ପ୍ରୟାଗରାଜରେ ସୁପରସ୍ପ୍ରେଡର ହୋଇପାରେ ମାଘମେଳା : ଆସ୍ଥାର ବୁଡ଼ ପକାଇଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ

 ବର୍ତମାନ ସୁଦ୍ଧା ବାହାରିଲେଣି ୭୦ରୁ ଅଧିକ କରୋନା ପଜିଟିଭ୍; ମେଳା ବନ୍ଦ ପାଇଁ ବଢୁଛି ଚାପ

146

କନକ ବ୍ୟୁରୋ : ସାରା ଦେଶରେ ମକର ସଂକ୍ରାନ୍ତିର ଧୁମ୍ । ଏଥିପାଇଁ ବିଭିନ୍ନ ନଦୀ ଓ ଘାଟରେ  ବୁଡ ପକାଉଛନ୍ତି ଶ୍ରଦ୍ଧାଳୁ । କରୋନା ମାମଲା ବଢୁଥିବାବେଳେ ୟୁପିର ପ୍ରୟାଗରାଜରେ ଆରମ୍ଭ ହୋଇଛି ମାଘମେଳା । ଆସ୍ଥାର ଏହି ମେଳା ସୁପରସ୍ପ୍ରେଡର  ହୋଇପାରେ ବୋଲି କୁହାଯାଉଛି ।  ଆଜି ମକର ମେଳା ପାଇଁ ଲକ୍ଷ ଲକ୍ଷ ଲୋକ ବୁଡ ପକାଉଛନ୍ତି ।  ଏଠାରେ କରୋନା ବିସ୍ଫୋରଣ ହୋଇସାରିଲାଣି । ଏଠାରେ ବର୍ତମାନ ସୁଦ୍ଧା ୭୦ ପଜିଟିଭି ଚିହ୍ନଟ ହୋଇସାରିଲେଣି । ୪୭ ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ଲକ୍ଷାଧିକ ଭକ୍ତ ସାମିଲ ହେବେ  ।

ଲୋକଙ୍କ ସମାଗମକୁ ଦେଖି ଆୟୋଜନ ବି ବଡ ହୋଇଛି । କିନ୍ତୁ କରୋନା ମାମଲା ବଢୁଥିବାବେଳେ  ଏଭଳି ମାଘମେଳାର ଆୟୋଜନ ନେଇ ପ୍ରଶ୍ନ ଉଠୁଛି ।  ମକର ସଂକ୍ରାନ୍ତି ପୂର୍ବରୁ ୭୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।  କେବଳ ସୁରକ୍ଷାକର୍ମୀ ଓ ଅଳ୍ପ କିଛି ଲୋକଙ୍କ ଟେଷ୍ଟରୁ ଏହି ସଂଖ୍ୟା ଆସିଛି । ଆଜିଠୁ ଭକ୍ତଙ୍କ ଆଗମନ ବଢିବ । ଏଭଳି ସମୟରେ ଯାଂଚ ହେଲେ  ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇପାରନ୍ତି ବୋଲି ଆଶଙ୍କା କରାଯାଉଛି ।  ୧୭ ଜାନୁଆରୀ ପୌଷ ପୂର୍ଣ୍ଣିମାରେ ପ୍ରୟାଗରାଜରେ ସାଧୁ ସନ୍ଥ ଏକାଠି ହେବେ । କୋଭିଡ ନିୟମ ପାଳନ କରାଯାଉଥିବା ପ୍ରଶାସନ ପକ୍ଷରୁ ଦାବି କରାଯାଉଥିଲେ ବି ସଂକ୍ରମଣ ବଢୁଥିବାରୁ ସମସ୍ତଙ୍କ ଚିନ୍ତା ବି ବଢିଯାଇଛି ।