ଦିଲ୍ଲୀରେ ଆସନ୍ତାକାଲିଠୁ ଖୋଲିବ ସପିଂ ମଲ ଓ ରେଷ୍ଟୁରାଣ୍ଟ । ଏପଟେ ରାଜ୍ୟରେ ସରିଆସୁଛି ଲକଡାଉନ ଅବଧୀ, କେଉଁଠି ହୋଇପାରେ ଅନଲକ୍, କେଉଁଠି ଜାରି ରହିବ କଟକଣା ଚାଲିଛି ଅଙ୍କକଷା

216

କନକ ବ୍ୟୁରୋ : ଆସନ୍ତାକାଲଠାରୁ ସର୍ତମୂଳକ ଭାବେ ଦିଲ୍ଳୀରେ ଖୋଲିବ ରେଷ୍ଟୁରାଣ୍ଟ । ବସିବାକୁ ଥିବା କ୍ଷମତାର ୫୦ ପ୍ରତିଶତ ଗ୍ରାହକଙ୍କୁ ନେଇ ରେଷ୍ଟୁରାଂଟ ଖୋଲିବାକୁ ଦିଲ୍ଳୀ ସରକାର ଅନୁମତି ଦେଇଛନ୍ତି । ଦିଲ୍ଳୀର ରେଷ୍ଟୁରାଂଟ ଶିଳ୍ପ ପାଇଁ ଏହା ଏକ ବଡ ଆଶ୍ୱସ୍ତିକର ଖବର ବୋଲି କୁହାଯାଉଛି । କାରଣ ଅନଲାଇନ ଡେଲିଭରୀ ଓ ଟେକଆୱେ ସେବାକୁ ସରକାର ଅନୁମତି ଦେଇଥିଲେ ବି କରୋନା ଭୟରେ ବ୍ୟବସାୟ ଏକ ପ୍ରକାର ଠପ୍ ହୋଇ ଯାଇଛି । ରେଷ୍ଟୁରାଂଟ ଭଳି ଦୀର୍ଘ ଦିନ ହେବ ବନ୍ଦ ରହିଥିବା ସାପ୍ତାହିକ ହାଟକୁ ମଧ୍ୟ କଟକଣାକୁ ମାନି ଖୋଲିବାକୁ ଅନୁମତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ।
ଏପଟେ, ଓଡିଶାରେ କରୋନା ସଂକ୍ରମଣ ଲଗାତାର ଭାବେ କମି ଚାଲିଛି । ସଂକ୍ରମଣ ହାର ବି ଖସୁଛି । ଅନ୍ୟପଟେ ଲକଡାଉନ ଅବଧି ଶେଷ ହୋଇ ଆସୁଛି । ସଂକ୍ରମଣ ହାର କମୁଥିବାରୁ ଲକଡାଉନ କଟକଣାକୁ କୋହଳ କରିବାକୁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି । ତେବେ କେଉଁ ଜିଲ୍ଲାରେ ଲକଡାଉନ କଟକଣା କୋହଳ ହେବ ଏହାକୁ ନେଇ ଏବେ ସମସ୍ତଙ୍କ ମନରେ ଏକପ୍ରକାର ଉକ୍ରଣ୍ଠା ବଢ଼ିବାରେ ଲାଗିଛି । ଯେଉଁଠି ସଂକ୍ରମଣ ହାର ବା ଟେଷ୍ଟ ପଜିଟିଭିଟି ରେଟ୍ ୫ ପ୍ରତିଶତରୁ କମ୍ ରହିବ ସେଠାରେ ଲକଡାଉନ କଟକଣା ହଠାଇବାକୁ ହୁର ଗାଇଡଲାଇନ ରହିଛି । ଏବଂ ୫ପ୍ରତିଶତରୁ ଅଧିକ ରହିଲେ ସ୍ଥିତି ଦେଖି ନିଷ୍ପତି ନେବାକୁ କୁହାଯାଇଛି । ତେବେ ରାଜ୍ୟର ମାତ୍ର ୧୧ଟି ଜିଲ୍ଲାର ସଂକ୍ରମଣ ହାର ୫ପ୍ରତିଶତରୁ ତଳେ ରହିଛି । ଅର୍ଥାତ ଏହି ୧୧ଟି ଜିଲ୍ଲା ଗ୍ରୀନ ଜୋନରେ ରହିଛି । ସେହିପରି ୬ଟି ଜିଲ୍ଲାର ସଂକ୍ରମଣ ହାର ୮ପ୍ରତିଶତ ତଳେ ରହିଛି । ଏହି ୬ଟି ଜିଲ୍ଲାକୁ ୟେଲୋ ଜୋନରେ ରଖାଯାଇଛି । ଉପକୂଳର ଏକାଧିକ ଜିଲ୍ଳା ସମେତ ୧୩ଟି ଜିଲ୍ଲାରେ ସଂକ୍ରମଣ ହାର ୮ପ୍ରତିଶତ ଉପରେ ରହିଛି ।ଏହି ୧୩ ଜିଲ୍ଲା ରେଡ୍ ଜୋନରେ ରହିଛି । ଲକଡାଉନର ଅବଧି ସରିବାକୁ ଯାଉଥିବା ବେଳେ ସଂକ୍ରମଣର ଏହି ହାର କୌଣସି ନିଷ୍ପତି ନେବା ପୂର୍ବରୁ ଚିନ୍ତା କରିବାକୁ ଏକ ପ୍ରକାର ବାଧ୍ୟ କରିଦେଇଛି ।