ଏବେ ବି ରହସ୍ୟ ହୋଇରହିଛି ଭିଏଲଡବ୍ଲ୍ୟୁ ସ୍ମିତାରାଣୀଙ୍କ ହତ୍ୟାକାଣ୍ଡ ! ସିଲ ହୋଇନାହିଁ ପୂରା ଗେଷ୍ଟ ହାଉସ୍, ସନ୍ଦେହରେ ତଦନ୍ତ ବେଳେ ଚାପରେ ପୋଲିସ

390

କନକ ବ୍ୟୁରୋ : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ହରିଦାସପୁର ପଞ୍ଚାୟତର ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁ ଘଟଣା ଏବେ ବି ରହସ୍ୟାବୃତ୍ତ। ସେ ଆତ୍ମହତ୍ୟା କରିଥିବା ନେଇ ସନ୍ଦିଗ୍ଧମାନେ କହୁଥିବା ବେଳେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି। ପ୍ରକୃତରେ ସେ ଆତ୍ମହତ୍ୟା କରିଛନ୍ତି ନା ହତ୍ୟା କରି ପଙ୍ଖାରେ ଝୁଲାଇ ଦିଆଯାଇଛି ସେ ନେଇ ପୁଲିସ ତଦନ୍ତ ଚଳାଇଛି। ସେହିଭଳି ହତ୍ୟା ବା ଆତ୍ମହତ୍ୟା ପୂର୍ବରୁ କ’ଣ ଏମିତି ଘଟିଥିଲା ସଂପୃକ୍ତ ଗେଷ୍ଟ ହାଉସରେ ଯେ ଜଣେ ସରକାରୀ କର୍ମଚାରୀଙ୍କ ଜୀବନ ବଳି ପଡିଲା ତାହାକୁ ନେଇ ବି ନାନା ଚର୍ଚ୍ଚା। ଏ ସବୁ ପ୍ରଶ୍ନର ଉତ୍ତର ପୁଲିସ ପାଖରେ ଥାଇପାରେ। ତେବେ ଚାପରେ ଥିବା ପୁଲିସ ଗଣମାଧ୍ୟମ ଆଗରେ ମୁହଁ ଖୋଲିବାକୁ ଏଯାଏଁ ସାହସ ଜୁଟାଇପାରିନି। ବ୍ୟବଚ୍ଛେଦ ରିପୋର୍ଟ ମିଳିଲେ ଘଟଣା ଉପରୁ ପରଦା ହଟିବ ବୋଲି ପୁଲିସ ଉଚ୍ଚଅଧିକାରୀ କହୁଛନ୍ତି। ଏଭଳି ସ୍ପର୍ଶକାତର ଘଟଣାର ଶବ ବ୍ୟବଚ୍ଛେଦ ରିପୋର୍ଟ ଡାକ୍ତରଖାନାରୁ ଥାନାକୁ ଆସିବାରେ ଏତେ ବିଳମ୍ବ କାହିଁକି ବୋଲି ପ୍ରଶ୍ନ ଉଠୁଛି।

source : sambad

ହରିଦାସପୁର ସରପଞ୍ଚ ମଧୁସ୍ମିତା ବିଶ୍ବାଳଙ୍କ ସ୍ବାମୀ ତଥା ସ୍ଥାନୀୟ ଅଞ୍ଚଳର ପ୍ରଭାବଶାଳୀ କୋଟିପତି ବ୍ୟବସାୟୀ ରୂପେଶ ଭଦ୍ରଙ୍କ ଗେଷ୍ଟ ହାଉସରେ ସ୍ମିତାରାଣୀଙ୍କ ମୃତ୍ୟୁ ଘଟିଥିଲା। ଏହି ମୃତ୍ୟୁ ସହିତ ଜଡିତ ଅନେକ ପ୍ରଶ୍ନର ଉତ୍ତର ଏହି ଗେଷ୍ଟହାଉସରେ ଚାରିକାନ୍ଥ ମଧ୍ୟରେ ଲୁଚି ରହିଛି। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ତଦନ୍ତ କରୁଥିବା ପୁଲିସ ହାଉସକୁ ସଂପୂର୍ଣ୍ଣ ଭାବରେ ନିଜ ହେପାଜତକୁ ନେଇ ନାହିଁ । ଯାହାକୁ ନେଇ ପୂର୍ବତନ ଡିଜି ତଥା ବିଜେପି ନେତା ପ୍ରକାଶ ମିଶ୍ର ପ୍ରଶ୍ନ ଉଠାଇଛନ୍ତି।

ହରିଦାସପୁର ସରପଞ୍ଚ ହେଉଛନ୍ତି ମଧୁସ୍ମିତା ଭଦ୍ର। ତାଙ୍କ ସ୍ବାମୀ କୋଟିପତି ବ୍ୟବସାୟୀ ରୂପେଶ ଭଦ୍ର ପଞ୍ଚାୟତ ଠାରୁ ଆରମ୍ଭ କରି ସବୁ କାମରେ ଦଖଲ ଦିଅନ୍ତି। ଗତ ୧୬ତାରିଖ ଦିନ ଭଡ଼ଙ୍ଗା ଓ ଚାରିବାଟିଆ ଗ୍ରାମରେ ଭତ୍ତା ବଣ୍ଟନରେ ମଧ୍ୟ ଭିଏଲଡ଼ବ୍ଲୁ ସ୍ମିତାରାଣୀଙ୍କ ସହିତ ସରପଞ୍ଚ ମଧୁସ୍ମିତା ନ ଥିଲେ ବରଂ ରୂପେଶ ହିଁ ଥିଲେ। ପଞ୍ଚାୟତ କାର୍ଯ୍ୟ ପାଇଁ ଭିଏଲଡ଼ବ୍ଲୁ ସ୍ମିତାରାଣୀ ନିଜ ସ୍କୁଟିରେ ଯିବା ଆସିବା କରନ୍ତି । ବ୍ଲକ୍ କ୍ବାର୍ଟର୍ସରେ ବାପା ଓ ଶିଶୁ କନ୍ୟା ସହିତ ରହୁଥିବା ସ୍ମିତାରାଣୀଙ୍କୁ ଘଟଣା ଦିନ ରୂପେଶ ନିଜ ଗାଡ଼ି ପଠାଇ ବ୍ଲକରୁ ଭତ୍ତା ବଣ୍ଟନ ପାଇଁ ଭଡ଼ଙ୍ଗାକୁ ନେବା ପରେ ପୁଣି ଗେଷ୍ଟ ହାଉସକୁ ନେଇଥିଲେ।

ପଞ୍ଚାୟତର କାମ ପଞ୍ଚାୟତ କାର୍ଯ୍ୟଳୟରେ ନକରି ବିଭିନ୍ନ ସମୟରେ ଏହି ଗେଷ୍ଟହାଉସରେ କରାଯାଇଥିବା ନଜିର ରହିଛି। ତେଣୁ କାମ ବାହାନାରେ ସ୍ମିତାରାଣୀଙ୍କୁ ନିଆଯାଇଥାଇପାରେ ବୋଲି ଚର୍ଚ୍ଚା ହେଉଛି। ଏହି ଗେଷ୍ଟ ହାଉସରେ ସିସି କ୍ୟାମେରା ଲାଗିଛି। ସେହି କ୍ୟାମେରାକୁ ପୁଲିସ ଯାଞ୍ଚ କରିଛି କି ନାହିଁ ତାହା ଜଣାପଡିନାହିଁ। ମୋବାଇଲ୍ କଲ ରେକର୍ଡ ଏବଂ ସେଥିରେ ଥିବା ଭିଡିଓ ଏବଂ ଫଟୋ ଆଦି ଯାଞ୍ଚ କଲେ ଘଟଣା ଉପରୁ ପରଦା ହଟିପାରେ। ସ୍ମିତାରାଣୀଙ୍କ ଫେସ୍ବୁକ୍ ଆକାଉଣ୍ଟକୁ ଡିଲିଟ କରିଦିଆଯାଇଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି।