ନିୟତିର ନିଷ୍ଠୁରତା ! ଦୃଷ୍ଟିଶକ୍ତି ହରାଇଥିବା ଦିବ୍ୟାଙ୍ଗ ଏବେ ହରାଇଲେ ହାତଗୋଡ

32

କନକ ବ୍ୟୁରୋ : ଦଇବ ସାଜିଲା ଦାଉ । ଆଖି ନଥିଲା, ଏବେ ହାତଗୋଡ଼ ଚାଲିଗଲା । ପିଲାଟି ବେଳରୁ ଦିବ୍ୟାଙ୍ଗ ଦିଲ୍ଲୀପ ସାହୁ ଦୃଷ୍ଟିଶକ୍ତି ହରାଇଥିଲେ । ଆଉ ଦୁର୍ଘଟଣା ଏବେ ଛଡାଇ ନେଇଛି ବାମ ହାତ ଓ ବାମ ଗୋଡ । ମୋବାଇଲ ଚୋରର ଧକ୍କା ଖାଇ ଟ୍ରେନ୍ ଚକ ତଳକୁ ଚାଲି ଆସି ଏବେ ହସ୍ପିଟାଲ ବେଡରେ ଜୀବନ ସହ ସଂଗ୍ରାମ କରୁଛନ୍ତି ।

ଦିଲ୍ଲୀପ ସାହୁ, ଘର ଜଗତସିଂହପୁର ଜିଲ୍ଲାରେ । ପିଲାଟି ବେଳରୁ ଦିବ୍ୟାଙ୍ଗ । କିନ୍ତୁ ଦୃଷ୍ଟିଶକ୍ତି ତାଙ୍କ ପାଠପଢ଼ାରେ ବାଧକ ସାଜିନଥିଲା । ବହୁ କଷ୍ଟରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ଭଲ ଗୀତ ଗାଉଥିବାରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇ ଦୁଇ ପଇସା ରୋଜଗାର କରୁଥିଲେ ।

ବାଲେଶ୍ୱରରୁ ଭୁବନେଶ୍ୱର ଟ୍ରେନରେ ଫେରିବା ପାଇଁ ଷ୍ଟେସନରେ ଟ୍ରେନ ଜଗିଥିଲେ ଦିଲ୍ଲୀପ  । ଆଉ ଏହି ସମୟରେ କାଳ ହୋଇ ଆସିଥିଲା ଜଣେ ମୋବାଇଲ ଚୋର । ମୋବଇଲ ଛଡ଼ାଇ ନେଇ ପଳେଇବା ବେଳେ ଚୋରର ଧକ୍କାରେ ଟ୍ରେନ୍ ଚକରେ ପଡ଼ିଗଲେ ଦିଲ୍ଲୀପ । ଆଉ ଆଖି ଖୋଲିଲା ବେଳକୁ ହସ୍ପିଟାଲ ବେଡରେ ନିଜକୁ ପାଇଥିଲେ ।

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଥିବା ଦିଲ୍ଲୀପ ବର୍ତ୍ତମାନ ଭାଗ୍ୟ ସାମ୍ନାରେ ନିରୁପାୟ । ପରିବାରର ଆର୍ଥିକ ଅବସ୍ଥା ଦୟନୀୟ, ବଡ ଭାଇ ସୁନା ଚେନ୍ ବିକି ଦିଲ୍ଲୀପଙ୍କ ଚିକିତ୍ସା କରୁଛନ୍ତି ।

ଆଉ କିଛି ଏନଜିଓ ସାହାର୍ଯ୍ୟର ହାତ ବଢାଇଛନ୍ତି । ଏବେ ଜୀବନ ସହ ସଂଗ୍ରାମ କରୁଛନ୍ତି ଦିଲ୍ଲୀପ । ଚିକିତ୍ସା ପାଇଁ ଦରକାର ଆର୍ଥିକ ସହାୟତା । ଯଦି କୌଣସି ସହୃଦୟ ବ୍ୟକ୍ତି ଦିଲ୍ଲୀପଙ୍କୁ ସହଯୋଗର ହାତ ବଢ଼ାଇବା ପାଇଁ ଚାହୁଁଛନ୍ତି- ତେବେ ଦିଲ୍ଲୀପଙ୍କ ଭାଇଙ୍କୁ ୯୭୭୭୦୧୨୭୮୪ ନମ୍ବରରେ ଯୋଗାଯୋଗ କରିପାରିବେ ।