ମୋବାଇଲ ଅଧିକ ଦେଖୁଥିଲେ ସାବଧାନ। ଅଭ୍ୟାସ ଡାକି ଆଣିବ ବଡ ବିପଦ!

1,139

କନକ ବ୍ୟୁରୋ: ଡିଜିଟାଲ ଯୁଗରେ ସ୍ମାର୍ଟ ଗେଜେଟ୍, ମୋବାଇଲ ଓ ଲାପଟପ ଯୋଗାଯୋଗର ମାଧ୍ୟମକୁ ଅଧିକ ସହଜ କରିଛି । କିନ୍ତୁ ଅତ୍ୟଧିକ ବ୍ୟବହାର ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଛି । ବିଶେଷ କରି ଲାପଟପ ଓ ମୋବାଇଲରେ ଅଧିକ ସମୟ ବିତାଉଥିବା ଲୋକ ପିଠି ଯନ୍ତ୍ରଣା ଓ ବେକ ଯନ୍ତ୍ରଣା ଭଳି ସମସ୍ୟା ଭୋଗୁଛନ୍ତି । ଏହାକୁ ଚିକିତ୍ସା ବିଜ୍ଞାନରେ ‘ଟେକ୍ନେକ୍’ ବୋଲି କୁହାଯାଉଛି ।

‘ଟେକ୍ନେକ୍’ର ଲକ୍ଷଣ
ମୁଣ୍ଡ ବ୍ୟଥା, ବେକ ଓ କାନ୍ଧ ଯନ୍ତ୍ରଣା, ହାଥ ଓ କହୁଣୀ ବ୍ୟଥା ଭଳି ସ୍ୱାସ୍ଥ୍ୟଗତ ସମସ୍ୟା ହେଉଛି ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଭାରତରେ ମଧ୍ୟ ଟେକନେକରେ ବହୁ ବ୍ୟକ୍ତି ଆକ୍ରାନ୍ତ ହେଉଛନ୍ତି । ଡାକ୍ତରଖାନାକୁ ଆସୁଥିବା ୨୦ ପ୍ରତିଶତ ଲୋକ ଟେକନେକ ବା ବେକ, ପିଠି ଯନ୍ତ୍ରଣା ଅଭିଯୋଗ କରୁଛନ୍ତି । ବହୁ ସମୟ ଧରି ଭୁଲ ଢଙ୍ଗରେ ବସି ମୋବାଇଲ କିମ୍ବା ଲାପଟପ ବ୍ୟବହାର କଲେ ସ୍ନାୟ ଆଘାତଜନିତ ଯନ୍ତ୍ରଣା ଲୋକେ ଭୋଗୁଛନ୍ତି ।

ଚିନ୍ତାର କଥା ହେଉଛି, ଭାରତରେ କମ ବୟସର ବାଳକ ବାଳିକା ଏବେ ଟେକନେକର ଶିକାର ହେଉଛନ୍ତି । କରୋନା ଯୋଗୁଁ ଅନଲାଇନ କ୍ଲାସ ଆରମ୍ଭ ହେବା ପରେ ଛାତ୍ରଛାତ୍ରୀଙ୍କ ହାତକୁ ମୋବାଇଲ ଆସିଥିଲା । ଏବେ ସ୍କୁଲରେ ପାଠପଢା ଆରମ୍ଭ ହେଲାଣି, କିନ୍ତୁ ପିଲା ଅଧିକ ସମୟ ମୋବାଇଲ ଧରି ବସୁଥିବାରୁ ସ୍ୱାସ୍ଥ୍ୟ ସମସ୍ୟାରେ ପଡୁଛନ୍ତି ।

କାହିଁକି ହୁଏ ଟେକନେକ ସମସ୍ୟା ?
ଅଧିକ ସମୟ ଧରି ମୋବାଇଲ କିମ୍ବା ଲ୍ୟାପଟପ ବ୍ୟବହାର କଲେ
ବସିବାର ଶୈଳୀ ଭୁଲ କଲେ
ଶୋଇରହି ମୋବାଇଲ ଦେଖିଲେ
ମୁଣ୍ଡ ଉପରେ ଅଧିକ ଚାପ ପଡିଲେ ଟେକନେକ ଦେଖାଦିଏ

ସେପଟେ ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି, କିଛି ସତର୍କ ହେଲେ ଏହି ଯନ୍ତ୍ରଣାକୁ କମ କରିହେବ । ଏହାଛଡା ଟେକନେକର କୌଣସି ଲକ୍ଷଣ ଦେଖା ଦେଲେ ତୁରନ୍ତ ଡାକ୍ତରଙ୍କୁ ଦେଖାଇବାକୁ ପରାମର୍ଶ ଦେଇଛନ୍ତି ।

ସ୍ୱାସ୍ଥ୍ୟବିଶେଷଜ୍ଞଙ୍କ ପରାମର୍ଶ
ଆଖି ସମାନ୍ତରାଳରେ ମୋବାଇଲ ରଖି ଦେଖନ୍ତୁ
ମୋବାଇଲ କିମ୍ବା ଲାପଟପ ବ୍ୟବହାର କଲା ବେଳେ ମେରୁଦଣ୍ଡକୁ ସିଧା ରଖନ୍ତୁ
ନିରବଚ୍ଛିନ୍ନ ଭାବେ ବହୁ ସମୟ ଲାପଟପରେ କାମ କରନ୍ତୁ ନାହିଁ
ମୋବାଇଲ, ଲାପଟପରେ କାମ କରୁଥିଲେ ମଝି ମଝିରେ ବିରତି ନିଅନ୍ତୁ
ଅଧିକ ସମସ୍ୟା ଦେଲେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ