କନକ ବ୍ୟୁରୋ : କଂଗ୍ରେସର ବରିଷ୍ଠ ନେତ୍ରୀ ତଥା ଉତ୍ତରାଖଣ୍ଡ ବିଧାନସଭାର ବିରୋଧୀଦଳ ନେତ୍ରୀ ଇନ୍ଦିରା ହ୍ରିଦୟେସଙ୍କ ଆଜି ଦେହାନ୍ତ ହୋଇଛି । ହୃଦଘାତ କାରଣରୁ ତାଙ୍କ ଦେହାନ୍ତ ହୋଇଥିବା କୁହାଯାଇଛି । ଦିଲ୍ଲୀରେ ହେବାକୁ ଥିବା ଦଳୀୟ ବୈଠକରେ ଯୋଗଦେବାକୁ ସେ ଶନିବାର ଦିନ ରାଜଧାନୀରେ ପହଂଚିଥିଲେ । ସେ ଦିଲ୍ଲୀରେ ଉତ୍ତରଖଣ୍ଡ ଭବନରେ ରହିଥିବା ବେଳେ ଆଜି ରୁମ ନଂ -୩୦୩ ରେ ତାଙ୍କର ହୃଦଘାତ କାରଣରୁ ମୃତ୍ୟୁ ହୋଇଥିବା କୁହାଯାଇଛି । ଏବେ ତାଙ୍କର ମର ଶରୀରକୁ ଉତ୍ତରାଖଣ୍ଡ ନେବାକୁ ପ୍ରସ୍ତୁତି ଚାଲିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ୟୁପିରୁ ଅଲଗା ହୋଇ ସ୍ୱତନ୍ତ୍ର ଉତ୍ତରାଖଣ୍ଡ ରାଜ୍ୟ ହେବା ପରେ ପ୍ରାୟ ଦୁଇ ଦଶକ ଧରି ଇନ୍ଦିରା ହ୍ରିଦୟେସ କଂଗ୍ରେସର ଜଣେ ଚର୍ଚ୍ଚିତ ଚେହେରା ଭାବେ ବେସ୍ ଜଣାଶୁଣା ଥିଲେ । ସେ ଏବେ ଉତ୍ତରାଖଣ୍ଡ ବିଧାନସଭାରେ ବିରୋଧୀଦଳ ନେତା ଥିଲେ । ତାଙ୍କ ମୃତ୍ୟୁ ଖବର ପାଇବା ପରେ ରାଜ୍ୟ କଂଗ୍ରେସ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି ।
ଅନ୍ୟପଟେ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଅନୀଲ ଚୌଧୁରୀ ଇନ୍ଦିରା ହ୍ରିଦୟେସଙ୍କ ମୃତ୍ୟୁ ଖବର ପାଇ ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି କି ଏଭଳି ବିପଦ ସମୟରେ ଦଳ ତାଙ୍କ ପରିବାର ସହିତ ଅଛି ।
କହିରଖୁ କି ଇନ୍ଦିରା ହ୍ରିଦୟେସ ଦିଲ୍ଲୀ ଆସିବା ପୂର୍ବରୁ ସାରା ଦେଶରେ ମହଙ୍ଗା ମାଡକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଚାଲିଥିବା ବିକ୍ଷୋଭରେ ଭାଗ ନେଇଥିଲେ । ଉତ୍ତରାଖଣ୍ଡରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ଦଳର ରଣନୀତି ପ୍ରସ୍ତୁତ କରିବାରେ ସେ ମୁଖ୍ୟ ଭୂମିକା ନେଇଥିଲେ । ଏହି ବାବଦରେ ହେବାକୁ ଥିବା ବୈଠକରେ ଯୋଗ ଦେବାକୁ ସେ ଦିଲ୍ଲୀ ଆସିଥିଲେ ।