏ, ଲୋକେ ବାହାରକୁ ବାହାରନ୍ତି ଏବଂ ପୂଜା ଦେଖନ୍ତି । କିନ୍ତୁ ଏଥର କଡା କଟକଣା ଲଗାଇଛି ପ୍ରଶାସନ । ଚାରିପଟୁ ମାଆଙ୍କୁ ଆବଦ୍ଧ କରାଯାଇଛି । କେବଳ ଛୋଟିଆ ବାଟ ଦେଇ ଭିତରକୁ ଯାଇହେବ । ଆସନ୍ତୁ ଜାଣିବା ଓଡ଼ିଶାରେ କେମିତି ଚାଲିଛି ଦୁର୍ଗା ପୂଜା ।

କଟକରେ ରାସ୍ତା ସେପଟେ ମା’ ଆଉ ଏପଟେ ଭକ୍ତ । ମଣ୍ଡପରେ ପୂଜା ପାଉଛନ୍ତି ଦେବୀ ଦୁର୍ଗା, କିନ୍ତୁ ମା’ଙ୍କୁ ଦେଖିବା ପାଇଁ ଭକ୍ତଙ୍କୁ ମିଳିନି ଅନୁମତି । ଶ୍ରଦ୍ଧାଳୁ ଓ ମାଙ୍କ ଭିତରେ ପାଚେରୀ ହୋଇ ରହିଛି ରାସ୍ତା । ଦୂରରେ ଥାଇ ଦେବୀଙ୍କର ଆରାଧନା କରୁଛନ୍ତି ଭକ୍ତ । କୋଭିଡ ସଂକ୍ରମଣ ରୋକିବା ପାଇଁ କଟକ ଜିଲ୍ଲା ପ୍ରଶାସନର ନିଷ୍ପତିକୁ ସମ୍ମାନ ଜଣାଇ ଏଭଳି ଦର୍ଶନ କରୁଛନ୍ତି ସହରବାସୀ । ମନ ବୁଝୁନାହିଁ ତଥାପି କଟକଣା ମାନିବାକୁ ସମସ୍ତେ ବାଧ୍ୟ ।

ମା’ଙ୍କ ଠାରୁ ୩୫ ଫୁଟ୍ ଦୂରରେ ଛିଡା ହୋଇଛନ୍ତି ଭକ୍ତ । ବ୍ୟାରିକେଡ ଫାଙ୍କରେ ମା’ଙ୍କୁ କରୁଛନ୍ତି ଦର୍ଶନ । ଦୁରରେ ଥାଇ ମାରୁଛନ୍ତି ମୁଣ୍ଡିଆ । ବଖାଣୁଛନ୍ତି ଦୁଖ କଷ୍ଟ । ଘର ଲୋକଙ୍କୁ ଦେଖାଇବା ପାଇଁ ମୋବାଇଲ କ୍ୟାମେରାରେ କରୁଛନ୍ତି ଭିଡିଓ ରେକର୍ଡିଂ । ଭୁବନେଶ୍ୱରର ସହିଦ ନଗର ଭଳି ବିଭିନ୍ନ ପୂଜା ମଣ୍ଡପରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

ମାଙ୍କୁ ଦର୍ଶନ କରିନପାରିଥିଲେ ବି ଦୂରରେ ଥାଇ ଦୀପ ଲଗାଇ ନିଜ ମନ କଥା କହୁଥିଲେ ଭକ୍ତ । କିନ୍ତୁ ସେସବୁ ଦୀପକୁ ବି ଫିଙ୍ଗିଦେଇଥିଲେ ପୋଲିସ । ସରକାରୀ ନିର୍ଦ୍ଦେଶ ଅନୁସାରେ କରୋନା କଟକଣାକୁ କଡାକରି କରିଥିବାବେଳେ ଦେବୀଙ୍କଠାରୁ କିନ୍ତୁ ଦୂରେଇ ଯାଇଛନ୍ତି ଭକ୍ତ ।